ଏଲ୍‌ଆଇସି ଅବସରପ୍ରାପ୍ତ ପ୍ରଥମଶ୍ରେଣୀ ଅଧିକାରୀ ସଂଘର ସମ୍ମିଳନୀ

ଭୁବନେଶ୍ବର: ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ଅବସରପ୍ରାପ୍ତ ପ୍ରଥମ‌ଶ୍ରେଣୀ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସଂଘର ୪ର୍ଥ ଦ୍ବିବାର୍ଷିକୀ ସମ୍ମିଳନୀ ଜୀବନବୀମା ନିଗମର କଟକ ଲିଙ୍କ୍‌ ରୋଡ୍‌ସ୍ଥିତ ବିକ୍ରୟ ତାଲିମ୍‌ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ, ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରର ଅବସରପ୍ରାପ୍ତ ଅଧିକାରୀମାନେ ଯୋଗ ଦେଇଥିଲେ। ସର୍ବଭାରତୀୟ ମହାସଂଘର ସାଧାରଣ ସମ୍ପାଦକ ଦେବରାଜନ୍‌ କ୍ରିଷ୍ଣନ୍‌ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଆର୍‌ବିଆଇ କର୍ମଚାରୀଙ୍କ ପେନ୍‌ସନ ସଂଶୋଧନ କ୍ଷେତ୍ରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ପାଇଁ ଗୃହୀତ ସଂଶୋଧନୀ ସୂତ୍ର ରାଷ୍ଟ୍ରାୟତ୍ତ ଜୀବନ ବୀମା କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରିବା ପାଇଁ ସେ ଦାବି କରିଥିଲେ। ସାହିତ୍ୟିକ ଦାଶ ବେନହୁର ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ଦିନରେ ଶାସକବର୍ଗଙ୍କଠାରେ ମହତ ଗୁଣ ଖୋଜି ପାଇବା କଷ୍ଟକର ବୋଲି ପୌରାଣିକ କଥାର ଉଦାହରଣ ଦେଇ କହିଥିଲେ। ୨ ବର୍ଷ ମଧ୍ୟରେ ୭୫ ବର୍ଷରୁ ଅଧିକ ବୟସରେ ପଦାର୍ପଣ କରିଥିବା ୬ ବରିଷ୍ଠ ସଦସ୍ୟଙ୍କୁ ସମ୍ବର୍ଧିତ କରାଯାଇଥିଲା। ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଗଜେନ୍ଦ୍ରନାଥ ପଣ୍ଡା ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଜୟରାମ ବେହେରା ମତ ରଖିଥିଲେ। ଅପରାହ୍‌ଣରେ କର୍ମକର୍ତା ନିର୍ବାଚନରେ ନୃସିଂହ ଚରଣ ଭଟ୍ଟ ସଭାପତି, ଉପସଭାପତି ଭାବେ ବସନ୍ତ କୁମାର ସାହୁ ଉପସଭାପତି ଓ ଅନନ୍ତ ପରିଡ଼ା, ଗଜେନ୍ଦ୍ରନାଥ ପଣ୍ଡା ସାଧାରଣ ସମ୍ପାଦକ, ଚତୁର୍ଭୁଜ ମହାପାତ୍ର ଓ ତ୍ରିଲୋଚନ ମିଶ୍ର ଯୁଗ୍ମ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଭାବେ ନିରଂଜନ ମିଶ୍ରଙ୍କ ସମେତ ୨୨ ଜଣିଆ କାର୍ଯ୍ୟକାରୀ କମିଟି ୨ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ। କାର୍ଯ୍ୟକାରୀ ସମିତି ସଦସ୍ୟ ଯୁଗଳ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର