ଭୁବନେଶ୍ବର: ଡୁମୁଡୁମା ନିକଟସ୍ଥ ରେହମତ୍ ନଗର କବାଡ଼ିଖାନାରେ ଶତାଧିକ ମୋ ସାଇକେଲ୍କୁ କଟା ହେଉଥିବାର ଖବର ଓ ଫଟୋ ‘ସମ୍ବାଦ’ରେ ପ୍ରକାଶ ପାଇଲା। କବାଡ଼ିଖାନାରେ ସାଇକେଲ୍ ଗଦା ହୋଇଥିବାର ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେଲା। ଏପରିକି ୩୦୦ ‘ମୋ ସାଇକେଲ୍’ ଚୋରି ହୋଇଥିବା ନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍ସିଏଲ୍) ପକ୍ଷରୁ ସହିଦ ନଗର ଥାନାରେ ଏଫ୍ଆଇଆର୍ ମଧ୍ୟ ହେଲା। କେବଳ ଏତିକି ନୁହେଁ ଆଇନଜୀବୀ ଜୟନ୍ତ କୁମାର ଜେନା ବି ଏନେଇ ହାଇକୋର୍ଟରେ ଏକ ମାମଲା ଦାୟର କରି ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରିଛନ୍ତି। କିନ୍ତୁ ଆଜି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୋ ସାଇକେଲ୍ ଚୋରି ହେବା ଓ କବାଡ଼ିଆକୁ ବିକ୍ରି କରାଯିବା ନେଇ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ ବୋଲି କହିଛନ୍ତି। ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀଙ୍କ ଏଭଳି ଉତ୍ତର ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି।
/sambad/media/post_attachments/wp-content/uploads/2021/09/65d4654dag654ag65d4g5d6gdgdadggdgd.jpg)
ଏଠାରେ ପ୍ରଶ୍ନ ଉଠୁଛି ମନ୍ତ୍ରୀ ଶ୍ରୀ ଜେନା ସବୁ ଜାଣି ବି କିପରି ବିଧାନସଭାରେ ଏଭଳି ମିଛ କହିଲେ କେମିତି? ମନ୍ତ୍ରୀ ମିଛ କହିଲେ ନା ବିଏସ୍ସିଏଲ୍ କର୍ତ୍ତୃପକ୍ଷ ମନ୍ତ୍ରୀଙ୍କ ଦ୍ବାରା ମିଛ କୁହାଇଲେ? ଯେଉଁ ମୋ ସାଇକେଲ୍ କିଣିବାଠାରୁ ଆରମ୍ଭ କରି ପରିଚାଳନା ପର୍ଯ୍ୟନ୍ତ ସବୁଠି ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଛି; ସେହି ପ୍ରକଳ୍ପକୁ ନେଇ ବିଭାଗୀୟ ଅଧିକାରୀମାନେ ଏବେ ସବୁ ପ୍ରକାରର ମିଛ କହିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି ତାହା ଆଜି ମନ୍ତ୍ରୀଙ୍କ ଉତ୍ତରରୁ ବାରି ହୋଇପଡ଼ିଛି। ବିଧାୟକ ଶ୍ରୀ ରାଉତରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଭୁବନେଶ୍ବର ସ୍ମାର୍ଟ ସିଟି ମିସନ ଏସ୍ପିଭି ଦ୍ବାରା ୨୦୧୮ ମସିହାରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ମାଧ୍ୟମରେ ତିନିଟି ସଂସ୍ଥାରୁ ଗୋଟା ପିଛା ୨୫ହଜାର ଟଙ୍କା ହିସାବରେ ୨୦୦୦ଟି ସାଇକେଲ୍ କିଣାଯାଇଥିଲା। ସେଥିରୁ ଏବେ ହଜାରେଟି ସାଇକେଲ୍ କାର୍ଯ୍ୟକ୍ଷମ ଅଛି। ଅବଶିଷ୍ଟ ହଜାରେଟି ସାଇକେଲ୍ର ରକ୍ଷଣାବେକ୍ଷଣ ତଥା ମରାମତି ଚାଲିଛି। ଏହା ଜନସାଧାରଣଙ୍କ ଦ୍ବାରା ଆଦୃତ ହୋଇଥିବାରୁ ବିଫଳ ହୋଇନାହିଁ। ମାତ୍ର ଯେଉଁ ମୋ ସାଇକେଲ୍ ଡ୍ରେନ୍ ଭିତରେ, ଅଳିଆ ଗଦାରେ ଗଡ଼ୁଛି, କାଁ ଭାଁ ଲୋକ ସାଇକେଲ୍ ଚଲାଉଛନ୍ତି, ତିନିବର୍ଷ ନପୂରୁଣୁ ହଜାରେ ସାଇକେଲ୍ ଖରାପ ହୋଇଯାଇଛି; ସେହି ପ୍ରକଳ୍ପ କିପରି ସଫଳ ହେଲା ସେନେଇ ବି ପ୍ରଶ୍ନ ଉଠିଛି।
ଥାନାରେ ସାଇକେଲ୍ ଚୋରି ନେଇ ଏତଲା ହୋଇଛି।
ମନ୍ତ୍ରୀ କେମିତି କହିଲେ ଜାଣିନି?
ଅପରପକ୍ଷେ ସାଇକେଲ୍ ରକ୍ଷଣାବେକ୍ଷଣ ବାବଦକୁ କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ଦୁଇଟି ସଂସ୍ଥାକୁ ୫୯ଲକ୍ଷ ଟଙ୍କା ଦେଇଛନ୍ତି। ଏଥିରେ ୟାନା ବାଇସେଇକେଲ୍ ପାଇଁ ଧରଣୀ ଏଣ୍ଟରପ୍ରାଇଜେସ୍କୁ ୨୯.୫୦ଲକ୍ଷ, ୟୁଲୁ ବାଇସାଇକେଲ୍ ପାଇଁ ୟୁଲୁ ବାଇକ୍ସ ପ୍ରାଇଭେଟ୍ ଲିମିଟେଡକୁ ୨୯.୫୦ଲକ୍ଷ ଟଙ୍କା ଦିଆଯାଇଛି। ନଗର ଉନ୍ନୟନ ମନ୍ତ୍ରୀ ବିଧାନସଭାରେ ମୋ ସାଇକେଲ୍ ଚୋରି ହେବା ଓ କବାଡ଼ିଆକୁ ବିକ୍ରି କରାଯିବା କଥାକୁ ସିନା ଫାଙ୍କିଦେଲେ; ହେଲେ ୧୨୧ଖଣ୍ଡ ମୋ ବସ୍କୁ ବିକ୍ରି କରିବା କଥା ମାନିଛନ୍ତି। ବିଧାୟକ ଗଣେଶ ରାମ୍ସିଂ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ୨୦୧୦ ମସିହାରେ ଜେଏନ୍ଏନ୍ୟୁଆର୍ଏମ୍ ଯୋଜନାରେ ସମୁଦାୟ ୧୨୫ଟି ବସ୍ ମୋଟ ୧୬୯୯.୫୦ଲକ୍ଷ ବ୍ୟୟରେ କିଣାଯାଇ ପିପିପି ମୋଡ୍ରେ ଡ୍ରିମ୍ ଟିମ୍ ସାହାରା ଦ୍ବାରା ଚଳାଚଳ କରୁଥିଲା। ୧୨୧ଟି ବସ୍ର ଉଦ୍ଦିଷ୍ଟ ସମୟସୀମା ଶେଷ ହେବା ପରେ ଏହାକୁ ନଷ୍ଟ କରି ନିୟମ ଅନୁସାରେ ନିଲାମ ପ୍ରକ୍ରିୟାରେ ବିକ୍ରି କରାଯାଇଛି। ଏହାବାଦ୍ ୪ଟି ବସ୍କୁ ଟଏଲେଟ୍ ଅନ୍ ହୁଇଲ୍ ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ରଖାଯାଇଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/65f4h654sf65h4sf65hsfhfshfshfhf.jpg)