ବିବାହ। ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ କହିଲେ ଭୁଲ୍ ହେବ ନାହିଁ। ତାହା ପ୍ରେମ ବିବାହ ହେଉ କି ବ୍ୟବସ୍ଥିତ। ଜୀବନର ଏହି ରୋମାଞ୍ଚଭରା ମୁହୂର୍ତ୍ତକୁ ଜୀବନର ଶେଷ ପର୍ଯ୍ୟନ୍ତ ସ୍ମରଣୀୟ କରିବାକୁ କିଏ ବା ନ ଚାହେଁ। ସେଥିପାଇଁ ଏହି ସ୍ମୃତିକୁ କ୍ୟାମେରାରେ କଏଦ୍ କରି ରଖିବାର ପରମ୍ପରା ବହୁ ବର୍ଷରୁ ରହିଆସିଛି। ନିର୍ବନ୍ଧଠାରୁ ଆରମ୍ଭ କରି ବିବାହର ସମସ୍ତ ରୀତିନୀତିକୁ ନେଇ ଫଟୋ ଓ ଭିଡିଓ କରାଯାଏ। କିନ୍ତୁ ଏଇ କିଛି ଦିନ ହେଲା ବିବାହର ଫଟୋ ଓ ଭିଡିଓ ସୁଟିଂରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ବିବାହ ପୂର୍ବରୁ ‘ପ୍ରି େଓ୍ଵଡିଂ’ ଫଟୋ ଓ ଭିଡିଓ ସୁଟ୍ର ଚାହିଦା ଢେର୍ ବଢ଼ିଯାଇଛି। ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ନିଜ ଭାବି ପତିଙ୍କ ସହ କିଛି ସୁନ୍ଦର ମୁହୂର୍ତ୍ତର ଫଟୋ ଉଠାଇବା ନୂଆ ଟ୍ରେଣ୍ଡ୍ ପାଲଟିଛି। ଏଥି ପାଇଁ ସମସ୍ତେ ହାତଖୋଲା ଖର୍ଚ୍ଚ ବି କରୁଛନ୍ତି। ଯୁବପିଢ଼ିଙ୍କ ଏହି ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ଷ୍ଟୁଡିଓ ତଥା ପ୍ରଫେସ୍ନାଲ୍ ଫଟୋଗ୍ରାଫର୍ମାନେ ଏଥି ପାଇଁ ନୂଆ ନୂଆ ପରିକଳ୍ପନା କରୁଛନ୍ତି। ପ୍ରି ଓ୍ଵଡିଂ, ପୋଷ୍ଟ ଓ୍ଵଡିଂ ଫଟୋ ଓ ଭିଡିଓ ସୁଟ୍କୁ ନେଇ ସସ୍ମିତା ମଲ୍ଲଙ୍କ ସ୍ୱତନ୍ତ୍ର ଉପସ୍ଥାପନା…
ଶୂନଶାନ ରାସ୍ତାରେ ଫଟୋ ସୁଟ୍
ସୁନ୍ଦର ସ୍ଥାନଟି ହେଲେ ଫଟୋ ଉଠାଇବାର ମଜା ଜମିଯାଏ। କେହିକେହି ଏଥିପାଇଁ ଓଡ଼ିଶା ବାହାର ସ୍ଥାନକୁ ପସନ୍ଦ କରୁଥିବା ବେଳେ ଅନେକ ନିଜ ବଜେଟ ଅନୁସାରେ ଓଡ଼ିଶା ଭିତରେ ଥିବା ପାର୍କ, ହୋଟେଲ, ସମୁଦ୍ର, ପାହାଡ଼, ଝରଣା, ମନ୍ଦିର ଓ ନିଛାଟିଆ ରାସ୍ତାକୁ ବାଛନ୍ତି। ପୁରୀ, କୋଣାର୍କ, ବାଲେଶ୍ୱର, ଭୁବନେଶ୍ୱରର ଜୟଦେବ ବାଟିକା, ମେରାଇନ୍ ଡ୍ରାଇଭ, କେନ୍ଦୁଝରର ଖିଚିଂ, ପାହାଡ଼ ଉପରେ ଥିବା ମନ୍ଦିର ପରି ସ୍ଥାନ ଅନେକଙ୍କ ପସନ୍ଦ ବୋଲି ଫଟୋଗ୍ରାଫର୍ ଦୁର୍ଗାମାଧବ ରାଉତ କହିଛନ୍ତି। କେହି କେହି ଶୂନ୍ଶାନ୍ ରାସ୍ତାରେ ଜଳୁଥିବା ଛୋଟ ଲାଇଟ ଓ ଦୁଇ ପାର୍ଶ୍ୱରେ ଥିବା ଗଛ ପାଖେ ଫଟୋ ସୁଟ୍ କରିବାକୁ ପସନ୍ଦ କରନ୍ତି।
ବିନା ପୋଜ୍ରେ ଫଟୋ
ବିବାହ ପୂର୍ବରୁ ଓ ପରେ ନିଜ ମନ ଭିତରେ ଉଙ୍କି ମାରୁଥିବା ଅନେକ ଇଚ୍ଛାକୁ ଫଟୋ ମାଧ୍ୟମରେ କଏଦ୍ କରିବା ପାଇଁ ଏହା ଏକ ଛୋଟ ବାହାନା। ବିବାହ ପରର ଫଟୋ ସୁଟ୍ରେ ଥାଏ ‘ସିନେମାଟିକ୍ େଓ୍ଵଡିଂ ଫଟୋ ସୁଟ୍’। ଏହି ଫଟୋ ସୁଟ୍ ସଂପୂର୍ଣ୍ଣ ଚଳଚ୍ଚିତ୍ର ପରି। ଏଠାରେ ପୁଅ ଓ ଝିଅର ଭାବନା ଫଟୋ ଓ ଭିଡିଓ ମାଧ୍ୟମରେ ପ୍ରକାଶ ପାଇଥାଏ। ପାରମ୍ପରିକ ଫଟୋ ସୁଟ୍ଠାରୁ ଏହା ଟିକେ ଭିନ୍ନ। ଏହା ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପରି। ପୁଣି ‘କ୍ୟାଣ୍ଡିଡ୍ ଫଟୋ ସୁଟ୍’ରେ ବିନା ପୋଜ୍ରେ ଦମ୍ପତିଙ୍କ ଅଜଣାତରେ ଫଟୋ ନିଆଯାଇଥାଏ ବୋଲି ‘ଷ୍ଟୁଡିଓ ଦ କ୍ଲିକ୍’ର ସତ୍ୟ କହିଛନ୍ତି।
ବଜେଟ୍ ୫୦ ହଜାରରୁ ୫ଲକ୍ଷ
ସାଧାରଣତଃ ନିଜର ବଜେଟ ଅନୁସାରେ ବିବାହ ପୂର୍ବ ଓ ପରର ଫଟୋ ସୁଟ୍ କରାଯାଇଥାଏ। ଅର୍ଥ ଅନୁସାରେ ସ୍ଥାନ, ପୋଷାକ ଓ ସଙ୍ଗୀତ ଚୟନ କରାଯାଇଥାଏ। ସେଥିପାଇଁ ଏହାର ବଜେଟ ୫୦ ହଜାର ଟଙ୍କାରୁ ଆରମ୍ଭ ହୋଇ ୫ ଲକ୍ଷରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ରହିଛି ବୋଲି ଫଟୋଗ୍ରାଫର୍ ଅରବିନ୍ଦ ଶତପଥୀ କହିଛନ୍ତି। ଚିତ୍ରୋତ୍ତଳନ ସମୟରେ ସୁନ୍ଦର ଧୀର ଗୀତ ମଧ୍ୟ ବାଜିଥାଏ। ଏହା ମନରେ ରୋମାଣ୍ଟିକ୍ ଭାବନା ଜାଗ୍ରତ କରିଥାଏ।
ସ୍ଥାନ ଦେଖି ପୋଷାକ ଚୟନ
ଅର୍ଥ, ସ୍ଥାନ ଓ ଭଲ କ୍ୟାମେରା ଥିଲେ ମଧ୍ୟ ଭଲ ପୋଷାକ ବିନା ଫଟୋ ସୁଟ୍ ମଜା ପୂରା ଫିକା ପଡ଼ିଯାଏ। ସେଥିପାଇଁ ପୁଅ ଓ ଝିଅଙ୍କ ରଙ୍ଗକୁ ଦେଖି ପୋଷାକ ଠିକ୍ କରାଯାଏ। ପୁଣି ସ୍ଥାନ ଅନୁସାରେ ମଧ୍ୟ ପୋଷାକ ଚୟନ କରାଯାଏ। ପୁଅମାନେ ସାଧାରଣ ପୋଷାକ, କୋଟ୍, ଟକ୍ସିଡୋ, ଟାଏ, ଟ୍ରାଉଜର, କୁର୍ତ୍ତା, ଜିନସ୍ ଓ ଟି-ସାର୍ଟ ପିନ୍ଧୁଥିବା ବେଳେ ଝିଅମାନେ କିଡ୍ ସ୍କର୍ଟ, ଟପସ୍, ଜୁଡ଼ିଦାର, ଗାଉନ, ଲେହେଙ୍ଗା ଓ ଶାଢି ପରି ପୋଷାକ ପିନ୍ଧିଥାଆନ୍ତି। ତା’ ସହିତ ପୁଅ ଓ ଝିଅ କିଛି ଫଟୋ ପାଇଁ ପୋଷାକ ମ୍ୟାଚ୍ କରି ପିନ୍ଧନ୍ତି। ବିବାହ ମଣ୍ଡପରେ ଝିଅ ଲେହେଙ୍ଗା, ଶାଢି ପିନ୍ଧୁଥିବା ବେଳେ ପୁଅଟିଏ ସେର୍ଓ୍ଵାନି ପିନ୍ଧେ। ସମୁଦ୍ର କୂଳରେ ବୁଲୁଥିବା ସମୟରେ ମିନିସ୍କଟ୍ ପିନ୍ଧୁଥିବା ବେଳେ କ୍ୟାଣ୍ଡେ୍ଲ ନାଇଟ୍ ଡିନର ସମୟରେ ଝିଅମାନେ ଗାଉନ୍ ପିନ୍ଧିଥାନ୍ତି।