ଅଚିହ୍ନା ଶବଙ୍କ ଆତ୍ମୀୟ ପ୍ରଦୀପ

ଯାହାକୁ ସମାଜ ଆଡ଼ କରି ଚାଲିଯାଏ ସେ ତାକୁ ନିଜର ଭାବି ଆଦରି ନିଅନ୍ତି। ଆଜିକାଲି ଅଚିହ୍ନା ଲୋକର ଶବ ଦେଖିଲେ ଅନେକ ମୁହଁ ଢାଙ୍କି ଚାଲିଯାଆନ୍ତି। କିନ୍ତୁ ପ୍ରଦୀପ କୁମାର ପୃଷ୍ଟି ଏ କ୍ଷେତ୍ରରେ ବ୍ୟତିକ୍ରମ। ଯେବେ ଅଚିହ୍ନା ଶବକୁ କେହି ନେବା ପାଇଁ ନ ଆସନ୍ତି ସେବେ ପ୍ରଦୀପ ଏଇ ଶବମାନଙ୍କୁ ମୋକ୍ଷ ଦେବା ପାଇଁ ତା’ର ଦାହ କରନ୍ତି। ନିଜ ସ୍ୱଳ୍ପ ରୋଜଗାରରୁ କିଛି ସଞ୍ଚି ଏ ଦିଗରେ ବ୍ୟୟ କରନ୍ତି। ଘର ତାଙ୍କର ପୁରୁଣା ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ। ଅଟୋ ଚଳାଇ ପରିବାରର ଭରଣପୋଷଣ କରନ୍ତି। କିନ୍ତୁ ଟଙ୍କା ନଥାଇ ବି ସେବା କରିହୁଏ, ତା’ର ଅନନ୍ୟ ଉଦାହରଣ ହେଉଛନ୍ତି ପ୍ରଦୀପ।

ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ ହେଁ ତାଙ୍କ ସେବାର ମହତ୍ୱକୁ ବଖାଣିବା ବେଳେ ଯାହାର ବି ମନ ଶିହିରି ଉଠିବ। ରାଜଧାନୀରେ ଅନେକ ସମୟରେ ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟୁଥିବା ବହୁ ଅଚିହ୍ନା ଶବକୁ ସେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପର୍ଯ୍ୟନ୍ତ ବିନା ଦ୍ୱିଧାରେ ନିଜ ଗାଡ଼ିରେ ବୋହି ନିଅନ୍ତି। ଯଦି ମୃତ ବ୍ୟକ୍ତିଙ୍କର କୌଣସି ଆତ୍ମୀୟସ୍ୱଜନ ନ ଆସନ୍ତି ସେତେବେଳେ ପ୍ରଦୀପ ସେମାନଙ୍କ ଆତ୍ମୀୟ ସାଜନ୍ତି। ଏଥିପାଇଁ ସେ କାହା ଆଗରେ ହାତ ପତାନ୍ତି ନାହିଁ କି କୋଉ ସରକାରୀ ସଂସ୍ଥା ବି ତାଙ୍କୁ ସରକାରୀ ସହାୟତା ଦିଏ ନାହିଁ। ତେବେ ବି ତାଙ୍କ ମନରେ ଅବସୋସ ନାହିଁ। ସେ ଯେ ଖାଲି ଶବ ଦାହ କରୁଛନ୍ତି ତାହା ନୁହେଁ; ଗରିବ, ଅସହାୟ ବ୍ରାହ୍ମଣ ପିଲାଙ୍କ ସମୂହ ବ୍ରତୋପନୟନ ସହ ରୋଗଗ୍ରସ୍ତ ଗରିବ ଲୋକଙ୍କୁ ମାଗଣାରେ ଡାକ୍ତରଖାନା ଯାଏଁ ନେଇ ନିଜ ସାଧ୍ୟ ମତେ ଔଷଧ ବି ଯୋଗାଇ ଦିଅନ୍ତି। ଧନୀ ଲୋକଙ୍କ ପୁରୁଣା ପୋଷାକ ସଂଗ୍ରହ କରି ଏହାକୁ ବିଭିନ୍ନ ବସ୍ତିବାସିନ୍ଦାଙ୍କ ମଧ୍ୟରେ ବାଣ୍ଟିଥା’ନ୍ତି। ପ୍ରଦୀପ ୨୦୦୮ରୁ ଏକାକୀ ଭାବେ ଏପରି କାର୍ଯ୍ୟ କରୁଥିବା ବେଳେ ଗତ ୪ ବର୍ଷ ହେଲା ‘ପ୍ରଦୀପ ସେବା ଟ୍ରଷ୍ଟ’ ନାମରେ ନିଜର ଅନୁଷ୍ଠାନ ଆରମ୍ଭ କରିଛନ୍ତି। ଯେଉଁଥିରେ ନିଜ ଭଳି ୨୦ ଜଣ ସଦସ୍ୟଙ୍କୁ ସାମିଲ କରିଛନ୍ତି।

ପ୍ରଦୀପ କହନ୍ତି, ସେ ଭକ୍ତମଧୁ ବିଦ୍ୟାପୀଠରେ ପଢୁଥିଲା ବେଳେ ଡାଇଜିନ୍‌ ଟାବଲେଟ୍‌କୁ ଚକଲେଟ୍‌ ଭାବି ଖାଇବାକୁ ପ୍ରତିଦିନ ପାଖରେ ଥିବା ମ୍ୟୁନିସିପାଲିଟି ମେଡିକାଲ୍‌କୁ ଯାଆନ୍ତି। ସେତିକିବେଳେ ସେ ମେଡିକାଲ୍‌ରେ ଅନେକ ଅସହାୟ ଗରିବ ରୋଗୀଙ୍କ ଅବସ୍ଥା ଦେଖି ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ। କୌଣସି ରୋଗୀର ମୃତ୍ୟୁ ଘଟିଲେ ଟ୍ରଲି ସଂଗ୍ରହ କରି ତାଙ୍କୁ ମଶାଣିକୁ ବୋହି ନେଉଥିଲେ। ସେଇ ପିଲାଦିନର ପିଲାଳିଆମି ଆଜି ପ୍ରଦୀପଙ୍କୁ ଅସହାୟଙ୍କ ପାଇଁ ଦେବଦୂତ ସଜାଇ ଦେଇଛି। ପ୍ରଦୀପ ନିଜ ରୋଜଗାରରୁ ସଞ୍ଚିି ଶବ ବୋହିବା ପାଇଁ ଆମ୍ବୁଲାନ୍‌ସଟିଏ କିଣିଥିଲେ। କିନ୍ତୁ ଗତ ଦୁଇ ବର୍ଷ ହେବ ତାହା ଅଚଳ। ମରାମତି କରିବାକୁ ବିଧାୟକ, ସାଂସଦ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଭେଟିଛନ୍ତି। ହେଲେ ଆଜିଯାଏଁ ଖାଲି ପ୍ରତିଶ୍ରୁତି ହିଁ ମିଳିଛି।

ତ୍ରିପାଠୀ ଭାଇନାଙ୍କ ସ୍ପେସାଲ୍‌ ମାଲପୁଆ ଆଳୁକଷା

ବ୍ୟବହାର ଓ ଆଦରରେ ସମସ୍ତଙ୍କ ହୃଦୟ ଜିଣୁଥିବା ଲୋକ ହେଉଛନ୍ତି ଭାସ୍କର ଭାଇନା। ତାଙ୍କ ମିଠା କଥା କୁଆଡ଼େ ପେଟ ଭରିଦିଏ ବୋଲି କହିଛନ୍ତି ଦୋକାନକୁ ଆସିଥିବା ଗ୍ରାହକ ସୁମନ ପଣ୍ଡା। ନିରାମିଷ ପସନ୍ଦ କରୁଥିବା ଲୋକଙ୍କ ପାଇଁ ବିନା ପିଆଜ ରସୁଣରେ ସେ ପ୍ରସ୍ତୁତ କରୁଥିବା ଆଳୁକଷା ସାଙ୍ଗକୁ ମାଲପୁଆର ସ୍ୱାଦ ନିଆରା। ମାର୍କେଟ ବିଲଡିିଙ୍ଗ୍‌ରେ ଅଛି ଭାସ୍କର ତ୍ରିପାଠୀଙ୍କ ବାବାମଣି ସ୍ପେସାଲ୍‌ ଆଳୁକଷା ମାଲପୁଆ ଦୋକାନ। ନଖ ଉଷୁମ ସିରାରେ ମଇଦା, ଅଟା, କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ଓ କାଜୁ ଦେଇ ପାଣିଆ ଆଣ ପ୍ରସ୍ତୁତ କରିବା ପରେ ଏହାକୁ କଡ଼ା ଆଞ୍ଚରେ ଗରମ ତେଲରେ ଛଣାଯାଇ ଚିନି ସିରାରେ ପକାନ୍ତି। ତେବେ ବିନା ପିଆଜ ରସୁଣରେ ସେ ପ୍ରସ୍ତୁତ କରନ୍ତି ଆଳୁକଷା। ଗୋଟିଏ ମାଲପୁଆର ଦାମ ୧୨ଟଙ୍କା। ଆଳୁକଷା ସହ ପ୍ଲେଟ୍‌ର ଦାମ ୨୦ଟଙ୍କା। ଖାଦ୍ୟର ଗୁଣବତ୍ତା ସହ ପରିବେଶ ସଫାସୁତରା ରଖିବା ତାଙ୍କର ଭଲ ଗୁଣ। ସେଥିପାଇଁ ସଂଜ ହେଲେ ଚଳଚଞ୍ଚଳ ମାର୍କେଟ ବିଲ୍‌ଡିଙ୍ଗ୍‌ରେ ତାଙ୍କର ଭଲ ବେପାର ହୁଏ ବୋଲି କହିଛନ୍ତି ତ୍ରିପାଠୀ ଭାଇନା।

ସମ୍ବନ୍ଧିତ ଖବର