ଭୁବନେଶ୍ୱର: ଶିକ୍ଷା ଗ୍ରହଣର ଅନ୍ତ ନାହିଁ। ଏହା ଏକ ଜୀବନବ୍ୟାପି ପ୍ରକ୍ରିୟା। ଜୀବନବ୍ୟାପି ଶିକ୍ଷାଗ୍ରହଣକୁ ବ୍ରତଭାବେ ଗ୍ରହଣ କରିଥିବା ବ୍ୟକ୍ତି ହିଁ ସବୁ କ୍ଷେତ୍ରରେ ସଫଳ ହୋଇଥାଏ। ଆଜି ୟୁନିଟ୍-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ସୁବର୍ଣ ଜୟନ୍ତୀ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟପାଳ ଡ. ଏସ୍ସି ଜମିର୍ ଏହା କହିଛନ୍ତି। ବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନଙ୍କ ଅବଦାନ ହିଁ ମୂଳ ବୋଲି ସେ ଏହି ଅବସରରେ କହିଛନ୍ତି। ଭଲ ବିଦ୍ୟାଳୟରୁ ଭଲ ନାଗରିକ ସୃଷ୍ଟି ହୋଇଥାଆନ୍ତି ବୋଲି ମତ ଦେଇ ସେ ଶିକ୍ଷକମାନଙ୍କୁ ଦେଶ ଗଠନରେ ସେମାନଙ୍କ ଭୂମିକା ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଥିକା ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡାକପାଳ ଡ. ସନ୍ତୋଷ କୁମାର କାମିଲା ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବିଦ୍ୟାଳୟ ସ୍ୱୃତିରେ ଏକ ଡାକ ଲଫାପା ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଏମ୍ସି ମେୟର ଅନ୍ତ ନାରାୟଣ ଜେନା, ମଧ୍ୟ ଭୁବନେଶ୍ୱର ବିଧାୟକ ବିଜୟ ମହାନ୍ତି ଅତିଥିଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଓ ପୁରାତନ ଛାତ୍ରମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଚିନ୍ତାମଣି ଆଚାର୍ଯ୍ୟ, ସ୍ୱର୍ଗତ ଜୟକୃଷ୍ଣ ସାହୁଙ୍କ ପାଇଁ ତାଙ୍କ ପୁଅ ଏହି ସମ୍ବର୍ଧନା ଗ୍ରହଣ କରିଥିଲେ। ସେହିଭଳି ପୂର୍ବତନ ପ୍ରଧାନ ଶିକ୍ଷକ ବୈରାଗୀ ଚରଣ ତ୍ରିପାଠୀଙ୍କ ସମେତ ପୁରାତନ ଛାତ୍ର ତଥା ସିଭିରମଣ ଇଂଜିନିୟରିଂ କଲେଜର ପ୍ରତିଷ୍ଠାତା ସଂଜୀବ ରାଉତ, ଅଜିତ୍ ମିଶ୍ର, ସଂଜୟ ତ୍ରିପାଠୀ, ପରମାନନ୍ଦ ପୁରୋହିତଙ୍କୁ ରାଜ୍ୟପାଳ ସମ୍ବର୍ଧନା ଦେଇଥିଲେ। ଆଜିର ସାନ୍ଧ୍ୟ ଅଧିବେଶନରେ ସମ୍ବଲପୁରୀ, ଓଡ଼ିଶୀ ନୃତ୍ୟ ସହ ଘୋଡ଼ା ନାଚ, ଛଉ ନାଚ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/m6-2.jpg)