ଝିପିଝିପି ବର୍ଷାରେ ଭିଜି ଗରମ ଗରମ ଖାଇବାର ମଜା ଯିଏ ନେଇଛି ସିଏ ଜାଣିଛି। କୋହଲା ପାଗରେ ବାମ୍ଫ ଉଠୁଥିବା ସେଇ ଚା’ ପିଆଲାରୁ ଦୁଇ ସୁଡ଼ୁକା ମାରିଦେଲେ ଥରଥର ହାତଟା ହଠାତ୍ ସଳଖି ଉଠେ। ଆଖପାଖରେ ଛଣା ହେଉଥିବା ବରା ପକୁଡ଼ିର ବାସ୍ନା ସେ ଆଡ଼କୁ ବି ଟାଣିନିଏ। କେବେ ସୁପ୍ ଷ୍ଟଲ୍ ତ ପୁଣି କେବେ ମକା ପୋଡ଼ା ଓ ବାଦାମ ଭଜାରେ ବର୍ଷାର ମଜା ନେବାକୁ ମନ ଲୋଡ଼େ। ବର୍ଷାର ଛିଟା ସାଙ୍ଗକୁ ସେଇ ସବୁ ଚଟ୍ପଟି ଟକରା ଖାଦ୍ୟକୁ ନେଇ ପ୍ରଗତି ସାହୁଙ୍କ ପ୍ରସ୍ତୁତି (ଫଟୋ: ଅସିତ)
କପେ ଚା’...
ବର୍ଷାଦିନେ ଚା’ ପିଉ ନଥିବା ଲୋକେ ବି ଚା ପ୍ରେମରେ ପଡ଼ିଯାଆନ୍ତି। ବର୍ଷାରେ ଭିଜି ଥଣ୍ଡା ପଡ଼ିଯାଇଥିବା ହାତରେ ଗରମ ଚା କପ୍ଟେ ଧରିବାର ମଜା ଟିକେ ନିଆରା। ଗ୍ରାହକଙ୍କ ବରାଦ ମୁତାବକ କ୍ଷୀର ଚା’ ସାଙ୍ଗକୁ କେଶର୍ ଟି, ବ୍ଲାକ୍ ଟି, ଲେମନ୍ ଟି, ଗ୍ରିନ୍ ଟି ମଧ୍ୟ ବଜାରରେ ଉପଲବ୍ଧ ହେଉଛି। ସିଆର୍ପି ଛକରେ ଥିବା ରାମ ଭାଇଙ୍କ ଚା’ ଦୋକାନ ବିଭିନ୍ନ ସ୍ୱାଦର ଚା ଭେଟି ଦେଉଥିବା ବେଳେ ଏହା କେବଳ ପାଟି ନୁହେଁ ଦେହକୁ ପାଇଁ ମଧ୍ୟ ଉପଯୋଗୀ ବୋଲି କୁହନ୍ତି ରାମ। ଯୁବପିଢ଼ିଙ୍କ ଡାଏଟିଂ ଓ ଡିମାଣ୍ଡକୁ ନଜରରେ ରଖି ସ୍ପେସାଲ ଚା ପ୍ରସ୍ତୁତ ହେଉଛି।
ମୋମୋ ମାନିଆ...
ମୋମୋ ଓଡ଼ିଆ ଖାଦ୍ୟ ନହେଲେ ମଧ୍ୟ ରାଜଧାନୀରେ ଏହାର ଚାହିଦା ଥିବା ଦେଖିବାକୁ ମିଳୁଛି। ଭେଜିଟେବୁଲ୍, ଚିକେନ୍, ମସରୁମ୍ ମୋମୋ ସାଙ୍ଗକୁ କେବେକେବେ ଫ୍ରାଏଡ୍ ମୋମୋ ଗରାଖଙ୍କୁ ପରଶି ଦେଉଛନ୍ତି ଦୋକାନୀ। ପ୍ଲେଟ୍ରେ ଗରମ ଗରମ ମୋମୋ ସହିତ ରସୁଣ, ଲଙ୍କା ଓ ଟମାଟୋରେ ପ୍ରସ୍ତୁତ ଚଟଣିର ସ୍ୱାଦ ଓ ବାସ୍ନା ପାଟି ଟକରା ଖାଦ୍ୟପ୍ରେମୀଙ୍କୁ ମୋମୋ ଷ୍ଟଲ୍ ନିକଟକୁ ଟାଣିନିଏ।
ଗରମ ପକୁଡ଼ିକୁ କଞ୍ଚାଲଙ୍କା..
ଦିନଯାକ ଯଦି ବର୍ଷା ଲାଗିରୁହେ ତେବେ ସଂଧ୍ୟାରେ ପକୁଡ଼ି ଖାଇବାକୁ ମନ ଲୋଡ଼େ। ଘରେ ହେଉ କି ବାହାରେ। ସାଙ୍ଗସାଥୀଙ୍କ ମେଳରେ ଖଟି ଚାଲୁଥିବା ବେଳେ ଗରମ ଗରମ ପକୁଡ଼ି ସାଙ୍ଗକୁ କଞ୍ଚାଲଙ୍କା ମିଳିଗଲେ ଖଟି ଘଣ୍ଟାଏ ଜାଗାରେ ଦିଗୁଣା ବଢ଼ିଯାଏ। ବାହାରେ ବିହାରୀମାନଙ୍କ ପକୁଡ଼ି ଓ ଜିଲାପି ଷ୍ଟଲ୍ ଖୋଲିଥିବା ବେଳେ ସନ୍ଧ୍ୟାରେ ଖଚାଖଚ ଭିଡ଼ ଜମୁଛି। କୋଚିଲେଇ ହାଟଠାରୁ ବିଗ୍ବଜାର, ବାପୁଜୀନଗର, ମାର୍କେଟ୍ ବିଲ୍ଡିଂ, ଇନ୍ଦ୍ରଧନୁ ମାର୍କେଟ ସବୁଠି ଖୋଲିଛି ପକୁଡ଼ିର ସ୍ୱତନ୍ତ୍ର ଷ୍ଟଲ୍।
ଭଜା ସହ ପୋଡ଼ା.../sambad/media/post_attachments/wp-content/uploads/2018/07/te2-1-300x208.jpg)
ମକା ହେଉ ଅବା ବାଦାମ। ବର୍ଷା ପାଗରେ ରାସ୍ତା କଡ଼ରେ ଛିଡ଼ା ହୋଇ ଗରମ ଗରମ ପୋଡା ମକାଠୁ ଆରମ୍ଭ କରି ଭଜା ବାଦାମ୍ର ମଜା ନେଉଛନ୍ତି ଯୁବପିଢ଼ି। ମକାରେ ଲେମ୍ବୁ ସହ ରାଗ ଚଟଣି କୋହଲା ପାଗକୁ ଜମେଇଦିଏ। ଘର ହେଉ କି ବାହାର ଗରମ ଗରମ ଭଜା ବାଦାମ ସହ ମୁଢ଼ି ମିଳିଗଲେ ଆହୁରି ଜମାଣିଆ ଅନୁଭବ ହୁଏ।
ସୁପ୍ର ହୁପ୍...
ସୁପ୍ରୁ ସୁଡ଼ୁକାଏ ବର୍ଷା ଭିଜା କୋହଲା ଶରୀରକୁ ଉଷୁମ କରିଦିଏ। ଭେଜିଟେବୁଲ୍ ହେଉ କି ଚିକେନ୍। ମଟନ ହେଉ କି ମସରୁମ୍। ଥଣ୍ଡା ପାଗରେ ହୁପ୍ ହୁପ୍ କରି ସୁପ୍ ପିଇବାକୁ ସୁପ୍ ଷ୍ଟଲ୍ ଓ ଫାଷ୍ଟ୍ଫୁଡ୍ ଷ୍ଟଲ୍ରେ ଡିମାଣ୍ଡ୍ ବଢ଼ିଯାଏ। କେବେକେବେ ସ୍ପାଇସି ସୁପ୍ ସହିତ ସସ୍ ବି ବରାଦ ହୁଏ।