ଅଶି ଦଶକର ଚଳଚ୍ଚିତ୍ର ଜଗତର ମହାନାୟକ ମିହିର ଦାସ ଏବେ ବି ଅନେକଙ୍କର ପ୍ରଥମ ପସନ୍ଦ। ପ୍ରେମିକ ହେଉ କି ଭାଇ, ସ୍ୱାମୀ ହେଉ କି ବାପା, ନାୟକ ହେଉ ବା ଖଳନାୟକ। ସମସ୍ତ ଚରିତ୍ରରେ ନିଖୁଣ ଅଭିନୟ କରି ଓଡ଼ିଆ ଦର୍ଶକଙ୍କୁ କେବେ ହସାଇଛନ୍ତି ତ କେବେ କନ୍ଦାଇଛନ୍ତି। ତେବେ ସଫଳତାର ସିଡ଼ି ଚଢ଼ିବା ତାଙ୍କ ପାଇଁ ଏତେ ସହଜ ନଥିଲା। ସେ କୁହନ୍ତି, ପଞ୍ଚମ ଶ୍ରେଣୀ ପଢ଼ିବା ବେଳେ ହିଁ ମୁଁ ଏହି ରଙ୍ଗିନ ଦୁନିଆ ପ୍ରତି ଆକର୍ଷିତ ହୋଇଥିଲି। ପ୍ରଥମେ ଛୋଟ ଛୋଟ ନାଟକରେ ସୁଯୋଗ ମିଳିଥିଲା। ରେଭେନ୍ସାରେ +୨ ପଢ଼ିବା ବେଳେ ଗୋବିନ୍ଦ ତେଜ ମତେ ଡାକି ନେଇ ‘ରାମାୟଣ’ ଚଳଚ୍ଚିତ୍ରରେ ଶତୃଘ୍ନ ଚରିତ୍ର ଦେଇଥିଲେ। ସେଥିପାଇଁ ପ୍ରଯୋଜକ ଧୀର ବିଶ୍ୱାଳ ପାରିଶ୍ରମିକ ୩୦୦ ଟଙ୍କା ଦେଇଥିଲେ। ସେଇ ଟଙ୍କାରେ କୋଲକାତା ବୁଲିଥିଲି। ନିଶ କାଟି ଧନୁସର ଧରି ଶତୃଘ୍ନ ହେବା ଅପୂର୍ବ ଆନନ୍ଦ ଦେଇଥିଲା। ଏବେ ବି ମନେ ପଡ଼ିଲେ ହସ ଲାଗେ। କିନ୍ତୁ ଏହାକୁ ମୁଁ ସିନେମା ବୋଲି ଧରିନଥିଲି। ସମସ୍ତେ କୁହନ୍ତି ‘ରାମାୟଣ’ ହେଉଛି ମୋର ପ୍ରଥମ ଚଳଚ୍ଚିତ୍ର। କିନ୍ତୁ ମୋ ହିସାବରେ ମୋର ପ୍ରଥମ ଫିଲ୍ମ ଥିଲା ‘ସ୍କୁଲ ମାଷ୍ଟର’। ସେଥିରେ ମତେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ମିଳିଥିଲା।
ଚଳଚ୍ଚିତ୍ର ଦୂନିଆରେ କାମ କରିବା ମୋ ପାଇଁ ଯନ୍ତ୍ରଣାମୟ ଥିଲା। ସେଥିପାଇଁ ଭାବିଲି ସବୁ ଛାଡ଼ି ପଳେଇବି। ମାତ୍ର ଏନେଇ ପ୍ରଯୋଜକଙ୍କଠାରୁ ବହୁତ ଗାଳି ଖାଇଲି। ଏତେ ଗାଳି ଶୁଣିଲି ଯେ, ଭାବିଲି କାମ ଛାଡ଼ିକି ପଳେଇବି। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଦର୍ଶକଙ୍କ ଆଦର, ସହଯୋଗ ମତେ ସାହସ ଦେଲା। ନିଜକୁ ସୁହୃଢ଼ କଲି। ସେହି ଦିନଠୁ ମୁଁ ସୁଟିଂ ସେଟ୍ରେ ନିଜକୁ ହଜେଇ ଦେଲି। ଏତେ ସବୁ ସଂଗ୍ରାମ ପରେ ମୋର ଅନୁଭବ କୁହେ ଯେ, ଯଦି ଆମର ଗୋଟିଏ ଜିନିଷ ପାଇବାକୁ ଭଗବାନଙ୍କ ପାଖରେ ୧୦୦ଗୁଣ ଇଛା କରାଯାଏ ତେବେ ଭଗବାନ ନିଶ୍ଚିତ ପୂରଣ କରନ୍ତି। ସେଥିପାଇଁ ବୋଧେ ଏଯାଏଁ ୧୨୦ରୁ ଊର୍ଧ୍ୱ ଚଳଚ୍ଚିତ୍ର କରିସାରିଥିଲେ ବି ଆଜି ମୁଁ ଥକି ପଡ଼ିନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/mihir.jpg)