ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଏଲ୍‌ଏଚ୍‌ବି କୋଚ୍‌ର ଶୁଭାରମ୍ଭ ଉତ୍ସବ: କୁଆଡ଼େ ଗଲା ବିଶ୍ବସ୍ତରୀୟ ରେଳ ଷ୍ଟେସନ?

ପ୍ରଶ୍ନ ଉଠାଇଲେ ସାଂସଦ, ବିଧାୟକ
ରେଳମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ

ଭୁବନେଶ୍ବର : ଭୁବନେଶ୍ବର ଷ୍ଟେସନକୁ ୩୦ ମାସ ମଧ୍ୟରେ ବିଶ୍ବସ୍ତରୀୟ କରିବ ବୋଲି ସ୍ବପ୍ନ ଦେଖାଇଥିଲ। ଇତିମଧ୍ୟରେ ୨୨ ମାସ ବିତିଗଲାଣି। ଇଟା ଖଣ୍ଡେ ପଡ଼ିଲା ନାହିଁ। ୯ ତାଲା କୋଠା କରିବାକୁ ଯୋଜନା ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଗୋଟିଏ ତାଲା ହୋଇନି। ବରଂ ସୌନ୍ଦର୍ଯ୍ୟୀକରଣକୁ ଭାଙ୍ଗି ଦସ୍ତା ଆଜବେଷ୍ଟସ୍‌ ଲଗାଇ ଛାଡ଼ି ଦେଇଛ। ଦୁଇ ବର୍ଷ ହେଲା ରାଜଧାନୀବାସୀଙ୍କୁ କାହିଁକି ଯନ୍ତ୍ରଣା ଦିଆଯାଉଛି? ବିଶ୍ବସ୍ତରୀୟ ରେଳ ଷ୍ଟେସନର ନକ୍ସା ପ୍ରସ୍ତୁତ ଲାଗି ସିଙ୍ଗାପୁର କମ୍ପାନିକୁ ୮ କୋଟି ଟଙ୍କା ଦିଆଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ। ବରଂ ଟଙ୍କା ବରବାଦ ହୋଇଛି। ବିଶ୍ବସ୍ତରୀୟ ରେଳ ଷ୍ଟେସନ କୁଆଡେ ଗଲା? କେବେ ପୂରଣ ହେବ ପ୍ରତିଶ୍ରୁତି? ଆଜି ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ନୂତନ ଏଲ୍‌ଏଚ୍‌ବି କୋଚ୍‌ର ଶୁଭାରମ୍ଭ ଅବସରରେ ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏସବୁ ପ୍ରଶ୍ନ କରିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ।

କେବଳ ସୁର ବାବୁ ନୁହନ୍ତି; ଉତ୍ସବରେ ଉପସ୍ଥିତ ଭୁବନେଶ୍ବରର ତିନି ବିଧାୟକ ମଧ୍ୟ ସମାନ ଢଙ୍ଗରେ ରେଳ ମନ୍ତ୍ରୀଙ୍କ ଆଗରେ ଏହି ଦାବି ରଖିଛନ୍ତି। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ; ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ଦିଗରେ ଯେଉଁ ପଦକ୍ଷେପ ନିଆଯାଇଛି, ତାହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ଲିଙ୍ଗରାଜ ପାସେଞ୍ଜର ହଲ୍‌ଟକୁ ନିୟମିତ ଷ୍ଟେସନରେ ପରିବର୍ତନ କରନ୍ତୁ। ଓଡ଼ିଶାରେ ପଡ଼ିରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ଯେପରି ଅଗ୍ରଗତି କରିବ ସେନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ରେଲୱେ କମିଟି ସହ କେନ୍ଦ୍ର ରେଳ ମନ୍ତ୍ରୀ ଆଲୋଚନା କରନ୍ତୁ। ଏହା ଛଡ଼ା ରାଜ୍ୟର ସବୁ ଜିଲ୍ଲାକୁ ରେଳ ସଂଯୋଗ ଦିଗରେ ଦୃଷ୍ଟି ଦେବାକୁ ସେ ହାତ ଯୋଡ଼ି ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ କହିଲେ; ଭୁବନେଶ୍ବରର କଳେବର ବଢ଼ୁଥିବାରୁ ନ୍ୟୁ ରେଳ ଷ୍ଟେସନର ପରିକଳ୍ପନା କରାଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ସେଭଳି ଅଗ୍ରଗତି ହୋଇ ନାହିଁ। ରେଳମନ୍ତ୍ରୀ ତୁରନ୍ତ ରେଳ ଷ୍ଟେସନର ଅନୁଧ୍ୟାନ କରି ପଦକ୍ଷେପ ନିଅନ୍ତୁ। ସେହିପରି ପଦାସାହି ଓ କଳାରାହାଙ୍ଗଠାରେ ରେଲୱେ ଓଭର ବ୍ରିଜ୍‌ର ଆବଶ୍ୟକତା ରହିଛି। ଏନେଇ ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲି। ତେବେ ଆଜି ପର୍ଯ୍ୟନ୍ତ କିଛି ବି ସୁଫଳ ମିଳି ନାହିଁ। ତେଣୁ ଏସବୁ ଦାବି ସହ ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ ସହ ଆଖପାଖ ଷ୍ଟେସନର ବିକାଶ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ରାଉତ କହିଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା କହିଲେ ଓଡ଼ିଶାକୁ ସବୁବେଳେ ଅବହେଳା ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରକାର ଜମି ଯୋଗାଇ ଦେଉଛନ୍ତି। ବିକାଶ କରିବା ଦାୟିତ୍ବ କେନ୍ଦ୍ର ସରକାର ନିଅନ୍ତୁ। ରାଜ୍ୟର ୨୫୦ଟି ରେଳ ଷ୍ଟପେଜ୍‌କୁ ପୁଣିଥରେ କାର୍ଯ୍ୟକ୍ଷମ ସହ ସମସ୍ତ ଟ୍ରେନ୍‌କୁ ପୁନଃ ଚଳାଚଳ କରାଯାଉ। ଆଗକୁ ଯେତିକି ବି ନୂତନ ଟ୍ରେନ୍‌ ଚାଲିବ ସେଥିରେ ଏଲ୍‌ଏଚ୍‌ବି କୋଚ୍‌ ଲଗାଇବା ଦିଗରେ ପଦକ୍ଷେପ ନିଆଯାଉ।

ଏମିତିକି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ମଧ୍ୟ ବିଶ୍ବସ୍ତରୀୟ ରେଳ ଷ୍ଟେସନ ଦାବି ଉଠାଇଥିଲେ। ନିଜ ବକ୍ତବ୍ୟରେ ଭୁବନେଶ୍ବର ଷ୍ଟେସନର ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ରାଉତରାୟ ଖୋର୍ଧାରୋଡ ରେଳ ଷ୍ଟେସନ ପ୍ଲାଟଫର୍ମର ରୂପ‌ ବଦଳାଇବା ସହ ଲିଙ୍ଗରାଜଙ୍କ ନାମରେ ଏକ ଟ୍ରେନ୍‌ ଭୁବନେଶ୍ବରରୁ ଦିଲ୍ଲୀ ଓ ବମ୍ବେକୁ ଚଲାଇବାକୁ ଦାବି କରିଥିଲେ।

ଆସିଲେନି ଅପରାଜିତା
ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ନୂତନ ଏଲଏଚ୍‌ବି କୋଚ୍‌କୁ ଦୁଇ କେନ୍ଦ୍ରମନ୍ତ୍ରୀ ଶୁଭାରମ୍ଭ କରିଥିଲେ ମଧ୍ୟ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ଏହି ଉତ୍ସବରେ ଦେଖିବାକୁ ମିଳି ନ ଥିଲା। ଭୁବନେଶ୍ବରରେ ହେଉଥିବା କାର୍ଯ୍ୟକ୍ରମରେ ବିଜେପି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ନାମ ସମ୍ମାନିତ ଅତିଥି ତାଲିକାରେ ରହିଥିଲା। ମାତ୍ର ଶେଷ ପର୍ଯ୍ୟନ୍ତ ତାଙ୍କର ଦେଖା ମିଳିଲା ନାହିଁ। ନିଜ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଅପରାଜିତାଙ୍କ ଅନୁପସ୍ଥିତିକୁ ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା। କେଉଁ କାରଣ ପାଇଁ ସାଂସଦ ଆସିଲେ ନାହିଁ ତାହା ଜଣାପଡ଼ି ନ ଥିଲା। ଏମିତିକି ରେଳ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ସାଂସଦଙ୍କ ଅନୁପସ୍ଥିତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଅପରାଜିତାଙ୍କ ସମେତ ଉତ୍ସବଙ୍କୁ ଆମନ୍ତ୍ରଣ କରାଯାଇଥିବା ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ପ୍ରଭୁ ଜାନି ମଧ୍ୟ ଅନୁପସ୍ଥିତ ରହିଥିଲେ।

ଚୌକିକୁ ନେଇ ଅସନ୍ତୋଷ
ରେଳଷ୍ଟେସନରେ ଅଳ୍ପ ସ୍ଥାନରେ କାର୍ଯ୍ୟକ୍ରମ ହେଉଥିବାରୁ ମଞ୍ଚରେ ସମସ୍ତ ଅତିଥିଙ୍କ ପାଇଁ ଚୌକି ପକାଇବାକୁ ସ୍ଥାନ ନ ଥିଲା। ଆଗଧାଡ଼ିରେ ୬ ଜଣ ଅତିଥିଙ୍କ ପାଇଁ ଚୌକି ପଡ଼ିଥିବା ବେଳେ ପଛରେ ଦୁଇ ଜଣଙ୍କ ପାଇଁ ପଡ଼ିଥିଲା। ପଛରେ ଯେଉଁ ଚୌକି ପଡ଼ିଥିଲା ତାହା ଭୁବନେଶ୍ବରର ଦୁଇ ବିଧାୟକ ଯଥା ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତଙ୍କ ଲାଗି ସଂରକ୍ଷିତ ରହିଥିଲା। ଯାହାକୁ ନେଇ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଉକ୍ତ ଦୁଇ ବିଧାୟକଙ୍କୁ ଆଗରେ ବସାଇବା ଦିଗରେ ରେଳ ବିଭାଗ ଅଧିକାରୀମାନେ ପଦକ୍ଷେପ ନେଇଥିଲେ।

ସମ୍ବନ୍ଧିତ ଖବର