ଖଣ୍ଡଗିରି: ଏନ୍ଏଚ୍-୧୬ର ପାତ୍ରପଡ଼ା-ଆଇଗିଣିଆ ନିକଟରେ ଲୋକେ ବିପଦସଂକୁଳ ଭାବେ ରାସ୍ତା ପାର ହେଉଥିବା ସବୁଦିନ ଦେଖିବାକୁ ମିଳୁଛି। ବାରମ୍ବାର ଏହି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିଲେ ମଧ୍ୟ ଲୋକେ ଚେତୁନାହାନ୍ତି। ନିକଟରେ ପାତ୍ରପଡ଼ା ଫୁଟ୍ ଓଭର୍ବ୍ରିଜ୍ ଥିଲେ ମଧ୍ୟ ସାମାନ୍ୟ ବାଟ ବୁଲି କରିଯିବାକୁ ଲୋକେ ଉଚିତ ମଣୁନାହାନ୍ତି। ଏନ୍ଏଚ୍ ମେଡିଆନ୍ ଉପରେ ଥିବା ବ୍ୟାରିକେଡ୍କୁ ଡେଇଁ ଚଳପ୍ରଚଳ ହେଉଛନ୍ତି। ଦ୍ରୁତଗତିରେ ଗାଡ଼ିମୋଟର ଯା’ଆସ କରୁଥିବାରୁ ଲୋକେ ରାସ୍ତା ପାର ହେବା ସମୟରେ ଦୁର୍ଘଟଣା ଘଟୁଛି।
ସୂଚନାଯୋଗ୍ୟ ଯେ ଆଇଗିଣିଆ-ପାତ୍ରପଡ଼ା ନିକଟରେ ରାସ୍ତା ପାରିହେବା ପାଇଁ ଆଇଗିଣିଆ ଅଣ୍ଡର୍ପାସ୍ ଓ ଔଷଧୀୟ ଜ୍ଞାନକେନ୍ଦ୍ର ନିକଟରେ ଫୁଟ୍ ଓଭର୍ବ୍ରିଜ୍ ରହିଛି। ତେବେ ଜାତୀୟ ରାଜପଥ କଡ଼ରେ ଥିବା ଫୁଲେଶ୍ବରୀ ବସ୍ତିରୁ ଟ୍ରାଫିକ୍ ଥାନା ଦେଇ ଆସିଥିବା ରାସ୍ତା ନିକଟରେ ରାସ୍ତା ପାରିହେବା ଲାଗି କୌଣସି ସୁବିଧା ନଥିବାରୁ ଲୋକେ ଗଳାବାଟ ଖୋଜୁଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ଏନ୍ଏଚ୍ ମେଡିଆନ୍ ଉପରେ ବ୍ୟାରିକେଡ୍ ରହିଛି। ସ୍ଥାନୀୟ ଭି-୨ ମଲ୍ ସମ୍ମୁଖ ଜାତୀୟ ରାଜପଥରେ ବ୍ୟାରିକେଡ୍ର ଉଚ୍ଚତା କମ୍ ଥିବା ଏବଂ ବ୍ୟାରିକେଡ୍ ଆରମ୍ଭରୁ କିଛି ଖାଲିସ୍ଥାନ ଥିବାରୁ ଲୋକେ ଏହିବାଟ ଦେଇ ରାସ୍ତା ପାରି ହେଉଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ ବସ୍ ଧରିବା ଲାଗି ବିପଜ୍ଜନକ ଭାବେ ଜାତୀୟ ରାଜପଥ ମଝିରେ ଚାଲିଚାଲି ଯାଉଛନ୍ତି। ଏଥିସହ କିଛି ଉଠା ପରିବା ବ୍ୟବସାୟୀ ପରିବା ନେଇ ଯାଉଛନ୍ତି। ରାସ୍ତା ଆରପଟକୁ ଯିବା ଲାଗି ବୁଲାଣି ପଡ଼ୁଥିବାରୁ ଗଳାବାଟେ ରାସ୍ତା ପାରିହେବାକୁ ବାଧ୍ୟ ହେଉଛୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଗତ ରାଖିପୂର୍ଣ୍ଣିମା ଦିନ ଫୁଲେଶ୍ବରୀବସ୍ତିର ମହିଳା ରେବତୀ ରାଉଳ ନିଜ ଦୁଇ ପୁଅଝିଅଙ୍କୁ ଧରି ଏହିସ୍ଥାନରେ ରାସ୍ତା ପାରି ହେଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଥାର୍ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ରେବତୀ ଓ ତାଙ୍କ ଝିଅ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲା ବେଳେ ୨ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/27/fshsfhfhxvbvb-2025-10-27-02-34-12.jpg)