ଲାଇଫଲାଇନ୍ ସାଜିଛି ଡାଏଲ୍ ୧୦୦

ଘଣ୍ଟାକୁ ଆସୁଛି ଶହେରୁ ଦେଢ଼ ଶହ କଲ୍, ୨୪ ଘଣ୍ଟିଆ ନିରନ୍ତର ସେବା ଯୋଗାଉଛି କଣ୍ଟ୍ରୋଲ ରୁମ୍

ଭୁବନେଶ୍ବର : କରୋନା କାଳରେ ପୁଣି ଲାଇଫ୍ ଲାଇନ ସାଜିଛି ଡାଏଲ୍ ୧୦୦। ଲକ୍‌ଡାଉନ୍‌ରେ କିଏ ଟିକା ପାଇଁ ଯାଉଛି ତ ଆଉ କିଏ କୋଭିଡ୍ ପରୀକ୍ଷା ପାଇଁ। କିଏ ମେଡିକାଲ ଯାଉଛି ତ ଆଉ କିଏ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବା ପାଇଁ। ତେଣୁ ଗତଥର ଭଳି ଏ ବର୍ଷ ମଧ୍ୟ ଡାଏଲ୍ ୧୦୦ ଚଳଚଞ୍ଚଳ ହୋଇଯାଇଛି। ଦିନରାତି ୨୪ ଘଣ୍ଟିଆ ନିରନ୍ତର ସେବା ଯୋଗାଇ ଚାଲିଛନ୍ତି ପୁଲିସ କଣ୍ଟ୍ରୋଲ ରୁମ୍‌ର କର୍ମଚାରୀ। ଲୋକେ ଏଠାକୁ ଫୋନ୍‌ କରି ଅନୁମତି ନେଇପାରୁଛନ୍ତି। ଯେମିତି କେହି ସମସ୍ୟାର ସମ୍ମୁଖୀନ ନ ହେବେ, ତାହା ଉପରେ ପୁଲିସ ଯଥେଷ୍ଟ ଧ୍ୟାନ ଦେଉଛି।

ଗତବର୍ଷ ସମ୍ପୂର୍ଣ୍ଣ ଲକଡାଉନ୍ ସମୟରେ ଡାଏଲ୍ ୧୦୦ର କାର୍ଯ୍ୟ ପରିସର ଯଥେଷ୍ଟ ବଢ଼ି ଯାଇଥିଲା। ପୁଲିସ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଇ-ପାସ୍‌ର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଏକ ସ୍ବତନ୍ତ୍ର ଡେସ୍କ ଖୋଲା ଯାଇଥିଲା। ସେଠାରେ ଅଧିକ ସଂଖ୍ୟକ କର୍ମଚାରୀ ମଧ୍ୟ ମୁତୟନ କରାଯାଇଥିଲା। ସେବା ପାଇବା ପାଇଁ ଆସୁଥିବା କଲକୁ ସେହି ଡେସ୍କକୁ ସ୍ଥାନାନ୍ତର କରାଯାଉଥିଲା। ଏବେ ମଧ୍ୟ ସେହି ହାରରେ କଲ୍ ଆସୁଥିବା ଜଣାପଡ଼ିଛି।

କେମିତି ଯୋଗାଉଛି ସେବା?
ପାଣି, ବିଦ୍ୟୁତ, ପୂର୍ତ୍ତ ଭଳି ସରକାରୀ ଏବଂ ଆଇଟି, ଟେଲିକମ୍, କଲ୍‌ ସେଣ୍ଟର୍‌ ଭଳି କେତେକ ବେସରକାରୀ ସଂସ୍ଥାର କର୍ମଚାରୀ ଜରୁରୀକାଳୀନ ସେବାରେ ନିୟୋଜିତ ଅଛନ୍ତି। ସେମାନଙ୍କ ଭିତରୁ ଚେକ୍‌ପୋଷ୍ଟରେ ଯଦି କେହି ସମସ୍ୟାର ସମ୍ମୁଖୀନ ହେଲେ, ତାହେଲେ ସେମାନେ ଡାଏଲ-୧୦୦କୁ କଲ୍ କରୁଛନ୍ତି। ସମ୍ପୂର୍ଣ୍ଣ ବିବରଣୀ ଦେବା ପରେ କଣ୍ଟ୍ରୋଲ ରୁମ୍ ପକ୍ଷରୁ ଭିଏଚ୍‌ଏଫ୍ ଯୋଗେ କୁହାଯିବା ପରେ ଚେକ୍‌ପୋଷ୍ଟରେ କାର୍ଯ୍ୟରତ ପୁଲିସ କର୍ମଚାରୀ ସେମାନଙ୍କୁ ଛାଡ଼ୁଛନ୍ତି। ସେହିପରି ମେଡିକାଲ, ଟିକା ନେବା କିମ୍ବା କୋଭିଡ୍ ପରୀକ୍ଷା ପାଇଁ ଯାଉଥିବା ବ୍ୟକ୍ତି ସମସ୍ୟାର ସମ୍ମଖୀନ ହେଲେ ଡାଏଲ ୧୦୦କୁ କଲ୍‌ କରି ସେବା ପାଇ ପାରୁଛନ୍ତି। ଏହିଭଳି ଭାବେ ଡାଏଲ୍ ୧୦୦ ସେବା ଯୋଗାଇ ଆସୁଛି।

ଦିନକୁ ଅଢ଼େଇରୁ ୩ ହଜାର କଲ୍
ସାଧାରଣ ଦିନରେ ପ୍ରାୟ ଦେଢ଼ ହଜାରୁ ୨ହଜାର କଲ୍ ଆସୁଥିଲା। କିନ୍ତୁ ଏବେ ଏହି ସଂଖ୍ୟା ଢେର୍ ବଢ଼ି ଯାଇଛି। ଦିନକୁ ପ୍ରାୟ ଅଢ଼େଇ ହଜାରରୁ ୩ ହଜାର ପର୍ଯ୍ୟନ୍ତ କଲ୍ ଆସୁଛି। ଏହାକୁ ହିସାବକୁ ନେଲେ ଘଣ୍ଟାକୁ ଶହେରୁ ଅଧିକ କଲ୍ ଆସୁଛି। କଣ୍ଟ୍ରୋଲ ରୁମରେ ୩ଟି ସିଫ୍ଟରେ କର୍ମଚାରୀମାନେ ୨୪ ଘଣ୍ଟିଆ ସେବା ଯୋଗାଉଛନ୍ତି। ପ୍ରତି ସିଫ୍ଟରେ ୧୮ରୁ ୨୦ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି। ଆସୁଥିବା କଲ୍‌ର ସମାଧାନ କରିବା ସହ ସେବା ପ୍ରଦାନ କରୁଛନ୍ତି। ଅପରାଧ ସମ୍ପର୍କିତ ଖବର ହେଲେ, ପିସିଆର୍‌ ଭ୍ୟାନ୍‌କୁ ପଠାଯିବା ସହ ସମ୍ପୃକ୍ତ ଥାନାକୁ ମଧ୍ୟ ଅବଗତ କରାଯାଉଛି। ଘରୁ ଏତଲା ନେବାର ବ୍ୟବସ୍ଥା ହେବା ପରେ ଡାଏଲ୍ ୧୦୦କୁ ମଧ୍ୟ କେତେକ କଲ୍ ଆସୁଛି।

କି’ ପ୍ରକାର ସେବା ଯୋଗାଉଛି ଡାଏଲ୍ ୧୦୦?
ମେଡିକାଲ, ଟିକାକରଣ, କୋଭିଡ୍ ପରୀକ୍ଷା, ଭେଟେରିନାରି, ପିଏଚ୍‌ଡି, ପିଡବ୍ଲୁଡି, ବିଦ୍ୟୁତ୍‌ କାର୍ଯ୍ୟାଳୟ ଯିବାକୁ ଅନୁମତି ସହ ବିବାହ, ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଆବେଦନର ଅନୁମତି ପ୍ରଦାନ କରାଯାଉଛି। ଏହାବ୍ୟତୀତ ଅପରାଧ ସଂପର୍କିତ କୌଣସି ଅଭିଯୋଗ ହେଲେ, ପୁଲିସ ଘରୁ ଯାଇ ଏତଲା ଆଣୁଛି।

ସମ୍ବନ୍ଧିତ ଖବର