ଅଜିତ ଦାସ ଓ ଜୟୀଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’

‘ଦ୍ବିତୀୟ ଓଲିଉଡ୍ ସିନେ ପୁରସ୍କାର’, ‘ଚକ୍ଷୁବନ୍ଧନ’ ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ବର: ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ…, ‌ଶେଷ ଶ୍ରାବଣ ପୁରୁବା ଫଗୁଣ…, ଚନ୍ଦ୍ରମଲ୍ଲୀ ହସେ…, ମୟୂରୀ ଗୋ ତୁମ ଆକାଶେ ମୁଁ…, ସୁନାର ଚଢ଼େଇ ଉଡ଼ି ଉଡ଼ି ଆସେ… ଭଳି ମନଛୁଆଁ ଚିରସବୁଜ ଓଡ଼ିଆ ଗୀତ‌ ଦର୍ଶକଙ୍କୁ ସେଇ ପୁରୁଣା ସ୍ମୃ୍ତି ତାଜା କରି ଦେଉଥିଲା। ତା’ ସାଙ୍ଗକୁ ବଲିଉଡ୍‌ର ଧୁମ୍‌ଧଡ଼କା ଗୀତ ଦର୍ଶକଙ୍କ ପାଦକୁ ଅଥୟ କରି ପକାଉଥିଲା। ମଞ୍ଚ ଉପରେ କଳାକାରଙ୍କ ପାଦ ସହ ପାଦ ମିଳାଇ ଦର୍ଶକ ବି ନାଚିଥିଲେ। ଅବସର ଥିଲା, ରିଲସ୍‌ ଆଣ୍ଡ ରିଲସ୍‌ ଅନୁଷ୍ଠାନ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ‘ଦ୍ବିତୀୟ ଓଲିଉଡ୍ ସିନେ ପୁରସ୍କାର’ କାର୍ଯ୍ୟକ୍ରମର। ପୂରା ପ୍ରେକ୍ଷାଳୟ ଦର୍ଶକରେ ଭରି ଯାଇଥିବା ବେଳେ ନାଚଗୀତରେ ଦର୍ଶକ ମତୁଆଲା ହୋଇଉଠୁଥିଲେ।

ନାଚ, ଗୀତରେ ଦୁଲୁକିଲା ମଞ୍ଚ, ମତୁଆଲା ହେଲେ ଦର୍ଶକ

ଓଲିଉଡ୍‌ କଳାକାରଙ୍କ ଉତ୍ସାହ ବୃଦ୍ଧି ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇପିଏସ୍‌ ଅରୁଣ ବୋଥ୍ରା, ‘କାଦମ୍ବିନୀ’ର ସମ୍ପାଦିକା ଇତିରାଣୀ ସାମନ୍ତ, ଏସ୍‌ସିବି ମେଡିକାଲ କ‌ଲେଜ ଡାକ୍ତର ଜୟନ୍ତ ପଣ୍ଡା, କଳିଙ୍ଗ ଟିଭିର ସିଏମ୍‌ଡି ହିମାଂଶୁ ଖଟୁଆ, ଅଭିନେତା ଆକାଶ ଦା‌ସନାୟକ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ, ମେଗା ବିଲ୍ଡର୍ସର ପ୍ରତିଷ୍ଠାତା ସୂର୍ଯ୍ୟକାନ୍ତ ବେହେରା ଓ ଆରଆର ଇଭେଣ୍ଟ୍‌ର ରମେଶ ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରିଲସ୍ ଆଣ୍ଡ୍ ରିଲସ୍‌ର ସଂସ୍ଥାପକ ସ୍ଥିତ ପଟ୍ଟନାୟକ କାର୍ଯ୍ୟକ୍ରମରେ ପୌ‌ରୋହିତ୍ୟ କରିଥିଲେ।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ହାସ୍ୟାଭିନେତା ଜୟୀରାମ ସାମଲଙ୍କୁ ଓ ଦିବଙ୍ଗତ ଅଭିନେତା ଅଜିତ ଦାସଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିପରି ଅଭିନେତା ଜ୍ୟୋତି ରଂଜନ ନାୟକଙ୍କୁ ‘ବିଜୟ ମହାନ୍ତି ସମ୍ମାନ’, ଅମ୍ଳାନ ଦାସଙ୍କୁ ‘ଅଜିତ ଦାସ ସମ୍ମାନ’, ଅଭିନେତ୍ରୀ ଶୀତଲ ପାତ୍ରଙ୍କୁ ‘ସୁଜାତା ଆନନ୍ଦ ସମ୍ମାନ’, ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ‘ବସନ୍ତ ନାୟକ ସମ୍ମାନ’ ଓ ଦିବ୍ୟା ମହାନ୍ତିଙ୍କୁ ‘ଗୀତା ଦତ୍ତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଚୟନ କରାଯାଇଥିବା ଜୁରିଙ୍କ ପକ୍ଷରୁ ହର ରଥଙ୍କୁ ଶ୍ରେଷ୍ଠ ଅଭିନେତା, ଅନନ୍ୟା ମିଶ୍ରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ସ୍ନେହାଶିଷ୍‌ ଦାଶଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଥିଲା।

ସିଦ୍ଧାନ୍ତ ମହାପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା, ଭୂମିକାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ‘ଚକ୍ଷୁବନ୍ଧନ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଥିଲା। ଚଳଚ୍ଚିତ୍ର ‘ଚରିତ୍ର’କୁ ଶ୍ରେଷ୍ଠ ଜୁରି ସଦସ୍ୟମାନଙ୍କ ପକ୍ଷରୁ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଥିଲା।

‌ସେହିପରି ପପୁ ପମ୍‌ପମ୍‌ଙ୍କୁ ଶ୍ରେଷ୍ଠ ହାସ୍ୟାଭିନେତା, ପିଣ୍ଟୁ ନନ୍ଦଙ୍କୁ ଶ୍ରେଷ୍ଠ ନକାରାତ୍ମକ ଚରିତ୍ର ପାଇଁ, ପ୍ରସିଦ୍ଧିଙ୍କୁ ଶ୍ରେଷ୍ଠ ଶିଶୁ କଳାକାର, ପରବ୍ରହ୍ମ ତ୍ରିପାଠୀଙ୍କୁ ଶ୍ରେଷ୍ଠ ଗୀତିକାର ଭାବେ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ପ୍ଲେ-ବ୍ୟାକ୍‌ ସିଙ୍ଗର (ପୁରୁଷ ବର୍ଗ) କୁଳଦୀପ ପଟ୍ଟନାୟକଙ୍କୁ ଓ (ମହିଳା ବର୍ଗ) ସୋହିନୀ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ଶ୍ରୀକାନ୍ତ ପଣ୍ଡା, ଶ୍ରେଷ୍ଠ ବ୍ୟାକ୍‌ ଗ୍ରାଉଣ୍ଡ ମ୍ୟୁଜିକ୍‌ (ବିଜିଏମ୍‌) ପାଇଁ ସରୋଜଙ୍କୁ ସମ୍ମାନିତ କରାଯାଇଥିଲା। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଅଭିନେତା ସୁମିତ୍‌ ପାଇକରାୟ ଓ ଦାମିନୀ ମଞ୍ଚ ପରିଚାଳନା କରିଥିଲେ। ସିନେ ସାମ୍ବାଦିକ ସମୀର ରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ। ଏଥିରେ ଓଡ଼ିଆ ସିନେଜଗତର ବହୁ କଳାକାର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର