ଭୁବନେଶ୍ୱର: ସାହିତ୍ୟିକର ଜୀବନ ଓ ସାହିତ୍ୟ ସମାନ୍ତରାଳ ଭାବେ ଗତି କରିଥାଏ। ସରଳତା ଓ ସଂକ୍ଷିପ୍ତତା ହିଁ ଗଳ୍ପକାରିତାର ମୂଳକଥା ବୋଲି କହିଛନ୍ତି କଥାଶିଳ୍ପୀ କୃପାସାଗର ସାହୁ। ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଜୟଦେବ ଭବନରେ ଅନୁଷ୍ଠିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସାହୁ ତାଙ୍କର ଗାଳ୍ପିକ ଜୀବନର ଉପଲବ୍ଧି, ଗଳ୍ପର ଉପାଦାନ ଏବଂ ଗଳ୍ପକାରିତାର ବିବିଧ ପ୍ରୟୋଗ ସମ୍ପର୍କରେ ଆଲୋକପାତ କରିବା ସହ ସ୍ୱରଚିତ ରେଳ ଗଳ୍ପ, ଶିଶୁ ଓ ମାନବେତର ଚରିତ୍ରଗୁଡ଼ିକର ଗଳ୍ପକୁ ପଢ଼ି ଶୁଣାଇଥିଲେ।

Advertisment

‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମ

କବି ବିଭୂତି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଭାସ ବରାଳ, ବାସନ୍ତୀ ମହାନ୍ତି, ନନ୍ଦକିଶୋର ବିଶ୍ୱାଳ, ପବିତ୍ର ମୋହନ କର, ରକ୍ଷକ ନାୟକ ଓ ଯଶୋବନ୍ତ ସେଠୀ ପ୍ରମୁଖ କଥାଶିଳ୍ପୀଙ୍କୁ ନିଜ ନିଜର ପ୍ରଶ୍ନ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ପରିଚାଳନା କରିଥିବା ବେଳେ ସଭାର ଦ୍ୱିତୀୟ ପର୍ଯ୍ୟାୟକୁ ଅଭୟ ନାରାୟଣ ନାୟକ ଓ ବିଜନବାଳା ପାଟ୍ଟଯୋଶୀ ସଂଯୋଜନା କରିଥିଲେ। ଏଥିରେ ଅଶୋକ କୁମାର ସିଂହ, ପୀତାମ୍ବର ଭୋଇ, ଚିନ୍ମୟ ଆଚାର୍ଯ୍ୟ, ଶୈଳେନ୍ଦ୍ର ଜେନା, ବିରଞ୍ଚି ଶତପଥୀ, ସବିତା ଶତପଥୀ, ବିଧୁଭୂଷଣ ତ୍ରିପାଠୀ, ରଶ୍ମି ସାମଲ, ଶଶାଙ୍କ ପ୍ରିୟସଖା, ଦିଲ୍ଲୀପ କୁମାର ସାହାଣୀ, ବିନୋଦିନୀ ପାତ୍ର, ମାନିନୀ ଜେନା, ବିଜୟ କୁମାର ସାମଲ, ନମିତା ପାଇକରାୟ, କବିତା ପ୍ରତିହାରୀ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଶାକ୍ୟସିଂହ ମହାପାତ୍ର ଧନ୍ୟବାଦ ଦେଇଥିଲେ।