ଚନ୍ଦ୍ରଶେଖରପୁର : ମଧ୍ୟଭାରତ ଜବଲପୁର କ୍ୟାଣ୍ଟନ୍ ମେଣ୍ଟର କମାଣ୍ଡିଙ୍ଗ୍ ଲିଟ୍ୟୁନାଣ୍ଟ ଜେନେରାଲ ଏସ୍.ମୋହନ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପାଇଁ ଭୁବନେଶ୍ବରସ୍ଥିତ ସୈନିକ ସ୍କୁଲ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ୍ ଏସ୍. ଡୋମିନିକ୍ ରାୟନ୍, କମାଣ୍ଡର ପ୍ରୀତିକା ଶର୍ମା ଏବଂ ବରି ଅଧ୍ୟାପକ ବିଘ୍ନରାଜ ପ୍ରଧାନ ତାଙ୍କୁ ସ୍ୱାଗତ କରିଥିଲେ। ଲିଟ୍ୟୁନାଣ୍ଟ ଜେନେରାଲ ଏସ୍.ମୋହନ ବିଦ୍ୟାଳୟ ପରିସରରେ ଥିବା ସହିଦ ସ୍ମୃତିସ୍ତମ୍ଭ ଏବଂ କ୍ୟାଡେଟ୍ମାନଙ୍କର କେତୋଟି ମୁଖ୍ୟ ଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ପରେ ବିବେକାନନ୍ଦ ଅଡିଟୋରିୟମରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ କ୍ୟାଡେଟ୍ମାନଙ୍କୁ ଉଦ୍ବୋଧନ ଦେଇଥିଲେ। ସୈନିକ ସ୍କୁଲରେ ଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗକୁ ସେମାନେ ସୁବିନିଯୋଗ କରି ନିଜର ସାମଗ୍ରିକ ବିକାଶ ଘଟାଇବା ସହ ଦେଶର ପ୍ରତିରକ୍ଷା ବାହିନୀରେ ଯୋଗଦେବା ପାଇଁ ସଂକଳ୍ପ ରଖିବା ଆବଶ୍ୟକ ବୋଲି ସେ କହିଥିଲେ।
ଏହି ଅବସରରେ ସେ ଆହୁରି କହିଥିଲେ ଯେ ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ସେନା ଯେଉଁ ପରାକ୍ରମ ଓ ବୀରତ୍ୱର ସହ ଲଢ଼ି ଯୁଦ୍ଧରେ ବିଜୟଲାଭ କରିଥିଲା, ତାହାର ୫୦ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ସେନା ପକ୍ଷରୁ ନୂଆଦିଲ୍ଲୀରୁ ଏକ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’ ବାହାରି ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଭାରତୀୟ ସେନା ସହ ଜଡ଼ିତ ସ୍ଥାନ ପରିକ୍ରମା କରିବ। ଆସନ୍ତା ଅକ୍ଟୋବର ୨୦ ତାରିଖ ଦିନ ଏହା ଭୁବନେଶ୍ୱରରେ ପହଞ୍ଚିବ। ତେଣୁ ରାଜ୍ୟବାସୀ ବିଜୟର ଏହି ମଶାଲକୁ ଭୁବନେଶ୍ୱର ସୈନିକ ସ୍କୁଲ ତଥା ରାଜ୍ୟର ଅନ୍ୟ ସ୍ଥାନ ଚିଲିକା ଆଇଏନଏସ୍ ଓ ଚାନ୍ଦିପୁର ଡିଆରଡିଓ ପରିକ୍ରମା ସମୟରେ ବେଶ୍ ଉତ୍ସାହ ସହିତ ସ୍ୱାଗତ କରିବେ ବୋଲି ଲିଟ୍ୟୁନାଣ୍ଟ ଜେନେରାଲ ଓଡ଼ିଶାବାସୀଙ୍କ ନିକଟରେ ଆଗ୍ରହ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Lt.-Gen.-S.-MohanSMVSM-General-Officer-Commanding-Headquarters-Madhya-Bharat-Area-paid-a-courtesy-call-to-Honble-Governor-Prof-Ganeshi-Lal-at-Rajbhawan-3.jpg)