ଭୁବନେଶ୍ବର: ଜ୍ଞାନ ତପସ୍ବୀ ବିନୋଦ କାନୁନ୍ଗୋ ଜ୍ଞାନମଣ୍ଡଳ ସହ ଯେତିକି ବହି ଲେଖିଛନ୍ତି, ତାହା ଏକାଠି ରଖିଲେ ତାଙ୍କ ଉଚ୍ଚତାକୁ ବି ବଳିଯିବ। ସକାଳେ ଲେଖିବା ଆରମ୍ଭ କଲେ ରାତି ପର୍ଯ୍ୟନ୍ତ ତାଙ୍କ କଲମକୁ ବିଶ୍ରାମ ମିଳୁନଥିଲା। ଏଭଳି ନିଷ୍ଠା ଓ ଧୈର୍ଯ୍ୟ ସବୁ ଲେଖକଙ୍କ ପାଖରେ ଦେଖିବାକୁ ମିଳେ ନାହିଁ। ସେ ଥିଲେ ଅଧା ଓଡ଼ିଶାର ଓଡ଼ିଆ ଲୋକଙ୍କର ଦୂରର ଦ୍ରୋଣାଚାର୍ଯ୍ୟ। ଏକଥା କହିଛନ୍ତି ବିଶିଷ୍ଟ କଥାକାର ତଥା ‘କଥା’ର ସମ୍ପାଦକ ଗୌରହରି ଦାସ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ପାନ୍ଥ ନିବାସରେ ଆୟୋଜିତ ପଦ୍ମଶ୍ରୀ ବିନୋଦ କାନୁନ୍ଗୋଙ୍କ ଶ୍ରାଦ୍ଧୋତ୍ସବରେ ଶ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିନୋଦ କାନୁନ୍ଗୋଙ୍କ ସମ୍ପର୍କରେ ବକ୍ତବ୍ୟ ରଖି କହିଲେ, ଜାଣିବାର ଉତ୍ସୁକତା ତାଙ୍କ ଭିତରେ ଏତେ ଥିଲା ଯେ ସତ୍ୟାଗ୍ରହୀ ଭାବେ ଜେଲ୍ରେ ଥିବା ସମୟରେ ବି ଜେଲ୍ କର୍ତୃପକ୍ଷଙ୍କୁ ଅନୁରୋଧ କରି ଏକ ଛେଳି ମଗାଇ ତାକୁ କଟାଯିବା ପରେ ତା’ର ଶରୀରର ବିଭିନ୍ନ ଆନାଟୋମି ବିଷୟରେ ଗବେଷଣା କରିଥିଲେ। ତାଙ୍କ କୈଶୋର ଓ ଯୌବନ ସଂଗ୍ରାମରେ ଏବଂ ପରିଣତ ବୟସ ସାଧନା ଓ ସଂକଳ୍ପରେ ବିତିଥିଲା। ସେ ଏପରି ବ୍ୟକ୍ତି ଥିଲେ, ତାଙ୍କ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଅନୁକୂଳ ପରିବେଶରେ ପରିବର୍ତିତ ହୋଇଯାଉଥିଲା ବୋଲି ଶ୍ରୀ ଦାସ କହିଥିଲେ। ଗାଳ୍ପିକ ତଥା ଅନୁବାଦକ ସୀତେଶ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ୧୦ମ ଶ୍ରେଣୀରୁ ସ୍କୁଲ୍ ଛାଡ଼ି ସେ ଗାନ୍ଧୀଙ୍କ ଡାକରାରେ ସତ୍ୟାଗ୍ରହୀ ଭାବେ ଯୋଗ ଦେଇଥିଲେ। ସୁବକ୍ତା, ସାଂଗଠନିକ ଦକ୍ଷତା ସେଇ କମ୍ ବୟସରୁ ଜଣାପଡ଼ିଥିଲା। ସେତେବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ଜ୍ଞାନକୋଷ ପ୍ରସ୍ତୁତ କରିବା ପାଇଁ ଅନୁଦାନ ନେଇ ଯେଉଁ କାମ କରିପାରି ନଥିଲା, ତାହା ବ୍ୟକ୍ତିଗତ ଉଦ୍ୟମରେ ବିନା ସରକାରୀ ପ୍ରୋତ୍ସାହନରେ ୩୦ବର୍ଷ ମଧ୍ୟରେ ବିନୋଦ କାନୁନ୍ଗୋ ୪୦ଖଣ୍ଡ ବିଶ୍ବ ଜ୍ଞାନକୋଷ ଲେଖି ପ୍ରମାଣିତ କରି ଦେଖାଇ ଦେଇଥିଲେ। ସେ ରାଜା କି ସମ୍ରାଟ ନଥିଲେ କିନ୍ତୁ ଓଡ଼ିଆ ଜାତିର ଓ ସାହିତ୍ୟର ସେ ସମ୍ରାଟ ଥିଲେ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ବିଜୟ ନାୟକ କହିଥିଲେ, ଭାଷାକୋଷ ଓ ଜ୍ଞାନକୋଷ ଓଡ଼ିଆ ସାହିତ୍ୟକୁ ମୂଲ୍ୟବାନ ଦାନ। ବିନୋଦ କାନୁନ୍ଗୋ ଗାନ୍ଧୀ ବିଚାରକୁ ଅନ୍ତରଙ୍ଗ ଭାବେ ବୁଝି ଅନ୍ୟକୁ ବୁଝେଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ତଥା ବିଶିଷ୍ଟ ନାଟ୍ୟକାର ଓ କବି ହରିହର ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିନୋଦ କାନୁନ୍ଗୋଙ୍କ ସାହିତ୍ୟ ରଚନା ଉପରେ ମତ ରଖିଥିଲେ। ପ୍ରାରମ୍ଭରେ ଏକାଡେମିର ସଚିବ ଜୟନ୍ତୀ ରଥ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିଲେ।