ଲାଇଫ୍‌ ଲିଙ୍କ୍‌ ପକ୍ଷରୁ ଅଭିନବ ପଦକ୍ଷେପ: ବରିଷ୍ଠ ନାଗରିକଙ୍କ ନିମନ୍ତେ ଆୟୋଜିତ ହେବ ଓ୍ଵାକାଥନ୍‌

ଚନ୍ଦ୍ରଶେଖରପୁର: ଅନ୍‌ଲାଇନ୍‌ରେ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଦେଉଥିବା ସଂସ୍ଥା ଲାଇଫ୍‌ଲିଙ୍କ୍‌ ପକ୍ଷରୁ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ଓ୍ଵାକାଥନ୍‌ ର ଆୟୋଜନ କରାଯିବ। ବରିଷ୍ଠ ନାଗରିକଙ୍କୁ ସୁସ୍ଥ ତଥା ଫିଟ୍‌ ରଖିବା ନିମନ୍ତେ ଆୟୋଜିତ ହେବାକୁ ଥିବା ଏହି ଅଭିନବ ଓ୍ଵାକାଥନ୍‌ ଚଳିତ ମାସ ୨୬ ତାରିଖରେ ମାଷ୍ଟର କ୍ୟାଣ୍ଟିନ୍‌ ଛକଠାରୁ ସକାଳ ୭ଟାରେ ଆରମ୍ଭ ହୋଇ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଚାଲିବ। ଏହି ଏକ କିଲୋମିଟର ଚଲାପଥରେ ଅଂଶଗ୍ରହଣ କରୁଥିବା ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏକ ମାଗଣା ସ୍ୱାସ୍ଥ୍ୟ ସେବାର ଆୟୋଜନ ହେବା ନେଇ ଲାଇଫ୍‌ଲିଙ୍କ୍‌ର ନିର୍ଦ୍ଦେଶକ ଡ. ସାର୍ଥକ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଦୈନନ୍ଦିନ ଜୀବନର ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଏକ ସୁସ୍ଥ ତଥା ନିରାମୟ ଜୀବନଚର୍ଯ୍ୟା ପାଇଁ ଯାନବାହାନ ପରିବର୍ତ୍ତେ ଦୈନିକ କିଛି ରାସ୍ତା ପାଦରେ ଚାଲି ଅତିକ୍ରମ କରିବା ସୁଫଳ ଆଣିଦେବା ନେଇ ଡ. ପଟ୍ଟନାୟକ ମତ ଦେଇଥିଲେ। ଏକ ସୁସ୍ଥ ଏବଂ ନିରୋଗ ଜୀବନଯାପନ ପାଇଁ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଓ୍ଵାକାଥନ୍‌ରର ଲକ୍ଷ୍ୟ ବୋଲି ଡ. ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ତୁଷାର ପଟ୍ଟନାୟକ, ଡ. ସୁଦୀପ କୁମାର ବାନାର୍ଜୀ ଓ ଡ. ଶକ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଲାଇଫ୍‌ଲିଙ୍କ୍‌ ହେଉଛି ଏକ ଅନଲାଇନ୍‌ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ସଂସ୍ଥା। ଏହା ସାରା ଦେଶରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହିତ ହେଲ୍‌ଥ ଆପ୍‌ ଜରିଆରେ ରୋଗ ନିରାକରଣ ସମ୍ପର୍କିତ ପରାମର୍ଶ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ମିଳିପାରିବ। ଏଥିରେ ଭିଡ଼ିଓ, ଅଡ଼ିଓ, ଚାଟିଙ୍ଗ୍‌ ସେବା ଜରିଆରେ ରୋଗ ସମ୍ପର୍କିତ ଆଲୋଚନାଚକ୍ର କରାଯିବାର ବିଶେଷ ସୁବିଧା ମଧ୍ୟ ଉପଲବ୍ଧ ରହିଥିବା ସୂଚନା ମିଳିଛି। ସ୍ପୋର୍ଟ୍ସ ସାଇନ୍ସ୍‌ ଇଣ୍ଡିଆ ଏହି କାର୍ଯ୍ୟକ୍ରମର ସହଯୋଗୀ ରହିଛି।

ସମ୍ବନ୍ଧିତ ଖବର