ଭୁବନେଶ୍ବର: କାର୍ଯ୍ୟ ଆରମ୍ଭର ୭ ବର୍ଷ ପରେ ବ୍ୟବହାର ଉପଯୋଗୀ ହୋଇଥିବା ବମିଖାଲ ରେଳ ଓଭରବ୍ରିଜ୍ରେ ନୂଆ ଅଡ଼ୁଆରେ ଛନ୍ଦି ହୋଇଛି। ଶନିବାରଠାରୁ ଏହି ବମିଖାଲ ଲେଭେଲ କ୍ରସଂ ବନ୍ଦ କରି ଦିଆଯାଇଛି। ରେଳ ବିଭାଗ ରାସ୍ତା ମଝିରେ କଂକ୍ରିଟ ପାଚେରି ଉଠାଇବା ସହ ଜଗୁଆଳି ହଟାଇଦେଇଛି। ସେପଟେ ଟ୍ରାଫିକ୍ ପରିଚାଳନାଗତ ତ୍ରୁଟିକୁ ନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ପୋଲ ଉପରେ ଦିଆଯାଇଥିବା ହୋମ୍ଗାର୍ଡ ଡ୍ୟୁଟି ମଧ୍ୟ ହଟାଇ ଦିଆଯାଇଛି। ଲେଭେଲ କ୍ରସିଂ ବନ୍ଦ କରିଦିଆଯିବା ଫଳରେ ସର୍ଭିସ ରୋଡ୍ର ବ୍ୟବହାର ବଢ଼ିଛି। ଫଳରେ ପୋଲ ଉପରେ ଓ ତଳେ ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହୋଇଛି। ବାମପଟ ସର୍ଭିସ ରୋଡ୍ରେ ଆସି କେହି ମହର୍ଷି କଲେଜ୍ ପଟୁ ପୋଲ ଉପରକୁ ଉଠିବାକୁ ଚାହିଁଲେ ପୋଲ ଉପରୁ ଦ୍ରୁତ ଗତିରେ ଆସୁଥିବା ଚାଳକଙ୍କ ସହ ମୁହାଁମୁହିଁ ହେଉଛି। ୭ ବର୍ଷ ଧରି ୪୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ପୋଲ ଏବେ ଯାତ୍ରୀମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। ତେବେ ଜାଗର ପାଇଁ ବିଭିନ୍ନ ଶୈବପୀଠରେ ସୁରକ୍ଷା ଓ ଟ୍ରାଫିକ ପାଇଁ ହୋମଗାର୍ଡ ହଟାଯାଇଥିବା ପୁଲିସ କହିଛି। ପୋଲ ଉପର ଜଙ୍କସନରେ ହୋମ୍ଗାର୍ଡ ରହିଲେ ମଧ୍ୟ ସମସ୍ୟା ସମାଧାନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି।
ଅନ୍ୟପଟେ ଗତ ଶନିବାର ରାସ୍ତା ଓ ଗୃହନିର୍ମାଣ ବିଭାଗ ଓ କମିସନରେଟ୍ ପୁଲିସ ପକ୍ଷରୁ ଯୁଗ୍ମ ତଦନ୍ତ ହୋଇଥିଲେ ମଧ୍ୟ ପୋଲ ଉପରେ ଟ୍ରାଫିକ ଶୃଙ୍ଖଳା ନେଇ ବାଟ ବାହାରି ପାରୁନାହିଁ। ଉଭୟ ପୁଲିସ ଓ ପୂର୍ତ୍ତ ବିଭାଗ ବାଟ ବାହାର କରିବାରେ ଏ ଯାବତ୍ ବିଫଳ ହୋଇଛନ୍ତି। ରାସ୍ତାକୁ ଓସାର କରିବା ସମ୍ଭବ ନ ଥିବା ବେଳେ ସମସ୍ତ(୩ ଦିଗରୁ) ଯିବା-ଆସିବା ବ୍ୟବସ୍ଥା ମଧ୍ୟ ସମ୍ଭବ ନୁହେଁ। ଏଣୁ ଉଭୟ ବିଭାଗ ଅଧିକାରୀ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ଏଣେ ବିପଦ ବଢ଼ି ବଢ଼ି ଯାଉଛି।
ସୂଚନାଯୋଗ୍ୟ, ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଏହି ବ୍ରିଜ୍କୁ ଦୀର୍ଘ ୭ବର୍ଷ ଲାଗିଥିଲା। ଏଥିରେ ବମିଖାଲ ପଟୁ ଚଢ଼ିବା ସୁବିଧା ଥିବା ବେଳେ ରସୁଲଗଡ଼ ପଟକୁ କେବଳ ଓହ୍ଲାଇବା ବ୍ୟବସ୍ଥା ଥିଲା। ସହିଦ ନଗର ପଟକୁ ଉଭୟ ଚଢ଼ିବା ଓ ଓହ୍ଲାଇବା ବ୍ୟବସ୍ଥା ଥିଲା। କିନ୍ତୁ ଏହାକୁ ନ ମାନି ଚାଳକମାନେ ରଙ୍ଗ୍ ରୁଟ୍ରେ ଯିବାରୁ ସମସ୍ୟା ଉପୁଜିଥିଲା। ଏହାର ସମାଧାନ ପାଇଁ ପୁଲିସ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଅନୁଧ୍ୟାନ କରିଥିଲା। ଏଥିରେ ଅଧିକ ସାଇନ୍ଏଜ୍ ଲଗାଯିବା ସହ ହୋମ୍ଗାର୍ଡ ଡ୍ୟୁଟି ଲଗା ଯାଇଥିଲା। କିନ୍ତୁ ପର୍ବପର୍ବାଣୀରେ ଏହି ହୋମ୍ଗାର୍ଡମାନଙ୍କର ଆବଶ୍ୟକତା ଥିବାରୁ ଏଠାରେ ସବୁଦିନ ହୋମ୍ଗାର୍ଡ ରଖିବା ସମ୍ଭବ ନଥିଲା। ଏବେ ଲେବୁଲ କ୍ରସିଂ ବନ୍ଦ ହୋଇଯିବା ପରେ ଅଡ଼ୁଆ ବଢ଼ିଛି।