ଚନ୍ଦ୍ରଶେଖରପୁର : ଦେଶ ବିକାଶ ପଥରେ ଆଗେଇଛି। ଦୀର୍ଘମିଆଦି ଅର୍ଥନୀତିରେ ପ୍ରଗତି ଆଣିବା ଲାଗି ଦେଶରେ ସୁଯୋଗ ସୃଷ୍ଟି ହୋଇଛି। ବିଶ୍ବରେ ଶକ୍ତି ବ୍ୟବହାରରେ ଭାରତ ୩ ନମ୍ବର ସ୍ଥାନରେ ରହିଛି। ଆସନ୍ତା ୨୦ରୁ ୩୦ ବର୍ଷ ମଧ୍ୟରେ ଆମେରିକା ଓ ଚୀନ୍‌କୁ ଟପି ଭାରତ ପ୍ରଥମ କିମ୍ବା ଦ୍ବିତୀୟ ସ୍ଥାନରେ ରହିବ। ଦେଶର ନାଗରିକମାନଙ୍କୁ ଅଧିକରୁ ଅଧିକ ଅର୍ଥନୈତିକ ପ୍ରଗତି ମିଳିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଲାଇଫ୍‌ ଇନସ୍ୟୁରାନ୍ସ ଏଜେଣ୍ଟ ଫେଡେରେସନ ଅଫ୍‌ ଇଣ୍ଡିଆ ରାଷ୍ଟ୍ରୀୟ ଅଧିବେଶନକୁ ଉଦ୍‌ଘାଟନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

Advertisment

ଏଜେଣ୍ଟମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଲେ, ଦେଶରେ ଆଜି ୧୧ ଲକ୍ଷ ଏଜେଣ୍ଟ ଲୋକଙ୍କ ବିଶ୍ବାସ ଭାଜନ ହୋଇପାରିଛନ୍ତି। ସେମାନଙ୍କ ଉପରେ ଆଜି ଦେଶ ଭରସା କରିଥିବାରୁ ଭାରତର ଅର୍ଥନୀତିର ବିକାଶ ହୋଇଛି। ସମୟ ବଦଳିବା ସହ ଯୁଗ ମଧ୍ୟ ବଦଳିବାରେ ଲାଗିଛି। ନୂଆ ଜ୍ଞାନକୌଶଳ ବ୍ୟବହାର ଦ୍ବାରା ସବୁ କାମ ସୁବିଧାରେ ହୋଇପାରିଛି। ଜିଏସ୍‌ଟି ଲାଗୁ ହେବା ପରେ ମଧ୍ୟ ଏହାର ସୁଫଳ ମିଳିପାରିଛି। ବୈଷୟିକ ଓ ଡିଜିଟାଇଜେସନ ପରିବର୍ତନ ପାଇଁ ଦେଶରେ ୪୮ କୋଟି ଲୋକଙ୍କ ଦକ୍ଷତାରେ ବିକାଶ ହୋଇଛି। ଦେଶରେ ଥିବା ଏଲ୍‌ଆଇସି ଏଜେଣ୍ଟମାନଙ୍କ ଦକ୍ଷତା ବିକାଶ ଉପରେ ଦୃଷ୍ଟି ଦିଆଯିବା ଉଚିତ୍‌। ବୀମା ଭିତରେ ଅଧିକରୁ ଅଧିକ ଲୋକଙ୍କୁ ପରିସରଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ୫୦ କୋଟି ଲୋକଙ୍କୁ ସ୍ବାସ୍ଥ୍ୟବୀମା ପରିସର ଭୁକ୍ତ କରାଯାଇଛି। ୨୦୧୪ରେ ବିଜେପି ‌କ୍ଷମତାକୁ ଆସିବା ବେଳେ ୧୩ କୋଟି ଲୋକଙ୍କର ଏଲ୍‌ପିଜି ସଂଯୋଗ ହୋଇଥିଲା। ଏବେ ତାହା ୨୫ କୋଟିରେ ପହଞ୍ଚିଲାଣି। ପ୍ରତ୍ୟେକ ହିତାଧିକାରୀ ବୀମାରେ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

ଲାଇଫ୍‌ ଇନସ୍ୟୁରାନ୍ସ ଏଜେଣ୍ଟ ଫେଡେରେସନର ଅଫ୍‌ ଇଣ୍ଡିଆର ସଭାପତି ଏସ୍‌ ବି ଏସ୍‌ ଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ସାଧାରଣ ସମ୍ପାଦକ ଶ୍ୟାମଲ୍‌ ଚକ୍ରବର୍ତୀ ଯୋଗଦେଇ ୧୬ତମ ସାଧାରଣ ପରିଷଦର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ସାରା ଦେଶର ଏଜେଣ୍ଟମାନେ ସାମିଲ ହୋଇଛନ୍ତି। ଏବେ ଦେଶରେ ୨୦ କୋଟି ପଲିସିଧାରୀ ରହିଛନ୍ତି।