ଓଡ଼ିଶା ବାହାରେ ଓଡ଼ିଆ ଚମକ

ଉତ୍କଷ୍ଟ କଳାର ଗନ୍ତାଘର ‘ଉତ୍କଳ’ ତା’ର କଳା ଗାରିମାର ବିଜୟ ଧ୍ୱଜାକୁ ଏଯାବତ ଅତୁଟ ରଖିଛି। ଶିଳ୍ପୀକୂଳ କେବେ କାରିଗରୀରେ ଚମକ ଫୁଟାଇଛନ୍ତି ତ କେବେ କଳା ଚାତୁରୀ ପ୍ରଦର୍ଶନ କରି ରୋମାଞ୍ଚ ଭରିଛନ୍ତି। ସାତ ଦରିଆ ପାରିରେ ବି ଦେଖିବାକୁ ମିଳିଛି ଓଡ଼ିଆଙ୍କ ଚମକ। ଓଡ଼ିଆ ମାଟିର ଯୁବ ବର୍ଗ ଏହି ଗାରିମାମୟ ଇତିହାସରେ ଯୋଡ଼ି ଚାଲିଛନ୍ତି ଫର୍ଦ ପରେ ଫର୍ଦ। ନୃତ୍ୟଠୁ ନେଇ ସୁନ୍ଦରୀର ତାଜ୍‌ ସବୁଥିରେ ଏବେ ଭାଗ ବସେଇବାରେ ଧୂରୀଣ ଆମ ଓଡ଼ିଆ ପୁଅ/ଝିଅମାନେ। କଳା ପ୍ରତି ପ୍ରଚଣ୍ଡ ନିଘା ଖାଲି ତାଙ୍କ ଭାଗ୍ୟ ବଦଳେଇ ଦେଇନି ବରଂ ଓଡ଼ିଶାକୁ ବିଶ୍ୱ ଦରବାରରେ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ। ରିପୋର୍ଟ: ସତ୍ୟନାରାୟଣ ରାଉତରାୟ

ଲାକ୍‌ମି ଫେସନ୍‌ ସୋ’ରେ ପଙ୍କଜାଙ୍କ ଜନଜାତି ଡିଜାଇନ୍‌

ଓଡ଼ିଆ ଆଦିବାସୀଙ୍କ ବେଶଭୂଷାର ମୌଳିକ ବାସ୍ନା ମହକିଛି ମୁମ୍ବାଇର ଲାକ୍‌ମି ଫେସନ୍‌ ସୋ’ରେ। ଗଞ୍ଜାମର ପଙ୍କଜା ସେଠୀ ଆଦିବାସୀଙ୍କ ଶାଢ଼ି ପିନ୍ଧିବା ଶୈଳୀ ଓ ଗହଣାଗାଣ୍ଠିର ଆଭୂଷଣକୁ ମଞ୍ଚରେ ପ୍ରଦର୍ଶନ କରି ସାଉଁଟିଛନ୍ତି ଅଜସ୍ର ପ୍ରଶଂସା। ମୁମ୍ବାଇରେ ଆୟୋଜିତ ଲାକ୍‌ମି ଫେସନ୍‌ ଓ୍ଵିକ୍‌ ସମର/ରେସର୍ଟ ୨୦୧୮ରେ ସସ୍‌ଟେନେବଲ୍‌ ଫେସନ୍‌ ଥିମ୍‌କୁ ନେଇ ନିଜର ଡିଜାଇନ୍‌ ଉପସ୍ଥାପନ କରିଥିଲେ। ମଡେଲ୍‌ମାନେ ଓଡ଼ିଶାର ଆଦିବାସୀ ଫେବ୍ରିକ୍‌ସକୁ ନେଇ ର‍୍ୟାମ୍ପ୍‌୍‌ରେ ଚାଲିଥିଲେ। ଗୋପାଳପୁର, ନୂଆପାଟଣା ଓ କୋରାପୁଟର ବୁଣାକାରଙ୍କ ହାତବୁଣା ନୀଳ, ବାଦାମୀ, କଳା ଓ ଧୂସର ରଙ୍ଗର ଶାଢ଼ିକୁ ସେ ଉପସ୍ଥାପନ କରିଥିଲେ। ଆଦିବାସୀଙ୍କ ଭଳି ବିନା ବ୍ଲାଉଜ୍‌ରେ ମଧ୍ୟ ସେ କିଛି ମଡେଲ୍‌ମାନଙ୍କୁ ଉପସ୍ଥାପନ କରିଥିଲେ। ଡଙ୍ଗରିଆ କନ୍ଧଙ୍କ ସହ ନିକଟତର ହୋଇ ସେ କାମ କରିଥିବା ବେଳେ ପରିବେଶ ସହ ସେଠିକାର ଆଦିବାସୀଙ୍କ ସମ୍ବନ୍ଧ ମତେ ବେଶି ଅନୁପ୍ରାଣିତ କରିଥିଲା ବୋଲି କୁହନ୍ତି ପଙ୍କଜା ସେଠୀ।

ସାଲ୍‌ସା ଷ୍ଟାର୍‌ ସୁମିତ ସୌରଭ

ଅନ୍ତର୍ଜାତୀୟ ମଞ୍ଚରେ ସାଲ୍‌ସାର ଜଲ୍‌ଓ୍ଵାରେ କୋଟିକୋଟି ହୃଦୟ ଜିଣି ନେଇଥିବା ଓଡ଼ିଆ ପୁଅ ସୁମିତ ସୌରଭ ଏବେ ଅନ୍ତର୍ଜାତୀୟସ୍ତରରେ ଏକ ଜଣାଶୁଣା ଚେହେରା। ପ୍ୟାରିସ୍‌ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସାଲ୍‌ସା ସାଇନ୍‌ସ କଣ୍ଟେଷ୍ଟ୍‍ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଓଡ଼ିଆ ପୁଅ ସୁମିତ ସୌରଭ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରିଛନ୍ତି। ମୋଟ୍‌ ୧୭ ଜଣ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ସୁମିତ ସମଗ୍ର ଏସିଆରୁ ଏକମାତ୍ର ପ୍ରତିଯୋଗୀ ଥିଲେ। ଖାଲି ଭାଗ ନେଇ ନଥିଲେ ୟୁରୋପୀୟ ଓ ଲାଟିନ୍‌ ଆମେରିକୀୟ ନୃତ୍ୟଶିଳ୍ପୀଙ୍କୁ ମାତ୍‌ ଦେଇ ଅନ୍ତର୍ଜାତୀୟ ବିଜୟ ମୁକୁଟକୁ ନିଜ ନାଁରେ କରିଥିଲେ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ.ଚନ୍ଦନା ରାଉଳଙ୍କ ପୁତ୍ର ସୁମିତ ୧୨ ବର୍ଷ ବୟସରେ ସାଲ୍‌ସା ଶିଖିବା ଆରମ୍ଭ କରିଥିଲେ। ପିଲାବେଳୁ ହିପ୍‌ହପ୍‌, ରିଦିମ୍‌ ଓ ବ୍ଲୁଜ୍‌ରେ ରୁଚି ରଖୁଥିବା ସୁମିତ୍‌ ଏବେ ସାଲ୍‌ସା ପ୍ରେମରେ ବୁଡ଼ିଥିବା ବେଳେ ଜଣେ ନୃତ୍ୟ ସଂଯୋଜକ ହେବା ସହ ନୃତ୍ୟର ନୂଆନୂଆ ଶୈଳୀ ଶିଖିବା ଜାରି ରହିବ ବୋଲି କହିଛନ୍ତି।

ଡିଆଇଡିରେ ନୈନିକା ଯାଦୁ

ଜି ଟିଭିରେ ପ୍ରସାରିତ ବହୁ ଚର୍ଚିତ ଡ୍ୟାନ୍‌ସ ରିଅଲିଟି ସୋ’ ଡ୍ୟାନ୍‌ସ ଇଣ୍ଡିଆ ଡ୍ୟାନ୍‌ସ (ଡିଆଇଡି)କଣ୍ଟେମ୍ପରାରି ଜାଜ୍‌, ବେଲି ଡ୍ୟାନ୍‌ସ ଓ ଫ୍ରି ଷ୍ଟାଇଲ୍‌ରେ କୋଟି କୋଟି ହୃଦୟ ଜିଣିଥିବା ଝାରସୁଗୁଡ଼ାର ଝିଅ ନୈନିକା ବି ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରିଛନ୍ତି। ୧୬ ବର୍ଷିୟା ନୈନିକା ଡିଆଇଡିର ଷଷ୍ଠ ସଂସ୍କରଣରେ ଫାଇନାଲିଷ୍ଟ୍‍ ଭାବେ ପ୍ରବେଶ କରି କେବଳ ସୋ’ର ଗ୍ରାଣ୍ଡ୍‌ ମାଷ୍ଟର ମିଥୁନ ଚକ୍ରବର୍ତୀଙ୍କ ମନ ଜିଣି ନାହାନ୍ତି ନୈନିକା ଯେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଡାକରା ପାଇବେ ସେ ଭବିଷ୍ୟତ ବାଣୀ ମଧ୍ୟ କରିଛନ୍ତି। ଭୋଟିଂ ଜରିଆରେ ସେ ଚତୁର୍ଥ ସ୍ଥାନ ଅଧିକାର କରି ସିଲ୍‌ ସମେତ ୧ ଲକ୍ଷ ଟଙ୍କାର ଅର୍ଥରାଶି ଜିତି ଥିଲେ ହେଁ କୋଟି କୋଟି ହୃଦୟର ନୃତ୍ୟ ରାଣୀ ଭାବେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି।

ଓଡ଼ିଆ ସୁନ୍ଦରୀ ମିସ୍‌ ଟୁରିଜିମ୍‌

ଖାଲି ନୃତ୍ୟ ନୁହେଁ ସୁନ୍ଦରୀଙ୍କ ମଞ୍ଚରେ ବି କମାଲ ଦେଖାଇଛନ୍ତି ଓଡ଼ିଆ ଝିଅମାନେ। ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ଭାରତ ପକ୍ଷରୁ ମିଆଁମାରରେ ଅନୁଷ୍ଠିତ ‘ମିସ୍‌ ଟୁରିଜିମ୍‌ ଆଣ୍ଡ୍‌ କଲ୍‌ଚର ୟୁନିଭର୍ସ ୨୦୧୮’ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୩ୟ ରନର୍ସ-ଅପ୍‌ ହେବାର ଗୌରବ ଅର୍ଜନ କରିଛନ୍ତି। ମିସ୍‌ ଫଟୋ ଜେନିକ୍‌ ଇଣ୍ଡିଆ ଭାବେ ମଧ୍ୟ ପୁରସ୍କୃତ ହୋଇଛନ୍ତି। ମୋଟ୍‌ ୩୫ ଜଣଙ୍କ ମଧ୍ୟରେ ତୃତୀୟ ସ୍ଥାନ ଦଖଲ କରିଛନ୍ତି। ଛୋଟବେଳୁ ଫେସନ୍‌ ପ୍ରତି ଆକର୍ଷିତ ସ୍ୱପ୍ନା ମିସ୍‌ ଛତିଶଗଡ଼, ମିସ୍‌ ଟିନ୍‌ ଇଣ୍ଡିଆ, କିଟ୍‌ ନହ୍ନିପରି ଭଳି ଟାଇଟେଲ୍‌କୁ ବି ଜିତିଛନ୍ତି। ବିଶ୍ୱଜିତ ରାଉତରାୟ ଓ ମଧୁମିତା ରାଉତରାୟଙ୍କ ଝିଅ ସ୍ୱପ୍ନା ବର୍ତମାନ ବିଳାଶପୁରରେ କେନ୍ଦ୍ରୀୟ ବିଦ୍ୟାଳୟରେ +୨ ବାଣିଜ୍ୟରେ ଅଧ୍ୟୟନରତ।

ସମ୍ବନ୍ଧିତ ଖବର