ସୁନ୍ଦର ତଥା ଆକର୍ଷଣୀୟ ନଖ ନାରୀ ସୌନ୍ଦର୍ଯ୍ୟର ଅନ୍ୟତମ ଉପାଦାନ। ନଖକୁ କୃତ୍ରିମ ଉପାୟରେ ଆକର୍ଷଣୀୟ କରିବା ବହୁ ପ୍ରାଚୀନ କାଳରୁ ରହିଆସିଛି। ରାଜା, ଜମିଦାର ଭଳି ସମ୍ଭ୍ରାନ୍ତ ଶ୍ରେଣୀୟ ମହିଳାମାନେ ସବୁବେଳେ ଏଥିପ୍ରତି ଯତ୍ନବାନ ଥାଆନ୍ତି। ସେହିଭଳି ଗ୍ଲାମର ଦୁନିଆରେ ବି ସୁନ୍ଦର ନଖ ରଖିବାର ପ୍ରଥା ପୁରୁଣା। କିନ୍ତୁ ଏବେ ସମୟ ବଦଳିଛି। ସମ୍ଭ୍ରାନ୍ତ ମହିଳାଙ୍କ ସୀମା ସରହଦ ଡେଇଁ ସୁନ୍ଦର ନଖର ମାୟା ଏବେ ସମାଜର ମଧ୍ୟବିତ୍ତ ବର୍ଗର ମହିଳାଙ୍କ ନିକଟତ୍ତର ହୋଇଛି। ଛୋଟ, ଚେପ୍ଟା ଓ ସାଧା ନଖ ଏବେ ମହିଳାଙ୍କର ପସନ୍ଦ ନୁହେଁ। ଗୋଟିଏ ରଙ୍ଗର ନେଲ୍ପେଣ୍ଟ୍ ଲଗାଇବା ବି ଏବେ ପୁରୁଣା ହେଲାଣି।
କର୍ପୋରେଟ ହାଉସ୍ ହେଉ ବା ବିବାହ ପାର୍ଟି, କଲେଜ ପଢ଼ୁଆ ଝିଅ ହୁଅନ୍ତୁ ଅବା ଗୃହିଣୀ... ସମସ୍ତଙ୍କୁ ଏବେ ନଖ ବଢ଼ାଇବା, ଏହାକୁ ଏକ ସୁନ୍ଦର ଆକାର ଦେବା ଓ ନଖରେ ଗୋଟିଏ ରଙ୍ଗର ନେଲ୍ପଲିସ୍ ନୁହେଁ, ଭିନ୍ନ ଭିନ୍ନ ଚିତ୍ର ଆଙ୍କିବାର ନିଶା ଘାରିଛି। ପୁଣି ଏହାଠୁ ବହୁ ଆଗକୁ ଯାଇ ନିଜ ଛୋଟ, ଚେପଟା ନଖକୁ ବଡ଼ କରି ବିଭିନ୍ନ ଆକାର ଦେଉଛନ୍ତି ସହରୀ ମହିଳା। ଏହାକୁ ‘ନେଲ୍ ଏକ୍ସଟେନ୍ସନ୍’ କୁହାଯାଏ। ବିବାହ, ଭୋଜି ବା ପାର୍ଟି ହେଲେ କିଏ ବିୟୁଟି ପାର୍ଲର ଯାଇ ନିଜ ନଖକୁ ସାମୟିକ ଭାବେ ଏକ୍ସଟେନ୍ସନ୍ (ଟେମ୍ପୋରାରି ନେଲ୍ ଏକ୍ସଟେନ୍ସନ୍) କରାଉଛି ତ’ ପୁଣି କିଏ ସବୁ ଦିନ ପାଇଁ ଏକ୍ସଟେନ୍ସନ୍ (ପର୍ମାନେଣ୍ଟ୍ ନେଲ୍ ଏକ୍ସଟେନ୍ସନ୍) କରାଉଛି। ବର୍ତ୍ତମାନ ମହିଳାମାନଙ୍କ ମଧ୍ୟରେ ପର୍ମାନେଣ୍ଟ୍ ନେଲ୍ ଏକ୍ସଟେନ୍ସନ୍ ଅଧିକ ଚାଲିଛି। ଏଥିପାଇଁ ବେଶ୍ କିଛି ଖର୍ଚ୍ଚ କରିବାକୁ ପଡ଼ୁଥିଲେ ବି ମହିଳାମାନେ ନଖକୁ ଆକୃତି ଦେବାରେ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ନଖକୁ ନେଇ ସହର ଓ ନଗରର ନାରୀମାନଙ୍କ ଏହି ନିଶାକୁ ନେଇ ଚଳିତ ଥରର ଉପସ୍ଥାପନା...
ପର୍ମାନେଣ୍ଟ୍ ନେଲ୍ ଏକ୍ସଟେନ୍ସନ୍ ପାଇଁ ୩ ହଜାର
ଊନବିଂଶ ଶତାବ୍ଦୀରେ ଗ୍ରୀସ୍ର ସମ୍ଭ୍ରାନ୍ତ ଶ୍ରେଣୀର ମହିଳାମାନେ ପିସ୍ତା ବାଦାମ୍ର ଖୋଳକୁ ନଖରେ ଲଗାଇ ଏହାକୁ ବିଭିନ୍ନ ରଙ୍ଗରେ ରଙ୍ଗିନ କରି ନଖର ସୌନ୍ଦର୍ଯ୍ୟ ବଢ଼ାଉଥିଲେ। ପରେ ପରେ ଇଜିପ୍ଟର ମହିଳାମାନେ ମଧ୍ୟ ହାତୀ ଦାନ୍ତ ଓ ସୁନା ତିଆରି କୃତ୍ରିମ ନଖ ଲଗାଉଥିବା ନେଇ ଇତିହାସରେ ବର୍ଣ୍ଣନା ରହିଛି। ଏବେ ଯୁଗ ବଦଳିଛି। ବିୟୁଟି ଇଣ୍ଡଷ୍ଟ୍ରି ଅଧିକ ବିକାଶ କରିବା ସହ ଛୋଟ ଓ ଭଙ୍ଗା ନଖର ସମାଧାନ ସ୍ବରୂପ ପର୍ମାନେଣ୍ଟ୍ ନେଲ୍ ଏକ୍ସଟେନ୍ସନ୍ ଜରିଆରେ ନେଇ ଆସିଛି ଏହାର ସ୍ଥାୟୀ ସମାଧାନ। ଗତ ୨୦ ବର୍ଷ ହେଲା ଏହି ନେଲ୍ ଏକ୍ସଟେନ୍ସନ୍, ଗ୍ଲାମର୍ ଦୁନିଆରେ ବେଶ୍ ପ୍ରଚଳିତ ଥିବା ବେଳେ ଏବେ ସହରୀ ମହିଳାଙ୍କ ମଧ୍ୟରେ ଏହା ଅଧିକ ଲୋକପ୍ରିୟ ହୋଇପାରିଛି। ପର୍ମାନେଣ୍ଟ୍ ନେଲ୍ ଏକ୍ସଟେନ୍ସନ୍ ଓ ଆର୍ଟ ପାଇଁ ପାର୍ଲରଗୁଡ଼ିକ ୩ ହଜାର ଟଙ୍କା ନେଉଥିବା ବେଳେ ପ୍ରତି ମାସରେ ବଢ଼ୁଥିବା ନଖକୁ ମୂଳରୁ ଫିଲ୍-ଅପ୍ ବା ଟଚ୍-ଅପ୍ ପାଇଁ ୭୦୦ରୁ ୧୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ରସୁଲଗଡ଼ସ୍ଥିତ ହେୟାର ହ୍ୟାକର୍ର ସତ୍ତ୍ବାଧିକାରୀ ଜିତେନ୍ଦ୍ର ଠାକୁର କହିଛନ୍ତି।
ଝିଅଙ୍କୁ ଅଧିକ ପସନ୍ଦ ‘ଆଲ୍ମଣ୍ଡ’ନଖ
କାହିଁ କେଉଁ କାଳରୁ ନଖକୁ ନେଇ ମହିଳାମାନେ ସଚେତନ। ଏହାର ଆକାର ମହିଳାଙ୍କ ମଧ୍ୟରେ ବେଶ୍ ଗୁରୁତ୍ବ ରଖେ। ମହିଳାମାନଙ୍କ ସବୁବେଳେ ଗୋଲ୍ ଆକାରର ନଖ ପସନ୍ଦରେ ରହିଥିବା ବେଳେ ଏବେ ଅଣ୍ଡାକାର, ଆଲ୍ମଣ୍ଡ୍, ବର୍ଗାକାର, ବର୍ଗ-ଅଣ୍ଡାକାର(ସ୍କ୍ବାଭାଲ), କଫିନ୍ ଓ ଷ୍ଟେଲିଟୋ(ଗୋଜିଆ) ଆଦି ଆକୃତିର ନଖ ଏବେ ମହିଳାମାନେ ନିଜ ପସନ୍ଦ ମୁତାକବ ନିଜ ପାଇଁ ବାଛି ନିଅନ୍ତି। ତେବେ କର୍ମଜୀବୀ, ଗୃହିଣୀ ଓ କଲେଜ ପଢ଼ୁଆ ଝିଅଙ୍କ ମଧ୍ୟରେ ଆଲ୍ମଣ୍ଡ୍ ଆକୃତିର ନଖର ଅଧିକ ଆଦର ରହିଥିବା ବେଳେ ଗ୍ଲାମର୍ ଦୁନିଆର ମହିଳାଙ୍କ ପସନ୍ଦ ଓ ଚାହିଦାରେ ରହିଛି କଫିନ୍ ଓ ଷ୍ଟେଲିଟୋ ଆକୃତି ନଖ।
ଷ୍ଟୋନ୍, ମାଳି, କୁନ୍ଦନରେ ସଜା ହେଉଛି
ଆକୃତି ପରେ ନଖର ରଙ୍ଗ ଓ ଡିଜାଇନ୍ ମହିଳାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଏଣୁ ନଖରେ ବିଭିନ୍ନ ରଙ୍ଗର ନେଲ୍ପଲିସ୍ ଲଗାଇବା ସହ ଏହା ଉପରେ ଫୁଲ, ବିନ୍ଦୁ ଓ ବିଭିନ୍ନ ଚିତ୍ର ଆଙ୍କବାକୁ ମହିଳାମାନେ ପସନ୍ଦ କରନ୍ତି। ଏଥିସହ ଦୁଇ, ତିନି ପ୍ରକାର ରଙ୍ଗର ନେଲ୍ପଲିସ୍କୁ ସ୍ତର ସ୍ତର କରି ଲଗାଇବାକକୁ ବି ମହିଳାମାନେ ପସନ୍ଦ କରନ୍ତି। ଖାଲି ସେତିକି ନୁହେଁ, ବିଭିନ୍ନ ପାର୍ଟି ପାଇଁ ନଖରେ ଷ୍ଟୋନ୍, ଚୁମ୍କି ବିଭିନ୍ନ ମାଳି ସହ ଛୋଟ ଛୋଟ କୁନ୍ଦନ ଲଗାଇ ମଧ୍ୟ ମହିଳାମାନେ ନଖକୁ ସଜାନ୍ତି। ନେଲ୍ ଏକ୍ସଟେନ୍ସନ୍ ସମୟରେ ମହିଳାମାନେ ନଖରେ ପର୍ମାନେଣ୍ଟ୍ ଆର୍ଟ କରିବାର ସୁଯୋଗ ରହିଛି। କିନ୍ତୁ ମହିଳାମାନେ ଏକ୍ସଟେନ୍ସନ୍ କରାଇବା ସମୟରେ ପର୍ମାନେଣ୍ଟ୍ ଆର୍ଟ କରିବା ଅପେକ୍ଷା ସାଧା ନଖ ଏକ୍ସଟେନ୍ସନ୍ କରାଇ ନିଜ ଇଚ୍ଛା ମୁତାବକ ଘରେ ଆକୃତି ଓ ଆର୍ଟ(ଚିତ୍ର) କରିବାକୁ ଅଧିକ ପସନ୍ଦ କରନ୍ତି। ତେବେ ଥରେ ଏକ୍ସଟେନ୍ସନ୍ କରିବା ପରେ ପ୍ରତି ମାସରେ ମୂଳରୁ ନଖ ବଢ଼ିଲେ, ଏହାକୁ ପାର୍ଲରରେ ଟଚ୍-ଅପ୍ ଦେବାକୁ ପଡ଼େ। ଏଥିସହ ଏକ୍ସଟେନ୍ସନ୍ ହଟାଇବାକୁ ଚାହିଲେ, ପାର୍ଲର ଯାଇ ହଟାଇବାକୁ ପଡ଼େ ବୋଲି ନେଲ୍ ଆର୍ଟିଷ୍ଟ ମେଘା କୁମାରୀ କହିଛନ୍ତି।
ଟ୍ରେଣ୍ଡ୍ରେ ଆର୍କିଜେଲ୍ ଏକ୍ସଟେନ୍ସନ୍
ରାଜଧାନୀର ବିଭିନ୍ନ ପାର୍ଲରରେ ଭିନ୍ନ ଭିନ୍ନ ପ୍ରକାରର ନେଲ୍ ଏକ୍ସଟେନ୍ସନ୍ ରହିଛି। ଯେମିତିକି ଆର୍କିଲିକ୍, ହାର୍ଡ ଜେଲ୍, ଆର୍କି ଜେଲ୍, ଫ୍ଲେକ୍ସିଟିପ୍ସ୍, ଡିପ୍ ପାଉଡର୍ ଆଦି ନେଲ୍ ଏକ୍ସଟେନ୍ସନ୍।
ଆର୍କିଲିକ୍: ଆର୍କିଲିକ୍ ନେଲ୍ ଏକ୍ସଟେନ୍ସନ୍ ହେଉଛି ବିଟ୍ରେନ୍ର ସର୍ବପୁରାତନ ଓ ଲୋକପ୍ରିୟ ନେଲ୍ ଏକ୍ସଟେନ୍ସନ୍। ଏଥିରେ ଆର୍କିଲିକ୍ ପାଉଡର୍ ଓ ଏକ ତରଳ ପଦାର୍ଥ ମିଶାଯାଏ। ଉଭୟଙ୍କୁ ମିଶାଇ ଏକ ଉତ୍ପାଦ ପ୍ରସ୍ତୁତ କରାଯାଏ, ଏହାକୁ ପ୍ରାକୃତିକ ଉପରେ ଆବରଣ ସଦୃଶ ନେଇ କୃତ୍ରିମ ତଥା ପର୍ମାନେଣ୍ଟ୍ ନଖ ତିଆରିରେ ବ୍ୟବହୃତ ହୋଇଥାଏ। ଏହି ଅବରଣ ଆପେ ଶୁଖିଯାଏ। ଏଥିପାଇଁ କୌଣସି ୟୁଭି ବା ଏଲ୍ଇଡି ରଶ୍ମି ଆବଶ୍ୟକ ହୁଏ ନାହିଁ। ଆକ୍ରିଲିକ୍ ପାଉଡର୍ରେ ବିଭିନ୍ନ ରଙ୍ଗ ମିଶାଇ ନେଲ୍ ଆର୍ଟ ସିଧାସଳଖ କରିହୁଏ। ତେବେ ଏହି ପ୍ରକ୍ରିୟାରେ ବ୍ୟବହୃତ ତରଳ ପଦାର୍ଥର ଗନ୍ଧ ଅତ୍ୟନ୍ତ ଉତ୍କଟ ହୋଇଥିବାରୁ ଉତ୍ତର ବାୟୁ ଚଳାଚଳ ଥିବା ଭଲ ସେଲୁନ୍ରେ ଏହାକୁ କରିବା ଉଚିତ।
ହାର୍ଡଜେଲ୍: ସେହିଭଳି ଅଧିକ ପ୍ରାକୃତିକ ଲୁକ୍ ପାଇଁ ହାର୍ଡଜେଲ୍ ନେଲ୍ ଏକ୍ସଟେନ୍ସନ୍ ବେଶ୍ ଉପଯୋଗୀ। ୟୁରୋପରେ ଏହି ହାର୍ଡଜେଲ୍ ନେଲ୍ ଏକ୍ସଟେନ୍ସନ୍ ଅଧିକ ଲୋକପ୍ରିୟ। ଏହି ଜେଲ୍ର ଏକ ମୋଟା ଆବରଣ ନଖରେ ଦେଇ ଏହାକୁ ୟୁଭି ବା ଏଲ୍ଇଡି ରଶ୍ମି ତଳେ ଶୁଖାଯାଏ। ଆର୍କିଲିକ୍ ତୁଳନାରେ ଏହି ଏକ୍ସଟେନ୍ସନ୍ରେ ତିଆରି ହେଉଥିବା ନଖ ପତଳା ଓ ନରମ। କିନ୍ତୁ ଆକ୍ରିଲିକ୍ ଏକ୍ସଟେନ୍ସନ୍ ଭଳି ଏହି ଉପାୟରେ ନିର୍ମିତ ନଖ ରଙ୍ଗିନ ବି ହୋଇପାରେ। ତେବେ ମହିଳାମାନେ ରଙ୍ଗିନ ନଖ ବଦଳରେ ପ୍ରାକୃତିକ ରଙ୍ଗର ନଖ ନିର୍ମାଣ କରି ଜେଲ୍ ପଲିସ୍ ମାଧ୍ୟମରେ ନଖରେ ଚିତ୍ର ବା ରଙ୍ଗ ଦିଅନ୍ତି।
ଆର୍କିଜେଲ୍: ତେବେ ଆର୍କିଲିକ୍ ଓ ହାର୍ଡଜେଲ୍କୁ ମିଶାଇ ପ୍ରସ୍ତୁତ ଆର୍କିଜେଲ୍ ଏବେ ଟ୍ରେଣ୍ଡ୍ରେ ରହିଛି। ଏହି ନେଲ୍ ଏକ୍ସଟେନ୍ସନ୍ରେ ଆର୍କିଲିକ୍ସ ଓ ହାର୍ଡ ଜେଲ୍ ନେଲ ଏକ୍ସଟେନ୍ସନ୍ର ସବୁ ସୁବିଧା ମିଳିଯାଏ। ପ୍ରାକୃତିକ ନଖକୁ ମଜଭୁତ କରିବା ତଥା ଭଙ୍ଗା ନଖ ଠିକ୍ କରିବା ପାଇଁ ଏହି ଏକ୍ସଟେନ୍ସନ୍ ବ୍ୟବହୃତ ହୋଇପାରେ। କିନ୍ତୁ ଆର୍କିଲିକ୍ ଓ ହାର୍ଡ ଜେଲ୍ ଏକ୍ସଟେନ୍ସନ୍ ଭଳି ଏଥିରେ ବିଭିନ୍ନ ରଙ୍ଗ ଉପଲବ୍ଧ ନଥାଏ। ନଖ ନିର୍ମାଣ ପରେ ମହିଳାମାନେ ଜେଲ୍ପଲିସ୍ ବା ବିଭିନ୍ନ ସାମଗ୍ରୀ ବ୍ୟବହାର କରି ନଖରେ ଆର୍ଟ କରିପାରିବେ।