ମାର୍ଚ ଆରମ୍ଭରୁ ତାତି ରେକର୍ଡ ଛୁଇଁଲାଣି। ଖରାରେ ବାହାରକୁ ବାହାରିବା ଅସହ୍ୟ ହୋଇପଡ଼ୁଛି। ଏଣେ ନ ବାହାରିଲେ ବି ନ ଚଳେ। ତେଣୁ ତାତିର ଏହି ପ୍ରଖରତାରୁ ନିଜ ଶରୀରକୁ ଉପଶମ ଦେବା ପାଇଁ ବଜାର ଭେଟି ଦେଉଛି ବିଭିନ୍ନ କସ୍ମେଟିକ୍ସ। ତେବେ ଏମିତି ସେମିତି ନୁହେଁ, ଟିକେ ଅଲଗା ଲୁକ୍ ସହ ମଧ୍ୟ ଖରାକୁ ସାମ୍ନା କରିବାକୁ ପ୍ରସ୍ତୁତ ଆମ ସ୍ମାର୍ଟ ସିଟିର ସ୍ମାର୍ଟ ଯୁବପିଢ଼ି। ଖାସ୍ କରି ନିଜ ତ୍ୱଚା ଓ ଶରୀର ପ୍ରତି ସଚେତନ ରାଜଧାନୀର ଯୁବକ ଯୁବତୀମାନେ ମୁହଁ, ପାଦ ଓ ଆଖିକୁ ଖରା ଦାଉରୁ ରକ୍ଷା ପାଇଁ ଆପଣାଉଛନ୍ତି ସ୍କାର୍ଫ, ସନ୍ଗ୍ଲାସ୍ ଓ ହାପ୍ ସୁ’। ଏହା ଖାଲି ଖରାର ଦାଉ ସମ୍ଭାଳୁନି ବରଂ ଷ୍ଟାଇଲିଷ୍ଟ୍ ଲୁକ୍ ବି ଦେଉଛି। ରାଜଧାନୀର ବଜାରରେ ବି ଏବେ ଏଭଳି ସାମଗ୍ରୀର ସମ୍ଭାର ଦେଖିବାକୁ ମିଳୁଛି। ଏହାକୁ ନେଇ ସସ୍ମିତା ସାହୁଙ୍କ ସ୍ୱତନ୍ତ୍ର ଉପସ୍ଥାପନା...
ମହିଳାଙ୍କ ପସନ୍ଦ କ୍ୟାଟ୍ ଆଇ ସନ୍ ଗ୍ଲାସ୍, ପୁରୁଷଙ୍କ ମଲ୍ଟିକଲର୍
ରୌଦ୍ର ତାପରୁ ଆଖିକୁୁ ଆଶ୍ୱସ୍ତି ଦେବା ସହ ନିଜକୁ ଷ୍ଟାଇଲିଷ୍ଟ୍ ଲୁକ୍ ଦେବା ପାଇଁ ଯୁବ ପିଢ଼ିଠାରୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ‘ସନ୍ ଗ୍ଲାସ୍’ର ଆଦର ରହିଛି। ଖରାଦିନେ ଅତ୍ୟଧିକ ଖରା ଓ ତାତି ଯୋଗୁଁ ଆଖି ଜଳିବା, ଲୁହ ବୋହିବା ଆଦି ସମସ୍ୟା ଦେଖାଯାଉଥିବା ଦୃଷ୍ଟିରୁ ସନ୍ ଗ୍ଲାସ୍ ଉପଯୋଗୀ। ଆଗରୁ ସନ୍ ଗ୍ଲାସ୍ କେବଳ କଳା ରଙ୍ଗର ଆସୁଥିବା ବେଳେ ବର୍ତମାନ ଲାଲ୍, ନୀଳ, ଗୋଲାପି ରଙ୍ଗ ସହ ମଲ୍ଟି କଲର୍ ସନ୍ ଗ୍ଲାସ୍ ମଧ୍ୟ ଉପଲବ୍ଧ ହେଉଛି। ମଲ୍ଟି କଲର୍ ସନ୍ ଗ୍ଲାସ୍ରେ ଥିବା ‘ମିରର୍ କୋଟିଂ’ଯୋଗୁଁ ଇନ୍ଦ୍ରଧନୁ ସଦୃଶ ଦେଖାଯାଏ। ଏହାଛଡ଼ା ଡୁଆଲ୍ ସେଡ୍ ସନ୍ ଗ୍ଲାସ୍ ମଧ୍ୟ ଅନେକ ଆପଣାନ୍ତି। ମାର୍କେଟରେ ଗୋଲାକାର, ଅଣ୍ଡାକାର, ବର୍ଗାକାର ଆଦି ବିଭିନ୍ନ ଆକୃତିର ଚଷମା ଉପଲବ୍ଧ। ପୁଣି ଫାଷ୍ଟଟ୍ରାକ୍, ଟାଇଟନ୍ ସହ ଆନ୍ତର୍ଜାତିକ ବ୍ରାଣ୍ଡ୍ ରେ ବାନ୍, ପୋଲାରାଇଜ୍, ଭୋଗ୍, ମୌଜିମ୍ ଓ ଓକ୍ଲେ ଆଦି ବ୍ରାଣ୍ଡ୍ର ଚଷମା ଉପଲବ୍ଧ ହେଉଛି। ଏହାର ଦାମ୍ ୮୦୦ ଟଙ୍କାରୁ ଆରମ୍ଭ ହୋଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।
ବାଣୀବିହାରସ୍ଥିତ ଟାଇଟନ୍ ଆଇ ପ୍ଲସ୍ ଷ୍ଟୋର୍ ଇନ୍ଚାର୍ଜ ନବକିଶୋର ବେହେରା କୁହନ୍ତି, ସନ୍ ଗ୍ଲାସ୍ ସାଧାରଣତଃ ଦୁଇ ପ୍ରକାରର। ‘ଏଭିଏଟର୍’ ଓ ‘ଓ୍ଵଫ୍ରିଅର୍’। ‘ଏଭିଏଟର୍’ ସନ୍ ଗ୍ଲାସ୍ର ଫ୍ରେମ୍ ସରୁ ଥିବା ବେଳେ ‘ଓ୍ଵଫ୍ରିଅର୍’ ସନ୍ ଗ୍ଲାସ୍ର ଫ୍ରେମ୍ ଚଉଡ଼ା। ଏହା ସହ ସ୍ପୋର୍ଟି ସନ୍ ଗ୍ଲାସ୍ ମଧ୍ୟ ରହିଛି। ଏହା ଆଖିକୁ ସମ୍ପୂର୍ଣ୍ଣ ଆବୃତ୍ତ କରି ରଖେ। କ୍ଲାସିକ୍ କଲେକ୍ସନ୍ ଚଷମାରେ ସାଧାରଣ ଆକୃତିଠାରୁ ଅପେକ୍ଷାକୃତ ବଡ଼ ଗ୍ଲାସ୍ ଲାଗିଥାଏ। ପୂରା ବଡ଼ ଗ୍ଲାସ୍ ଲାଗିଥିବା ଗ୍ଲାସ୍କୁ ଫ୍ୟାସନ୍ କଲେକ୍ସନ୍ କୁହାଯାଏ। ତେବେ ଯୁବତୀମାନଙ୍କ ମଧ୍ୟରେ ‘କ୍ୟାଟ୍ ଆଇ’ ଓ ‘ବଗ୍ ଆଇ’ ସନ୍ ଗ୍ଲାସ୍ର ବେଶି ଚାହିଦା ରହିଛି। ଯୁବକମାନେ ‘ମଲ୍ଟି କଲର୍ ଏସିଟେଟ୍’ ସନ୍ ଗ୍ଲାସ ଅଧିକ ପସନ୍ଦ କରୁଛନ୍ତି। ୟୁନିସେକ୍ସ ସନ୍ ଗ୍ଲାସ୍ର ଚାହିଦା ବି କିଛି କମ୍ ନୁହେଁ। ଏହାକୁ ଉଭୟ ପୁରୁଷ ଓ ମହିଳା ପିନ୍ଧି ପାରିବେ। ଏହା ସହ ଯେଉଁମାନଙ୍କର ଦୃଷ୍ଟି ଶକ୍ତି କମ୍ ଥାଏ ସେମାନଙ୍କ ପାଇଁ ମଧ୍ୟ ପାଓ୍ଵାର୍ ଥିବା ପୋଲାରାଇଜ୍ଡ୍ ସନ୍ ଗ୍ଲାସ୍ ରହିଛି। ୟୁଭି ପ୍ରୋଟେକ୍ସନ୍ କୋଟିଂ (ଅତି ବାଇଗଣୀ ରଶ୍ମି ନିରୋଧ ଆସ୍ତରଣ) ବା ପଲି କାର୍ବୋନେଟ୍ କୋଟିଂ ନଥିବା ସନ୍ ଗ୍ଲାସ୍ ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି ଚକ୍ଷୁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି।
ଖରାରେ ତାଲିବାନ୍ ଲୁକ୍
ଖରାରେ ଗାଡ଼ିରେ ଯିବା ବେଳେ ହେଉ କିମ୍ବା ଚାଲିଚାଲି ଯିବା ବେଳେ ରାଜଧାନୀର ଯୁବତୀମାନଙ୍କୁ ତାଲିବାନ୍ ଲୁକ୍ରେ ଦେଖିବାକୁ ମିଳୁଛି। ଖରାରେ ମୁହଁର ତ୍ୱଚାକୁ ରକ୍ଷା କରିବା ପାଇଁ ସ୍କାର୍ଫ ସ୍ୱତନ୍ତ୍ର ସ୍ଥାନ ନେଇଛି। ଏଥିପାଇଁ ବଜାରରେ ରଙ୍ଗବେରଙ୍ଗର ଭଳିକି ଭଳି ସ୍କାର୍ଫ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଷ୍ଟୋନ୍ ଓ୍ଵାର୍କ, ମିରର୍ ଓ୍ଵାର୍କ, ରାଜସ୍ଥାନୀ ପ୍ରିଣ୍ଟ୍, ବାଟି ପ୍ରିଣ୍ଟ୍ ସହ ଫ୍ଲୋରାଲ୍ ପ୍ରିଣ୍ଟ୍, ନେକ୍ଲେସ୍ ଷ୍ଟାଇଲ୍ ସ୍କାର୍ଫ ଆଦି ଫ୍ୟାସନେବୁଲ୍ ଲୁକ୍ ଦେଉଛି। ଏହାସହ ଜିନ୍ସ ଓ କୁର୍ତ୍ତିରେ ସୁନ୍ଦର ଭାବେ ପକାଇବା ପାଇଁ ବହୁ ଡିଜାଇନ୍ର ଷ୍ଟଲ୍ ମାର୍କେଟରେ ଉପଲବ୍ଧ। ମାର୍କେଟ ବିଲ୍ଡିଂର ଅଶୋକ ରାଉତଙ୍କ କହିବା ମୁତାବକ, ଏହାର ଦମ୍ ଦେଢ଼ ଶହ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।
ମହିଳାଙ୍କ ପାଇଁ ପଏଣ୍ଟେଡ୍ ଓ ବ୍ଲାକ୍ ହାପ୍ ସୁ’, ପୁରୁଷଙ୍କ ପାଇଁ ଲୋଫର୍ ଓ ମୋଜ୍ଡି
ଗ୍ରୀଷ୍ମ ହେଉ ବା ଶୀତ। ଖରା ଦାଉରୁ ନିଜ ପାଦକୁ ରକ୍ଷା କରିବାକୁ ହାପ୍ ସୁ’ ଏବେ ଫ୍ୟାସନ୍ର ସ୍ଥାନ ନେଲାଣି। ଲେସ୍ ନଥିବା ଜୋତାକୁ ହାପ୍ ସୁ’ କୁହାଯାଏ। ଖାଲି ମହିଳା କାହିଁକି ପୁରୁଷମାନଙ୍କ ଭିତରେ ମଧ୍ୟ ଏହାର ବେଶ୍ ଚାହିଦା ରହିଛି। ତେବେ ଆଜି କାଲି ନରମ୍ ହାପ୍ ସୁ’ର ଚାହିଦା ଅଧିକ। ବୟସ୍କ ବ୍ୟକ୍ତି ମର୍ଣ୍ଣିିଂ ଓ୍ଵାକ୍ରେ ଗଲା ବେଳେ ହେଉ କିମ୍ବା ବଜାରକୁ ଯିବାବେଳେ ଏବଂ ଦୂର ସ୍ଥାନକୁ ଯାତ୍ରା କରିବା ବେଳେ ଏହାକୁ ପିିନ୍ଧି ଚାଲିବା ବେଶ୍ ଆରାମ୍ଦାୟକ। କର୍ମଜୀବୀ ମହିଳା ଓ କଲେଜ ପଢ଼ୁଆ ଝିଅଙ୍କର ମଧ୍ୟ ପସନ୍ଦ ତାଲିକାରେ ହାପ୍ ସୁ’ର ଚାହିଦା ସର୍ବାଗ୍ରେ। ପୂର୍ବରୁ ସାଧାରଣତଃ ଫ୍ଲାଟ୍ ହାପ୍ ସୁ ବଜାରକୁ ଆସୁଥିଲା। କିନ୍ତୁ ବର୍ତ୍ତମାନ ହିଲ୍ ବେଶି ଡିମାଣ୍ଡ୍। ବିଭିନ୍ନ ନାମୀଦାମୀ କମ୍ପାନି ମହିଳାଙ୍କ ପାଇଁ ପଏଣ୍ଟେଡ୍ ହାପ୍ ସୁ’ ଓ ବ୍ଲକ୍ ହାପ୍ ସୁ’ ମଧ୍ୟ ବଜାରକୁ ଛାଡ଼ୁଛନ୍ତି। ଏହା ମଧ୍ୟରେ ଫ୍ରଣ୍ଟ୍ କଭର୍ଡ୍ ଓ ଫୁଲ୍ କଭର୍ଡ୍ ହାପ୍ ସୁ’ ରହିଛି। ଶ୍ରୀୟା ଛକସ୍ଥିତ ‘ମୋଚି’ ସୋ’ ରୁମ୍ର ମହମ୍ମଦ ଆଲମ୍ କୁହନ୍ତି, ବିବାହ ବଜାରରେ ବିଭିନ୍ନ ଷ୍ଟୋନ୍, ମାଳି ଓ କୁନ୍ଦନ ଖଚିତ ଫ୍ରଣ୍ଟ କଭର୍ଡ୍ ହାପ୍ ସୁ’ର ଚାହିଦା ଅଧିକ। ସେମିତିି ପୁଅମାନଙ୍କ ହାପ୍ ସୁ’ରେ ରହିଛି ‘ଲୋଫର୍ ଷ୍ଟାଇଲ୍ ହାପ୍ ସୁ’। ଜିନ୍ସ୍ ସହ ଏହାକୁ ପିନ୍ଧିଲେ ଏହା ଷ୍ଟାଇଲିଷ୍ଟ୍ ଲୁକ୍ ଦିଏ।