ରାତି ପାହିବା ବେଳକୁ ବଦଳିଯାଉଛି ରାଜଧାନୀର ଚିତ୍ର। ସହରରୁ ସବୁଜ ରଙ୍ଗ ହଜିଯାଉଛି; ଆଉ ଚାରିଆଡ଼େ ଆପାର୍ଟମେଣ୍ଟ ଅଟ୍ଟାଳିକାମାନ ମୁଣ୍ଡ ଟେକି ସତେ ଅବା ଆକାଶ ଛୁଇଁବାକୁ ଉଦ୍ୟତ ହେଉଛନ୍ତି। ହଁ ସହରର ଏହି ଅବୟବ ପରିବର୍ତ୍ତନ ସହିତ ବଦଳୁଛି ଆଧୁନିକ ଜୀବନଯାପନର ଧାରା ଓ ପରମ୍ପରା। ଭୂଇଁ ଓ ଆକାଶ ମଝିରେ ଝୁଲିରହିଥିବା ଏହି କଂକ୍ରିଟ୍‌ ବସାଗୁଡ଼ିକ ଏବେ ସହରିଆଙ୍କ ସାମାଜିକ ଜୀବନକୁ ନୂଆ ଢଙ୍ଗରେ ପରିଭାଷିତ କରୁଛି। ବ୍ୟକ୍ତିଗତ ସ୍ବାଧୀନତାକୁ ସମ୍ମାନ ଦେଇ ଗୋଷ୍ଠୀବଦ୍ଧ ଜୀବନ ଜିଇଁବାର ଅଭିନବ ଅନୁଭୂତି ଭିତରେ ସମସ୍ତେ ନିଜର ଏକ ସ୍ବତନ୍ତ୍ର କାହାଣୀ ଧରି ଅଗ୍ରସର ହେଉଛନ୍ତି। ଜିମ୍, ସୁଇମିଂ ପୁଲ୍‌, କ୍ଲବହାଉସ୍, ପାର୍କ, ସିକ୍ୟୁରିଟି, ଲିଫ୍‌ଟ, ପାର୍କିଂ, କମ୍ୟୁନିଟି ହଲ୍‌, ସ୍ପା,  ଭଳି ସୁବିଧା ସହିତ ଆହୁରି କେତେ କ’ଣ। ଆପାର୍ଟମେଣ୍ଟଗୁଡ଼ିକ ଏଭଳି ବିଳାସପୂର୍ଣ୍ଣ ଜୀବନଶୈଳୀ ଦେବା‌ରେ ବେସ୍‌ ସକ୍ଷମ। ଯାହାକୁ ପ୍ରତିରୋଧ କରିବା କଷ୍ଟକର। ଅଗଣିତ ସହରିଆ ଆପାର୍ଟମେଣ୍ଟ ଜୀବନଶୈଳୀକୁ କାହିଁକି ଭଲପାଇ ବସୁଛନ୍ତି ତା’ ପଛର କାହାଣୀ ଜାଣିବା ପାଇଁ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା ‘ମଝି ଆକାଶରେ ଜୀବନ’...
ରିପୋର୍ଟ: ହରପ୍ରିୟା ପୃଷ୍ଟି
ଫଟୋ: ନରସିଂହ ପରିଡ଼ା

Advertisment

ଖଣ୍ଡଗିରି: କସ୍‌ମୋପଲିସ୍‌ ଆପାର୍ଟମେଣ୍ଟର ସାଧାରଣ ସମ୍ପାଦକ ସରୋଜ କୁମାର ସାହୁ। ପାୱାର୍‌ ଗ୍ରିଡ୍‌ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡରେ ଚାକିରି କରୁଥିଲେ। ୨୦୨୨ରୁ ଅବସର ଜୀବନ କାଟୁଛନ୍ତି। ବଡ଼ ଝିଅ ବେଙ୍ଗାଲୁରୁରେ, ସାନ ଚଣ୍ଡିଗଡ଼ରେ। ଅବସର ପୂର୍ବରୁ ଶ୍ରୀ ସାହୁ ଓ ସହଧର୍ମିଣୀ ନିଜ ସଂସାରରେ ଏହି ଆପାର୍ଟମେଣ୍ଟକୁ ସାମିଲ କରିଛନ୍ତି। ୨ ପ୍ରାଣୀଙ୍କର ସବୁ ସମୟ ଏହାର ୱାକିଂ ଟ୍ରାକ୍‌, ଯୋଗ କ୍ଲବ୍‌, ବ୍ୟାୟାମ୍‌ କ୍ଲବ୍‌, ପାର୍କ ଓ ମନ୍ଦିରରେ ବିତୁଛି। ତାଙ୍କର ଏହି ଜୀବନକୁ ସହଜ, ସୁନ୍ଦର ଓ ଯୁ‌େଗାପଯୋଗୀ ସୁବିଧା ଦେବାରେ ଅ‌ାପାର୍ଟମେଣ୍ଟ ବି ହେଳା କରିନି।

ସେହିଭଳି ଆପାର୍ଟମେଣ୍ଟର ଆଉ ଜଣେ ବାସିନ୍ଦା ହେଲେ ଚିନ୍ମୟ ହୋତା‌। ଅବସରପରେ ଜଣେ ପ୍ରତିଷ୍ଠିତ ସ୍ତମ୍ଭକାର ହିସାବରେ‌ ନାଁ କରିଛନ୍ତି। ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ଅଧିକରୁ ଅଧିକ ଲେଖିବାକୁ ଆଗ୍ରହ ଯୋଗାଉଛି। ତା’ ସାଙ୍ଗକୁ ଗୋଟିଏ ସ୍ଥାନରେ ସଉଦା ଠାରୁ ଲଣ୍ଡ୍‌ରି ପର୍ଯ୍ୟନ୍ତ ସୁବିଧା ତାଙ୍କ ଦୁନିଆକୁ ଆହୁରି ସହଜ କରି ଦେଉଛି। ଶ୍ରୀ ସାହୁ ଓ ଶ୍ରୀ ହୋତା କେବଳ ଉଦାହରଣ ମାତ୍ର। ଏମିତି ୧୧ଟି ଟାୱାରର ୧୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ୮୩୯ ଫ୍ଲାଟ୍‌ର; ଗୋଟିଏ ଗୋଟିଏ କାହାଣୀ ରହିଛି। ୨ହଜାର ଲୋକ ରହୁଥିବା‌ ଏହି ଆପାର୍ଟମେଣ୍ଟ ଭିତରେ ଏମାନେ ନିଜର ସ୍ବତନ୍ତ୍ର ସହର ଗଢ଼ି ତୋଳିଛନ୍ତି। ରଥଯାତ୍ର‌ା, ହୋଲି, ଦୀପାବଳୀ, ଦଶହରା, ନବରାତ୍ରୀ, ଗଣେଷ ଚତୁର୍ଥୀ, ଖ୍ରୀଷ୍ଟମାସ, ଓନମ୍‌, ମକର ସଂକ୍ରାନ୍ତି, ଇଦ୍‌ଉଲ୍‌ ଫିତର, ବୈଶାଖୀ ଭଳି ୧୨ ମାସରେ ୧୩ ପର୍ବ ଏମାନଙ୍କ ଜୀବନକୁ ରଙ୍ଗୀନ କରୁଛି। 
ଅବସର ବିନୋଦନ ପାଇଁ ଏଠାରେ ଯୋଗ କ୍ଲବ୍‌ ରହିଛି। ସନ୍ତୋଷ କୁମାର ମହାନ୍ତିଙ୍କ ନେତୃତ୍ବରେ ପ୍ରତିଦିନ ୫୦ରୁ ଅଧିକ ବରିଷ୍ଠ ନାଗରିକ ଯୋଗ କରନ୍ତି। ବରିଷ୍ଠ ନାଗରିକ ସଂଘର ସଭାପତି ଅଦ୍ବୈତ ପ୍ରସାଦ ନାୟକ ଓ ସମ୍ପାଦକ ଅଜିତ କୁମାର ଲେଙ୍କା ବରିଷ୍ଠ ନାଗରିକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରନ୍ତି। ସଭାନେତ୍ରୀ ନିଶା ଷଡ଼ଙ୍ଗୀ, ସମ୍ପାଦିକା ତୃପ୍ତିରେଖା ଭଞ୍ଜଦେଓ ଏହାର ଦାୟିତ୍ବ ନେଇଛନ୍ତି। ସେହିଭଳି ଆପାର୍ଟମେଣ୍ଟ କମିଟିର ସଭାପତି ଭାବେ ଈଶ୍ବରଚନ୍ଦ୍ର ଅଗସ୍ତି, ସମ୍ପାଦକ ଭାବେ ସରୋଜ କୁମାର ସାହୁ ଅନ୍ତେବାସୀଙ୍କ ସୁବିଧା ପାଇଁ ଅଛନ୍ତି।

(ଆଲୋଚନାରେ ସାମିଲ ହୋଇଥିଲେ: ସନ୍ତୋଷ କୁମାର ବେହେରା, ଅକ୍ଷୟ କୁମାର ଶତପଥୀ, ନୀଳିମା କର, ପ୍ରମୋଦ କୁମାର ମହାନ୍ତି, ପିତାମ୍ବର ପତି, ସଂଯୁକ୍ତା ମହାନ୍ତି, ଜେ.ଆର୍‌.ପି. ପୃଷ୍ଟି, ପ୍ରଭାତ ପରିଡ଼ା, ପ୍ରଶାନ୍ତ କୁମାର ପଣ୍ଡା, ଅମିତା ସାହୁ, ସଂଯୁକ୍ତା ଷଡ଼ଙ୍ଗୀ, ସିଦ୍ଧାର୍ଥ ଶେଖର ଦାସ, ଅଜିତ କୁମାର ଲେଙ୍କା, ରାଧା ରମଣ ରଥ, ଲଗ୍ନଜିତ ଦାସ, ଧ୍ରୁବଚରଣ ପଣ୍ଡା, କୃତ୍ତିବାସ ସତପଥୀ, ପ୍ରଭାତ କୁମାର ଆଚାର୍ଯ୍ୟ, ଲକ୍ଷ୍ମୀକାନ୍ତ ସତପଥୀ, ସନ୍ତୋଷ କୁମାର ମହାନ୍ତି)

ଶିବରାତ୍ରି, ରଥଯାତ୍ରା ବଡ଼ ପର୍ବ
ଆପାର୍ଟମେଣ୍ଟକୁ କୁନି ଭୁବନେଶ୍ବର କହିଲେ କମ୍‌ ହେବନି। ଜଗନ୍ନାଥ ମନ୍ଦିର, ଓଁକାରେଶ୍ବର ମନ୍ଦିର, ମାଁ ସର୍ବମଙ୍ଗଳା ମନ୍ଦିର, ହନୁମାନ ମନ୍ଦିର ଭଳି ୪ଟି ମନ୍ଦିର ରହିଛି। ମହାଶିବରାତ୍ରିରୁ ମଙ୍ଗଳା ପୂଜା ସମସ୍ତେ ଏକାଠି ପାଳନ୍ତି। ହେଲେ ରଥଯାତ୍ରା ସମୟରେ ପରିବେଶ ସମ୍ପୁର୍ଣ୍ଣ ବଦଳିଯାଏ। ଦିଅଁଙ୍କ ପାଇଁ ତିଆରି ହୁଏ ରଥ। ପୁରୀ ଭଳି ଏଠାରେ ମଧ୍ୟ ଠାକୁରଙ୍କ ଛେରା ପହଁରା ହୁଏ। ରଥ ଟଣାହୁଏ। ଶହ ଶହ ଭକ୍ତ ରଥ ଟାଣନ୍ତି। ପ୍ରସାଦ ଖାଆନ୍ତି।