ଭୁବନେଶ୍ବର: କେବଳ ନିଃଶ୍ବାସ ପ୍ରଶ୍ବାସ ନେଇ ବଞ୍ଚିବା ମଣିଷ ଜୀବନର ସଂଜ୍ଞା ନୁହେଁ। ପଶୁ ଯେମିତି ବଞ୍ଚେ, ମଣିଷ ସେମିତି ବଞ୍ଚେ ନାହିଁ। ମଣିଷ ଜୀବନ ସୁଖ ଖୋଜେ, ଆନନ୍ଦ ଖୋଜେ। ଏସବୁ ତାକୁ ଅନ୍ୟ ମଣିଷ ଓ ପ୍ରାଣୀଜଗତଠାରୁ ମିଳେ। ଅନ୍ୟକୁ ଭଲ ପାଇବାର ଆନନ୍ଦ ହିଁ ମଣିଷ ଜୀବନ। ଅନ୍ୟର ଉନ୍ନତି ଓ ପ୍ରଗତି କାମନା କରିବାର ସୁଖ ମଣିଷକୁ ଖୁସି ଦିଏ। ଏହା ହିଁ ମଣିଷ ଜୀବନର ମନ୍ତ୍ର। ଆଜି ଜୟଦେବ ଭବନଠାରେ ପୂର୍ବତନ ବିଧାୟକ ସ୍ବର୍ଗତ ରାଜକିଶୋର ନାୟକଙ୍କ ଦ୍ବାଦଶ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅବସରରେ ଆୟୋଜିତ ସ୍ମାରକୀ ଗାନ୍ଧୀ ବକ୍ତୃତାମାଳା ‘ଗଣତନ୍ତ୍ର, ସାଧାରଣ ଲୋକ ଏବଂ ନ୍ୟାୟର ଅଧିକାର’ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମୋଡ୍ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନ୍ୟାୟମୂର୍ତ୍ତି ଅରିଜିତ୍ ପଶାୟତ ଏହା କହିଛନ୍ତି।
ରାଜକିଶୋର ନାୟକ ନ୍ୟାସନାଲ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଆହୁରି ମଧ୍ୟ କହିଥିଲେ ଯେ ମଣିଷ ସ୍ବାଭିମାନ ଓ ମଣିଷପଣିଆକୁ ନେଇ ବଞ୍ଚିବା ଦରକାର। ଅନ୍ୟକୁ ଭଲପାଇବା ଦରକାର, ଅନ୍ୟ ମୁହଁରେ ହସ ଫୁଟାଇବା ଦରକାର। ଅନ୍ୟକୁ ଭଲପାଇବାରେ ଯେଉଁ ଆନନ୍ଦ ଥାଏ, ତାହା ଆଉ କେଉଁଠି ମିଳେନାହିଁ। ଏହା ହିଁ ପ୍ରକୃତ ଜୀବନ ଓ ଏହିଭଳି ଜୀବନକୁ ନେଇ ବଞ୍ଚିଥିଲେ ସ୍ବର୍ଗତ ରାଜକିଶୋର ବାବୁ। ମୁଖ୍ୟ ବକ୍ତା ଡ. ଭଗବାନ ପ୍ରକାଶ କହିଥିଲେ ଯେ ରାଜକିଶୋର ଥିଲେ ପାଟକୁରାର ଗାନ୍ଧୀ। ସେ ୪ଟି ଏଲ୍(ଲିଭିଂ, ଲଭିଂ, ଲର୍ଣ୍ଣିଂ ଏବଂ ଲିଗାସି)ଉପରେ ଗୁରୁତ୍ବ ଦେଉଥିଲେ।
ଜଣେ ମଣିଷ ପାଇଁ ସରଳ ଜୀବନଯାପନ ହିଁ ଶ୍ରେଷ୍ଠ ବୋଲି ସେ ବିବେଚନା କରୁଥିଲେ। ସେମିତି ଲଭିଂ ଅର୍ଥ ଅନ୍ୟକୁ ଭଲପାଇବା। ଜୀବନରେ କିଏ କେତେ ଲୋକଙ୍କୁ କେତେ ଭଲପାଇଛି ଓ ଲୋକେ ତାଙ୍କୁ କେତେ ଭଲପାଉଛନ୍ତି, ସେ ହିସାବରୁ ମଣିଷ ଜୀବନର ସାର୍ଥକତା ପ୍ରତିପାଦିତ ହୋଇଥାଏ। ଲର୍ଣ୍ଣିଂ ଅର୍ଥାତ୍ କିଏ କ’ଣ ଶିକ୍ଷା କରିଛି ଓ କେତେ ଲୋକଙ୍କୁ ପ୍ରଭାବିତ ବା ଉତ୍ସାହିତ କରିପାରିଛି, ତା’ର ହିସାବରୁ ଜୀବନର ମୂଲ୍ୟ ବୁଝାପଡ଼େ। ସେହିଭଳି ଲିଗାସି କହିଲେ ଜଣେ କ’ଣ ଛାଡ଼ିଯାଇଛି ଯେ ଲୋକେ ତାକୁ ମନେ ରଖିବେ। ସ୍ବର୍ଗତ ରାଜକିଶୋର ବାବୁଙ୍କ ଏହି ଚାରି ଏଲ୍ ଆଜି ବି ତାଙ୍କୁ ଅମର କରି ରଖିଛି ଓ ଆଗକୁ ରଖିଥିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ତାଙ୍କ ପୁତ୍ର ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଡ. ଅପର୍ଣ୍ଣା ମହାନ୍ତି ସ୍ବର୍ଗତ ନାୟକଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ତାଙ୍କ ଛାତ୍ର ବତ୍ସଳତା, ସରଳ ଜୀବନଯାପନ ପ୍ରଣାଳୀ, ଉଦାରତା କିଭଳି ସମସ୍ତଙ୍କୁ ପ୍ରଭାବିତ କରିଥିଲା, ତାହା ଉପରେ କହିଥିଲେ। ଏହି ଅବସରରେ ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ ଓ ଜାତୀୟ ଚେତନାର ସମ୍ପାଦକ ତପନ ବିହାରୀ ଭଂଜ କାର୍ଯ୍ୟକ୍ରମ ଆୟୋଜକ ଫାଉଣ୍ଡେସନକୁ ସ୍ବର୍ଗତ ରାଜକିଶୋର ନାୟକଙ୍କ ତୈଳ ଫଟୋଚିତ୍ର ପ୍ରଦାନ କରିଥିଲେ। ଫାଉଣ୍ଡେସନ୍ର ସଭାପତି ପ୍ରହଲ୍ଳାଦ ସିଂ ସଭାପତିତ୍ବ କରିଥିବା ବେଳେ ପର୍ଶୁରାମ ଦ୍ବିବେଦୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ନୀଳୟକାନ୍ତ ମହାପାତ୍ର ଅତିଥି ପରିଚୟ ଓ ନିରଂଜନ ପଣ୍ଡା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ, ଶିକ୍ଷାବିତ୍, ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/33-1.jpg)