ଭୁବନେଶ୍ବର: ରାଜଧାନୀରେ ଲିଚୁର ବଜାର ଏବେ ସରଗରମ ଅଛି। ସହରର ମୁଖ୍ୟରାସ୍ତାଠାରୁ ନେଇ ଗଳିକନ୍ଦି ଯାଏ ଲିଚୁର ବଜାର ଖୋଲିଛି। ତେବେ ଏଠାରେ ବିକ୍ରି ହେଉଥିବା ଲିଚୁ କେତେ ସୁରକ୍ଷିତ ତାହାକୁ ନେଇ ତନାଘନା ଆରମ୍ଭ ହୋଇଛି। ଲିଚୁ ଲାଲ ଦେଖାଯିବା ପାଇଁ ଓ ଏହାକୁ ପଚାଇବା ପାଇଁ କେମିକାଲ୍‌ ବ୍ୟବହାର ହେଉଥିବାର ଅଭିଯୋଗ ଆସିଛି। ଏହି ଅଭିଯୋଗ ପହଞ୍ଚିବାପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ରସୁଲଗଡ଼, ଜାଗମରା, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ସ୍ୱାସ୍ଥ୍ୟ ବିଭାଗ ନମୁନା ସଂଗ୍ରହକରି ପରୀକ୍ଷା ପାଇଁ ପଠାଇଛି। ପରୀକ୍ଷା ପରେ ସ୍ପଷ୍ଟହେବ ଲିଚୁକୁ ପଚାଇବା ପାଇଁ କେଉଁ ସାମଗ୍ରୀ ବ୍ୟବସାୟୀମାନେ ବ୍ୟବହାର କରୁଛନ୍ତି। ଯଦି ପରୀକ୍ଷାରେ କେମିକାଲ ମିଶିଥିବା ନେଇ କୌଣସି ପ୍ରମାଣ ମିଳେ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ବ୍ୟବସାୟୀମାନେ ଏପରି ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

Advertisment

ଅଶୋକ ନଗରରେ ଥିବା ମା’ ଲକ୍ଷ୍ମୀ ଫ୍ରୁଟ୍‌ କମ୍ପାନୀର ବ୍ୟବସାୟୀ ରବିନ୍ଦ୍ର କୁମାର ପାତ୍ର କହିଛନ୍ତି, ‘‘ଲିଚୁରେ କୌଣସି ପ୍ରକାର ରଙ୍ଗ ମିଶା ଯାଉନି। ସରକାରଙ୍କ ନିୟମ ଯେବେଠାରୁ ଲାଗୁ ହେଲାଣି, ସେହିଦିନଠାରୁ ଆମେ ରଙ୍ଗ କୌଣସି ଫଳରେ ମିଶାଉ ନାହୁଁ। ତେଣୁ ବାହାରେ କିଏ ମିଛରେ ଅପପ୍ରଚାର କରୁଥିବ।’’ ସେହିପରି ପ୍ରଦର୍ଶନୀ ପଡ଼ିଆ ପାାଖରେ ଲିଚୁ ବିକ୍ରି କରୁଥିବା ଜ‌ଣେ ଫଳ ବ୍ୟବସାୟୀ ଅରବିନ୍ଦ ମୁଦୁଲି କୁହନ୍ତି, ‘‘ବିହାରରୁ ଏହି ଲିଚୁ ଆସୁଛି। ଏହା କଞ୍ଚା ଦେଖାଗଲେ ମଧ୍ୟ ତାହା ପାଟିକୁ ମିଠା ଲାଗୁଛି। ଲୋକ ବି ଖୁବ୍‌ ପସନ୍ଦ କରୁଛନ୍ତି। ତେବେ ରଙ୍ଗ ଏଥିରେ ମିଶା ହେଉନି। ଲିଚୁ ଗଛରେ ଥିବା ସମୟରେ ଲାଲ୍‌ ଦେଖାଗଲେ ହିଁ ତୋଳାଯାଏ।’’ ଆଉ ଜଣେ ଏକନମ୍ବର ହାଟରେ ଥିବା ଲିଚୁ ବ୍ୟସାୟୀ ଶଙ୍କର ଦାସ କହନ୍ତି, ‘‘ଲୋକେ ଲାଲ୍‌ଲିଚୁକୁ ନେବାକୁ ପସନ୍ଦ କରନ୍ତି। ଯାହାଠାରୁ ଲିଚୁ ଆଣୁଛୁ, ସେ ଯଦି ମିଶାଉ ଥିବ ଆମେ କଣ କରିପାରିବୁ? କିନ୍ତୁ ଆମେ ଲିଚୁରେ ରଙ୍ଗ ମିଶଉନୁ।’’

ସୂଚନାଯୋଗ୍ୟ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରୁ ଲିଚୁ ରାଜଧାନୀକୁ ଆସୁଛି। କିନ୍ତୁ ଅନ୍ୟ ରାଜ୍ୟରୁ ବେଶୀ ଆସୁଛି। ବିଶେଷତଃ ପଶ୍ଚିମବଙ୍ଗ, ମୁମ୍ବାଇ ଓ ବିହାରରୁ ଅଧିକ ପରିମାଣରେ ଲିଚୁ ଆସିଥାଏ ବୋଲି ବ୍ୟବସାୟୀ ଆଲୋକ ମାଝୀ କହିଛନ୍ତି। ଏବେ ରଜ ଓ ସାବିତ୍ରୀ ଥିବାରୁ ମାର୍କେଟରେ ଲିଚୁର ପସରା ମେଲିଛି। ବିଶେଷତଃ ଲିଚୁ ବେପାରୀମାନେ କଳ୍ପନାରେ ଥିବା ଫଳ ଗୋଦାମ ଓ ଆଶୋକନଗରରେ ଥିବା ଫଳଗୋଦାମରୁ ଲିଚୁ ଆଣି ବିକ୍ରି କରିଥାନ୍ତି। ଏକନମ୍ବର ହାଟ, ରାମମନ୍ଦିର ଛକ, ରାଜମହଲରୁ କଳ୍ପନା ଛକ ଆଦି ଅଞ୍ଚଳରେ ଥିବା ଫଳ ବଜାରରେ ଏବେ ଗଦାଗଦା ଲିଚୁ ଦେଖିବାକୁ ମିଳୁଛି। କଳ୍ପନା ଛକରେ ଥିବା ଜୟଶ୍ରୀ ଫଳ ଗୋଦାମର ମାଲିକ ଅନନ୍ତ ସାହୁ କହିଛନ୍ତି, ‘‘ଦିନକୁ ଏବେ ୧୦୦ ଟନ୍‌ ଲିଚୁ ବିକ୍ରି ହେଉଛି।’’