ଛିଣ୍ଡା ପଲିଥିନ୍‌ ତଳେ ବିତୁଛି ଜୀବନ, ବେସାହାରା ବାଜାବାଲା

ବାଲିଅନ୍ତା: ବିବାହ, ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟକ୍ରମ ହେଉ କି ଉତ୍ସବ, ମହୋତ୍ସବ ହେଉ, ସବୁଠାରେ ଶୁଭେ ସାହାନାଇ ଓ ଯୋଡ଼ିମହୁରିର ମଧୁର ମୂର୍ଚ୍ଛନା। ତା ସାଙ୍ଗକୁ ଚାଙ୍ଗୁ, ଝୁମକା ଓ ଢୋଲ ବାଦ୍ୟର ସମାହାର ଉତ୍ସବକୁ ରଙ୍ଗିନ୍‌ କରି ଗଢ଼ି ତୋଳନ୍ତି। କିନ୍ତୁ ପରିତାପର କଥା ସମସ୍ତଙ୍କ ଉତ୍ସବରେ ରଙ୍ଗ ଭରି ଦେଉଥିବା ଏହି ମଣିଷମାନଙ୍କ ଜବୀନ ହେଉଛି ରଙ୍ଗହୀନ। ଅନ୍ୟର ଉତ୍ସବରେ ମଧୁର ମୂର୍ଚ୍ଛନା ଭରି ଦେଉଥିବା ଏହି ଲୋକମାନଙ୍କ ଜୀବନରେ ଭରି ରହିଛି କାରୁଣ୍ୟର ଲହର। ଭଙ୍ଗା କାନ୍ଥ ଓ ପଲିଥିନ୍‌ ଛପର ତଳେ ବିତେ ଏମାନଙ୍କ ଜୀବନ। ମୁଣ୍ଡ ଉପରେ ଛିଣ୍ଡା ପଲିଥିନ୍‌ ଛପର ଯୋଗୁଁ ବର୍ଷା କାକରରେ ଭିଜେ ଏମାନଙ୍କ ସାଧାରଣ ଜୀବନ। ଏ ହେଉଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତର ଉପରମୁଣ୍ଡ ନାଏକ ସାହି ବାସିନ୍ଦାଙ୍କ ଅବସ୍ଥା।

ଏହି ସାହିରେ ରହୁଛନ୍ତି ଗରିବ ୪୦ ପରିବାର। ସେମାନଙ୍କ ମଧ୍ୟରୁ ୩୦ ପରିବାରର କାମ ହେଉଛି ବାଜା ବଜେଇବା। ସାହାନାଇ, ମହୁରି, ଢ଼ୋଲ ଓ ଚାଙ୍ଗୁ ବାଜା ପାଇଁ ସ୍ଥାନୀୟ ଅଞ୍ଚଳରେ ଏହି ସାହି ଲୋକଙ୍କ ନାଁ ଅଛି। କେବଳ ଏହି ବାଜା ବଜାଇବା ହେଉଛି ସେମାନଙ୍କର ମୁଖ୍ୟ ବେଉସା। ଏଥିରୁ ସେମାନଙ୍କ ପିଲାଛୁଆଙ୍କ ପେଟ ପୂରେ ଓ ପରିବାରର ଗୁଜୁରାଣ ମେଣ୍ଟ‌େ। ଏମିତି ବହୁ ବର୍ଷ ଧରି ଚାଲି ଆସିଛି ସେମାନଙ୍କ ଚଳଣି। କିନ୍ତୁ ୧୯୯୯ ମସିହା ମହାବାତ୍ୟାଠାରୁ ସେମାନଙ୍କ ଉପରକୁ ମାଡ଼ି ପଡ଼ିଛି ବିପଦ। ଘରଦ୍ବାର ଭାଙ୍ଗିଗଲା। ମାତ୍ର ସହାୟତା ମିଳିଲା ନାହିଁ। ଭଙ୍ଗା ଘରକୁ ସଜାଡ଼ି ମୁଣ୍ଡ ଗୁଞ୍ଜିଲେ। ସେହିଭଳି ସମୟ ବଦଳିବାରୁ ପାରମ୍ପରିକ ବାଜାରୁ ଲୋକମାନେ ମୁହଁ ଫେରାଇ ନେବାରୁ ସେମାନଙ୍କ ରୋଜଗାର ବି କମିଲା। ତଥାପି ସେମାନେ ସେମାନଙ୍କ କୌଳିକ ବୃତ୍ତି ଛାଡ଼ି ପାରିଲେନି। ଏହା ପରେ ବାତ୍ୟା ଫନି ଅଧିକ ବିଗାଡ଼ି ଦେଲା। ସେଥି‌ରେ ସେମାନଙ୍କର ବିପୁଳ କ୍ଷୟକ୍ଷତି ହେଲା। ଭଙ୍ଗା ଘରକୁ ମରାମତି କରିପାରିଲେ ନାହିଁ। ଏମିତିକି ନଡ଼ା ଛପର କରିବାକୁ ସକ୍ଷମ ହେଲେ ନାହିଁ। ପଲିଥିନ୍‌ ଛପର କରି ରହିଲେ। ମଝିରେ ମଝିରେ ପଲିଥିନ୍‌ ଚିରି ଯାଉଛି ଓ ସେମାନେ ଛୋଟ ପଲିଥିନ୍ ଖଣ୍ଡ ଯୋଡ଼ୁଛନ୍ତି।

୧୦ଟି ପରିବାରର ଏଭଳି ଅବସ୍ଥା ଆଜି ବି ରହିଛି। ସେହିଭଳି କିଛି ଲୋକଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଓ ରାସନକାର୍ଡ଼ ଭଳି ସରକାରୀ ସହାୟତା ମିଳିନାହିଁ। ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଆବାସ ଓ ବିଜୁ ପକ୍କାଘର ଭଳି ଯୋଜନା ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ଏହି ସାହିର ମାଗୁ ନାଏକ, ଭଗବାନ ନାଏକ, ମଦନା ନାଏକ, ବିଦ୍ୟାଧର ନାଏକ ଓ ସୁକାନ୍ତ ନାୟକଙ୍କ ପରିବାର ଆଜି ବି ବଡ଼ ଦୟନୀୟ ଅବସ୍ଥା‌ରେ ରହୁଛନ୍ତି। ଜିଲ୍ଲା ପ୍ରଶାସନ ଏମାନଙ୍କ ପ୍ରତି ନଜର ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର