ଏଲଆଇସିର ନୂତନ ଜୋନାଲ୍‌ ଓ ଡିଭିଜନ୍‌ କାର୍ଯ୍ୟାଳୟ ଖୋଲିବାକୁ ଦାବି

ଭୁବନେଶ୍ୱର: ଓଡ଼ିଶାରେ ରହିଥିବା ଜୀବନ ବୀମା ନିଗମ (ଏଲଆଇସି)ର ସମସ୍ତ ବୀମାଭୁକ୍ତଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ରାଜଧାନୀ ଭୁବନେଶ୍ୱରରେ ଏଲଆଇସିର ଏକ ଟାୟର-୨ ଜୋନାଲ କାର୍ଯ୍ୟାଳୟ ଏବଂ ବାଲେଶ୍ୱରଠାରେ ଏକ ଡିଭିଜନାଲ୍‌ ଅଫିସ୍‌ ଖୋଲିବା ପାଇଁ ନେସ୍‌ନାଲ ଅର୍ଗାନାଇଜେସନ ଅଫ୍‌ ଇନ୍‌ସୁରାନ୍ସ୍‌ ଅଫିସର୍‌ସ ପକ୍ଷରୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ଗସ୍ତରେ ଥିବା ମାନବସମ୍ବଳ ମନ୍ତ୍ରୀ ପ୍ରକାଶ ଜାବଡେକର୍‌ଙ୍କ ନିକଟରେ ସଂଗଠନ ପକ୍ଷରୁ ଏନେଇ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି।

ରାଜ୍ୟରେ ଏଲଆଇସିର ଜୋନ ସ୍ତରରେ ଉପଯୁକ୍ତ ଭିତ୍ତିଭୂମି, କାର୍ଯ୍ୟାଳୟ ସୁବିଧା ତଥା ପରିଚାଳନା ବ୍ୟବସ୍ଥା ଅଭାବରୁ ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ମାତ୍ର ୨୦ପ୍ରତିଶତ ଜନସାଧାରଣ ବୀମାଭୁକ୍ତ ହୋଇପାରିଛନ୍ତି। ୧୯୫୬ ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଓଡ଼ିଶାର ୪ଟି ଡିଭିଜନ୍‌ କୋଲ୍‌କତାସ୍ଥିତ ପୂର୍ବ ଜୋନ୍‌ ଅଧୀନରେ କାର୍ଯ୍ୟ କରୁଥିଲା। ଏହି କାରଣରୁ ରାଜ୍ୟର ପ୍ରାୟ ୮୦ଲକ୍ଷ ବୀମାଭୋଗୀ ଉପକୃତ ହୋଇଥିଲେ। ମାତ୍ର ୨୦୦୭ ମସିହାରେ ହଠାତ୍‌ ପାଟ୍‌ନାରେ ଏକ ଜୋନାଲ୍‌ ଅଫିସ୍‌ ଖୋଲାଗଲା ଏବଂ ଓଡ଼ିଶାର ସମସ୍ତ କାରବାରକୁ ବିହାରରୁ ନିୟନ୍ତ୍ରଣ କରାଗଲା। ଏହି କାରଣରୁ ରାଜ୍ୟର ପ୍ରାୟ ୮୦ଲକ୍ଷ ବୀମାଭୁକ୍ତମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭୁବନେଶ୍ୱରରୁ ପାଟ୍‌ନାର ଦୂରତା ପ୍ରାୟ ୧୦୦୦ କିମି ହୋଇଥିବା ଏବଂ ଗମନାଗମନ ନିମନ୍ତେ ଉଚିତ୍‌ ବନ୍ଦୋବସ୍ତ ନଥିବା କାରଣରୁ ବୀମାଭୋଗୀଙ୍କ ସହିତ ସମସ୍ତ ଅଂଶୀଦାରମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଏଲଆଇସିର କଟକ ଅଫିସ୍‌କୁ ବିକେନ୍ଦ୍ରୀକରଣ କରି ବାଲେଶ୍ୱରରେ ଏକ ଡିଭିଜନାଲ୍‌ କାର୍ଯ୍ୟାଳୟ ଖୋଲିଲେ ପ୍ରାୟ ୯୦ଲକ୍ଷ ବୀମାଭୋଗୀ ଉପକୃତ ହୋଇପାରିବା ନେଇ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ଏହି ଦାବି ଉପରେ ବିହିତ ବ୍ୟବସ୍ଥା ନେବା ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ସଭାପତି ଅଜୟ କୁମାର ଦାସଙ୍କ ସମେତ ଉପସଭାପତି ହରିବନ୍ଧୁ ପ୍ରହରାଜ, ସମ୍ପାଦକ ସୁବ୍ରତ ମହାନ୍ତି, ରମାକାନ୍ତ ପରିଡ଼ା, ସୁଶୀଲ କୁମାର ମହାନ୍ତି, ନାରାୟଣ ପଣ୍ଡା ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର