‘ନେପଥ୍ୟ ନାୟିକା’ ଉନ୍ମୋଚିତ: କସ୍ତୁରବାଙ୍କ ଜୀବନ- ଇତିହାସର ଜ୍ବଳନ୍ତ ସ୍ବାକ୍ଷର

ଚନ୍ଦ୍ରଶେଖରପୁର: ପ୍ରକାଶନୀ ସଂସ୍ଥା ‘ପକ୍ଷୀଘର’ ପକ୍ଷରୁ କଥାଶିଳ୍ପୀ ପୁଷ୍ପାଞ୍ଜଳି କରଙ୍କ ଉପନ୍ୟାସ ‘ନେପଥ୍ୟ ନାୟିକା’ ଉନ୍ମୋଚିତ ହୋଇଛି। ନାଲ୍‌କୋ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର ଉଦ୍‌ଘାଟକ, ନାଲ୍‌କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ତପନ କୁମାର ଚାନ୍ଦ ମୁଖ୍ୟଅତିଥି, ବିଶିଷ୍ଟ ଅତିଥି ଭାବେ କଥାକାର ଗୌରହରି ଦାସ, ସାହିତ୍ୟିକ ଦାଶ ବେନହୁର ଓ ପ୍ରୀତିରୟ ଚାନ୍ଦ ଯୋଗଦେଇ ପୁସ୍ତକର ଲୋକାର୍ପଣ କରିଥିଲେ। ଡ. ଚାନ୍ଦ କହିଲେ, ଶ୍ରୀମତୀ କରଙ୍କ ଉପନ୍ୟାସ କସ୍ତୁରବା ଗାନ୍ଧୀଙ୍କ ଜୀବନ ଇତିହାସର ଜ୍ବଳନ୍ତ ସ୍ବାକ୍ଷର। ଓଡ଼ିଶା ସାହିତ୍ୟରେ ଏଭଳି ରଚନା ସମ୍ଭବତଃ ପ୍ରଥମ। ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ପକ୍ଷରୁ କସ୍ତୁରବାଙ୍କ ୧୫୦ତମ ଜନ୍ମ ଦିବସରେ ଏକ ଶ୍ରଦ୍ଧାଞ୍ଜଳି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପାଇଁ କସ୍ତୁରବାଙ୍କ ପ୍ରେରଣା, ପୋତ୍ସାହନ ଓ ତ୍ୟାଗ ବେଶ୍‌ ଉଲ୍ଲଖନୀୟ। କସ୍ତୁରବା ଗାନ୍ଧୀଙ୍କ ପରି ଜଣେ ଐତିହାସିକ ମହିଳାଙ୍କ ରଚିତ୍ରକୁ ନେଇ ‌ଉପନ୍ୟାସ ଲେଖିବା ଏବେ ସହଜ ନୁହେଁ। ଏଥିପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିବ। ଅନୁଭୂତି ଓ ଅନୁଭବ ନ ଥିଲେ ଲେଖା ଉଚ୍ଚମାନର ହୋଇପାରିବ ନାହିଁ। ଏହି ପୁସ୍ତକ କସ୍ତୁରବାଙ୍କ ବ୍ୟକ୍ତିତ୍ବ ବିଷୟରେ ଆଜିର ଯୁବପିଢ଼ିଙ୍କୁ ଜାଣିବାର ସୁଯୋଗ ଦେବ। କଥାକାର ଗୌରହରି ଦାସ କହିଲେ, ସେଇ ଉପନ୍ୟାସକୁ ସଫଳ ବୋଲି କୁହାଯିବ, ଯାହାର ଆରମ୍ଭ ଆଗ୍ରହ ସୃଷ୍ଟି କରୁଥିବ। ଭାଷା ସାବଲୀଳ ହେବା ସହ ବର୍ଣ୍ଣନାଶୈଳୀ ପ୍ରଭାବଶାଳୀ ହୋଇଥିବ। କାହାଣୀର ବିଶ୍ବସନୀୟତା ସହ ପ୍ରତ୍ୟେକ ରଚିତ୍ର ଠିକଣା ଭାବେ ଫୁଟି ଉଠୁଥିବେ। କାହାଣୀ ମୌଳିକ ହେବା ସହ ଉପନ୍ୟାସର ପରିସମାପ୍ତି ପାଠକ/ପାଠିକାଙ୍କ ଚିତ୍ତକୁ ଉଦ୍‌ଭାସିତ କରୁଥିବ। ଉପନ୍ୟାସ ପଢ଼ିବା ସମୟରେ କ୍ଲାନ୍ତିକର ଲାଗୁ ନ ଥିବ। ଉପନ୍ୟାସ ପଢ଼ିବା ପରେ ପାଠକ ସେ ଘଟଣା ସହ ଜଡ଼ିତ ହୋଇଥିବା ଅନୁଭବ କରୁଥିବ। ଏହି ସବୁ ଦୃଷ୍ଟିରୁ ଉପନ୍ୟାସ ‘ନେପଥ୍ୟ ନୟିକା’ ଏକ ସଫଳ ଉପନ୍ୟାସ ବୋଲି ସେ କହିଥିଲେ। ସେହିପରି ସାହିତ୍ୟିକ ଦାଶ ବେନହୁର କସ୍ତୁରବାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଲେଖିକା ଶ୍ରୀମତୀ କର କହିଲେ, କସ୍ତୁରବା ଗାନ୍ଧୀଙ୍କ ଉପରେ ଇତିହାସ ନିରବ। ବହୁତ କମ୍‌ ଲେଖା ଯାଇଛି। ଏହି ଉପନ୍ୟାସ ମାଧ୍ୟମରେ ତାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରିଛି। ଏହି ପୁସ୍ତକ ଲେଖିବାକୁ ଦେଢ଼ ବର୍ଷ ଲାଗିଥିଲା। ବହୁ ଥର ତାଙ୍କ ଜନ୍ମ ସ୍ଥାନକୁ ଯିବାକୁ ପଡ଼ିଛି। ୨୮୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ପାଠକଙ୍କ ଦ୍ବାରା ଆଦୃତ ହେବ ବୋଲି ଆଶା କରୁଛି।

ସମ୍ବନ୍ଧିତ ଖବର