ଭୁବନେଶ୍ୱର: ଆମେ ଭାଷାକୁ ଉଦାର କଲେ ଭାଷା ସମୃଦ୍ଧ ହୋଇପାରିବ। ଲୋକମାନେ ଯେତେବେଳେ ଭାଷାର ବହୁଳ ବ୍ୟବହାର କରିବେ, ଏହାର ତ୍ରୁଟିଗୁଡ଼ିକ ଆପେ ସୁଧୁରିଯିବ। ‘ସଂଭାବନା’ ପକ୍ଷରୁ ଗୀତଗୋବିନ୍ଦ ସଦନ ପରିସରରେ ଆୟୋଜିତ ବିଶିଷ୍ଟ କଥାକାର ଦାଶ ବେନହୁରଙ୍କ ୭୧ତମ ଜନ୍ମ ଜୟନ୍ତୀ ‘ବେନହୁର ବିଶେଷ’ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ ଆହୁରି କହିଥିଲେ, ଶିଶୁ ସାହିତ୍ୟକୁ ପ୍ରକୃତ ମର୍ଯ୍ୟାଦା ଆଜି ପର୍ଯ୍ୟନ୍ତ ଦିଆ ଯାଇନାହିଁ। କିନ୍ତୁ ଶିଶୁ ସାହିତ୍ୟିକମାନେ ହିଁ ଭାଷାକୁ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଦାଶ ବେନହୁର ଜଣେ ସଫଳ କାହାଣୀର ନାୟକ ବୋଲି ମଧ୍ୟ ସେ କହିଥିଲେ।
ଅନ୍ୟତମ ଅତିଥି ବିଶିଷ୍ଟ ଅଭିନେତା-ରାଜନେତା ପ୍ରଶାନ୍ତ ନନ୍ଦ କହିଲେ, ଦାଶ ବେନହୁରଙ୍କୁ ଆହୁରି ଦୁଇଗୁଣା ରଚନା କରିବାକୁ ପଡ଼ିବ। ତାଙ୍କ ଲେଖନୀ ଯେତେ ଦୃଢ଼ହେବ, ଆମ ସାହିତ୍ୟ ସେତେ ଆଗକୁ ଯିବ। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଲେଖିକା ପ୍ରତିଭା ରାୟ କହିଲେ, ଶିଶୁ ସାହିତ୍ୟ ଉଭୟ ପାଠକ ଓ ଲେଖକ ସୃଷ୍ଟି କରେ। ଶିଶୁ ସାହିତ୍ୟ ଚିତ୍ର ସହ ପ୍ରକାଶ ପାଇଲେ ପିଲାଟି ସ୍ବପ୍ନ ଦେଖେ। ଦାଶ ବେନହୁରଙ୍କ ଲେଖା ପିଲାଙ୍କୁ ଏକ ସୁନ୍ଦର ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଉଛି ବୋଲି ସେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ସଭାପତିତ୍ବ କରି ଦାଶ ବେନହୁର ଓଡ଼ିଆ ଅସ୍ମିତାର ଜଣେ ସୂତ୍ରଧର ବୋଲି କହିଥିଲେ। ସଭାରେ ଅତିଥି ଭାବେ ଉପସ୍ଥିତ ଶ୍ରୀ ବେନହୁର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
ଏହି ଅବସରରେ ଶ୍ରୀ ବେନହୁରଙ୍କ ରଚିତ ୫ଟି ପୁସ୍ତକ ‘ରସଗୋଲା କାହାଣୀ’, ‘ବିଲୁ ଆଣ୍ଡ ଦି ବାନିୟାନ ଟ୍ରି’, ‘ଭାଲୁଆ ଭୁକିଲା ଭୋ’, ‘ବିଦେଶ କାହାଣୀ’ ଓ ‘ସନ୍ଥ କାହାଣୀ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମର ଅନୁଷ୍ଠାନର ସମ୍ପାଦକ ଦେବ ପ୍ରସାଦ ପରିଜା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ଦାସ ଧନ୍ୟବାଦ ଦେଇଥିଲେ। ଟ୍ରଷ୍ଟି ସ୍ମୃତି ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜ୍ୟୋସ୍ନାମୟୀ ସେନାପତି, କସ୍ତୁରିକା ପଟ୍ଟନାୟକ, ଯୁଗ୍ମସମ୍ପାଦିକା ମିନାକ୍ଷୀ ପଟ୍ଟନାୟକ, କାର୍ଯ୍ୟକ୍ରମ ସମ୍ପାଦିକା ରଶ୍ମିତା ରଥ, ଶ୍ୱେତପଦ୍ମା ମିଶ୍ର, ସୌଦାମିନୀ ସାମଲ, ରେଖା ସାହୁ, ରାଜଶ୍ରୀ ଶତପଥୀ ଓ ପ୍ରଫୁଲ୍ଲ ଦେ ପ୍ରମୁଖ ଶ୍ରୀ ବେନହୁରଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ।