ଫଟୋରେ ସ୍ମୃତିର ଉପହାର

ଉପହାର… କେବେ ପ୍ରିୟଜନଙ୍କୁ ମନାଇବା ପାଇଁ ତ, ପୁଣି କେବେ ସ୍ବତନ୍ତ୍ର ଦିନକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ଏକ ବାହାନା ମାତ୍ର। କେବେ ଏହା ବିଚ୍ଛେଦ ପରର ମିଳନର ଖୁସିକୁ ଦ୍ବିଗୁଣିତ କରେ, ପୁଣି ହୋଇପାରେ ବିଦାୟ ବେଳର ସ୍ମୃତି। କାହିଁ କେ‌େତ ଦୂରରେ ଥିଲେ ବି ଉପହାର ଦେଖିଲେ, ପୁରୁଣା ଦିନର ସ୍ମୃତି ତାଜା ହୋଇଯାଏ। ଏହି ସ୍ମୃତିରେ ଟିକେ ‌େରାମାଞ୍ଚ ଭରିବା ତଥା ନିଆରାପଣ ଆଣିବା ପାଇଁ ଉପହାରକୁ ନେଇ ଚାଲିଛି ପରୀକ୍ଷା ନୀରିକ୍ଷା। ଉପହାର ଦେବାର ପରମ୍ପରା ବଦଳି ନାହିଁ ସତ କିନ୍ତୁ ବେଳକୁ ବେଳ ଉପହାରର ସ˚ଜ୍ଞା ବଦଳିବାରେ ଲାଗିଛି। ଦିନ ଥିଲା ଭଗବାନଙ୍କ ମୂର୍ତି, ଟେଡି ଓ ଘରସଜ୍ଜା ସାମଗ୍ରୀ ଦେବାର ଟ୍ରେଣ୍ଡ୍‌ ଚାଲିଥିବା ବେଳେ ଫଟୋ ଫ୍ରେମ୍‌ ଏବେ ଏହାର ସ୍ଥାନ ନେଇଛି। ଏବେ ବଜାରକୁ ଆସିଥିବା ଏହି ନୂଆ ଫଟୋ ସବ୍ଲିମେସନ୍‌ ଡିଜାଇନ୍‌କୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

କେକ୍‌ରେ ଫଟୋ

କେକ୍‌ଟିଏ ନ କାଟିଲେ ଜନ୍ମ ଦିନ ହେଉ କି ବିବାହ ବାର୍ଷିକୀ ସବୁ ଅଧୁରା‌ ରହିଯାଏ। ଏହି କେକ୍‌ର ଚାହିଦାକୁ ନଜରରେ ରଖି କେକ୍‌ ମଧ୍ୟ କିଛି ଥିମ୍‌ ନେଇ ଆସୁଛି। ତେବେ ସବୁଠୁ ଆଗରେ ରହିଛି ଫଟୋ ପ୍ରିଣ୍ଟ୍‌ କେକ୍‌। ଗ୍ରାହକଙ୍କ ଫଟୋକୁ ସୁଗାର୍‌ ପ୍ରିଣ୍ଟ୍‌ ଜରିଆରେ ନିଆରା ଶୈଳୀରେ ଉପସ୍ଥାପନ କରାଯାଉଛି। ରସୁଲଗଡ଼ସ୍ଥିତ ମିଓ ଆମୋରେର ସ୍ବତ୍ତ୍ବାଧିକାରୀ ଚନ୍ଦନ ଦଳେଇ କୁହନ୍ତି, ବ‌େର୍ଷ ହେଲା ରାଜଧାନୀକୁ ଏହି ଟ୍ରେଣ୍ଡ୍‌ ଆସିଛି। ଏହାର ଦାମ୍‌ ୭୦୦ ଟଙ୍କାରୁ ଆରମ୍ଭ ହେଉଛି। ଫ୍ଲେଭର୍‌ ଅନୁଯାୟୀ ଏହାର ଦାମ୍‌ ରହିଛି। ଚକ୍‌ଲେଟ୍‌, ଷ୍ଟ୍ରବେରି, ଭାନିଲା ଭଳି ଫ୍ଲେଭର୍‌ ସହ ଏହି ଫଟୋ ପ୍ରିଣ୍ଟ୍‌ କେକ୍ ଉପଲବ୍ଧ ହେଉଛି।

ନବବିବାହିତ ଦମ୍ପତିଙ୍କ ଫଟୋ ପ୍ରିଣ୍ଟ ଟି-ସାର୍ଟ

ନବବିବାହିତ ଦମ୍ପତି ହୁଅନ୍ତୁ ବା ପ୍ରେମିକ ପ୍ରେମିକା, ଟି-ସାର୍ଟରେ ଉଭୟଙ୍କ ଫଟୋ ପ୍ରିଣ୍ଟ୍‌ କରି ଉପହାର ଦେବାର ପରମ୍ପରା ଆରମ୍ଭ ହୋଇଛି। ପୁଣି ନିଜର କୌଣସି ବିଶେଷ ମୂହୂର୍ତ୍ତର ଫଟୋ କିମ୍ବା ନିଜର ଓ ନିଜ ବନ୍ଧୁଙ୍କର ଫଟୋ ପ୍ରିଣ୍ଟ୍‌ କରି ଉପହାରରେ ଦେଇ ନିଜ ଭଲ ପାଇବାକୁ ଜାହିର କରାଯାଇପାରୁଛି। କୌଣସି ସ୍ଥାନକୁ ବୁଲି ଯିବା ସମୟରେ, ପାର୍ଟିରେ ବା କୌଣସି ଏକ ବିଶେଷ ମୂହୂର୍ତ୍ତରେ ଏହାକୁ ପିନ୍ଧିବାକୁ ଯୁବପିଢ଼ି ପସନ୍ଦ କରୁଛନ୍ତି। ଜନ୍ମ ଦିନ, ବିବାହ ବାର୍ଷିକୀରେ ଏହା ସବୁଠାରୁ ଭଲ ଉପହାର ବୋଲି ଅନେକ ମାନୁଛନ୍ତି। କଲେଜ ପଢ଼ୁଆ ପ୍ରେମିକ/ପ୍ରେମିକା ଓ ବନ୍ଧୁମାନେ ଏହାକୁ ଅଧିକ ବ୍ୟବହାର କରୁଥିବା ଦେଖାଯାଉଛି।। ଏହାର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ ହୋଇଥାଏ।

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ଫଟୋ ସବ୍ଲିମେସନ୍‌

ନିତିଦିନିଆ ବ୍ୟବହୃତ ସାମଗ୍ରୀରେ ମଧ୍ୟ ଫଟୋ ସବ୍ଲିମେସନ୍‌ କରାଯାଉଛି। ପିଲାଙ୍କ ଟିଫିନ୍‌ ବକ୍ସ, କଫି ବା ଚା’ ପିଉଥିବା ପାତ୍ରରେ ଫଟୋ ଲଗାଇ ଉପହାର ଦିଆଯାଉଛି। ଏହା ୨୫୦ ଟଙ୍କାରୁ ଆରମ୍ଭ କରି ଡିଜାଇନ୍‌ ଅନୁଯାୟୀ ମୂଲ୍ୟ ରହିଛି। ସେହିପରି ଘରସଜ୍ଜା ଉପକରଣରେ ଯଦି ସମସ୍ତ ପରିବାର ଲୋକ ବା ନିଜର ଫଟୋ ଲାଗିଥାଏ ତେବେ ତାହା ଘରର ସୌନ୍ଦର୍ଯ୍ୟ ଆହୁରି ବଢ଼ାଇ ଦିଏ। କୁସନ, ଛୋଟ ଓ ବଡ଼ ତକିଆ, ଘଣ୍ଟା, ଘରର ପରଦା ବେଡ୍‌ସିଟ୍‌ ଆଦିରେ ନିଜର ବା ନିଜ ପ୍ରିୟଜନଙ୍କ ଫଟୋ ପ୍ରିଣ୍ଟ୍‌ କରି ସେମାନଙ୍କୁ ସ୍ବତନ୍ତ୍ର ଅନୁଭବ ଦିଆଯାଇପାରୁଛି । ଏହାର ଦାମ୍‌ ୫୦୦ ଟଙ୍କାରୁ ଆରମ୍ଭ ହୋଇ ଡିଜାଇନ ଅନୁସାରେ ମୂଲ୍ୟ ରହିଛି।

ମୋବାଇଲ୍‌ କଭର୍‌ରେ ଫଟୋ

ମୋବାଇଲ୍‌କୁ ନେଇ ବଢ଼ୁଥିବା କ୍ରେଜ୍‌କୁ ଦୃଷ୍ଟିରେ ରଖି ବିଭିନ୍ନ ଧରଣର ମୋବାଇଲ୍‌ କଭର୍‌ ବଜାରକୁ ଆସିଲାଣି। ଥ୍ରି-ଡି ମୋବାଇଲ୍‌ କଭର୍‌ ପରେ ଫଟୋ ଫ୍ରେମ୍‌ ମୋବାଇଲ୍‌ କଭର୍‌ ବର୍ତ୍ତମାନ ସମସ୍ତଙ୍କ ପାଇଁ ଆକର୍ଷଣ ସାଜିଛି। ଏଥିରେ ଦୋକା‌ନୀ ମୋବାଇଲ୍‌ ଅନୁଯାୟୀ କଭର୍‌ ଆଣି ଏଥିରେ ଆପଣଙ୍କ ଫଟୋକୁ ଡିଜିଇନ୍‌, ପ୍ରିଣ୍ଟିଂ ଓ ଥ୍ରି-ଡି ମେସିନ୍‌ ସାହାଯ୍ୟରେ କଭର୍‌ରେ ପ୍ରିଣ୍ଟ୍‌ କରି ଦିଅନ୍ତି। ମାଟେରିଆଲ୍‌ ପ୍ଲାଷ୍ଟିକ୍‌ କଭର୍‌ ଉପରେ ପେପର୍‌ କଟିଂ କରି ଭାକ୍ୟୁମ୍‌ ଥ୍ରି-ଡି ମେସିନ୍‌ରେ ଏହି ଫଟୋ ପ୍ରିଣ୍ଟ୍‌ ହୁଏ ବୋଲି କହିଛନ୍ତି ଝାରପଡ଼ା ଜେଲ୍‌ରୋଡ୍‌ସ୍ଥିତ ‘ପ୍ରିଣ୍ଟ୍‌ ଓଡ଼ିଶା’ର ମୁଖ୍ୟ ମଳୟ ଜେନା।

ଘରସଜ୍ଜାରେ ନିଜ ପ୍ରତିଛବି

କାଠର ବହୁଳ ବ୍ୟବହାର ରହିଥିଲେ ମଧ୍ୟ ବର୍ତ୍ତମାନ ଏହା ଘରସଜ୍ଜା ସାମଗ୍ରୀର ସର୍ବାଗ୍ରେ ରହିଛି। ଡିଜାଇନର‌୍‌ମାନେ ଏହାକୁ ଫ୍ୟାସନ୍‌ରେ ସ୍ଥାନ ଦେଇଛନ୍ତି। ପ୍ରାୟ ସମସ୍ତେ ଘରସଜ୍ଜା ହେଉକି କାର୍ଯ୍ୟାଳୟ କାଠ ସାମଗ୍ରୀ ଉପରେ ନିର୍ଭରଶୀଳ। ଏହା ଭିତରେ ଏବେ କାଠ ଫଟୋ ଫ୍ରେମ୍‌ର ଚାହିଦା ଢେର‌୍‌। ଫଟୋ ସବ୍ଲିମେସନ୍‌ ମାଧ୍ୟମରେ ଆପଣ ନିଜ ଫଟୋ ଓ ପ୍ରିୟଜନକଙ୍କ ଫଟୋ କାଠର ଚାବି ରିଙ୍ଗ୍‌, ପରୀକ୍ଷା ବୋର୍ଡ, କାଠର ଲ୍ୟାମ୍ପ ଓ କାଠରେ ତିଆରି ବିଭିନ୍ନ ଜିନିଷରେ ଲଗାଇ ପାରିବେ। ଏହାର ଦାମ୍‌ ୪୦୦ରୁ ଆରମ୍ଭ ହୋଇଥାଏ। ଫ୍ୟାସନରେ କାଚର ବ୍ୟବହାର ମଧ୍ୟ ବହୁ ପୁରୁଣା। ଫଟୋ ସବ୍ଲିମେସନ ମାଧ୍ୟମରେ କାଚରେ ଆପଣ ଓ ଆପଣଙ୍କ ପ୍ରିୟ ଲୋକଙ୍କ ଫଟୋ ଲଗାଯାଇ ପାରୁଛି। କାଚର ପାଣି ବୋତଲ୍‌, କାଚର ଲ୍ୟାମ୍ପ, କାଚ ଫ୍ରେମ୍‌, କ୍ରିଷ୍ଟାଲ ଫଟୋରେ ଏହା ବ୍ୟବହାର କରିପାରିବେ। ଏହାର ଦର ୬୦୦ ଟଙ୍କା ରହିଛି।

ସମ୍ବନ୍ଧିତ ଖବର