ପରିଚୟ ଫାଉଣ୍ଡେସନ୍‌ର ‘ଶ୍ରୀ ସମ୍ମାନ’: ପ୍ରଣବ ଓ ପ୍ରଦୋଷଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଚନ୍ଦ୍ରଶେଖରପୁର: ପରିଚୟ ଫାଉଣ୍ଡେସନ୍‌ ପକ୍ଷରୁ ଶ୍ରୀ ଆୱାର୍ଡସ୍‌ର ସପ୍ତମ ସଂସ୍କରଣ ସ୍ଥାନୀୟ ହୋଟେଲ୍ ମେ’ ଫେୟାର କନ୍‌ଭେନ୍‌ସନ୍‌ଠାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ, ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଫାଉଣ୍ଡେସନ୍‌ ପକ୍ଷରୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା।

ସେହିପରି ଚିକିତ୍ସା ବିଜ୍ଞାନ ପାଇଁ ଶୋଭନ କୁମାର ରଥ, କଳା ଓ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଗୁରୁ ଶରତ ଦାସ ଓ ଶ୍ରୀନିବାସ ଘଟୁଆରି, ଏନ୍‌ଆରଓ କ୍ଷେତ୍ରରେ ପ୍ରତାପ ଦାସଙ୍କୁ, ସମାଜସେବା ପାଇଁ ଅଭୟ ମହାନ୍ତି, ଶିକ୍ଷା ଓ ଉଦ୍ୟମିତା କ୍ଷେତ୍ର ପାଇଁ ଅନୀଲ ପ୍ରଧାନ, ବ୍ୟବସାୟ ନେତୃତ୍ବ କ୍ଷେତ୍ରରେ ବ୍ରହ୍ମା ମିଶ୍ର, ସାମ୍ବାଦିକତା ପାଇଁ ଦିଲ୍ଲୀପ ହାଲି, କ୍ରୀଡ଼ା ପାଇଁ ଦୀପ୍‌ରଞ୍ଜନ ବିଶୋଇ, ମନୋରଞ୍ଜନ କ୍ଷେତ୍ରରେ କୁନା ତ୍ରିପାଠୀ, କର୍ପୋରେଟ୍ ଉତ୍କର୍ଷ କ୍ଷେତ୍ରରେ ଆର୍‌କେ ମହାପାତ୍ର, ସାହିତ୍ୟ କ୍ଷେତ୍ରରେ ଫନି ମହାନ୍ତି, ସ୍ଥପତି କ୍ଷେତ୍ରରେ ଗଜେନ୍ଦ୍ର କୁମାର ପାଢ଼ୀ, ଦୀର୍ଘସ୍ଥାୟୀ ଫ୍ୟାସନ୍ କ୍ଷେତ୍ରରେ ବିନୟ ଭୂଷଣ ଜେନାଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଶୀତିକଣ୍ଠ ମିଶ୍ର ଓ ରାଜୀବ ଶେଖର ସାହୁଙ୍କୁ ସ୍ବତନ୍ତ୍ର ପୁରସ୍କାର ଏବଂ ସନ୍ତୋଷ ପଟ୍ଟନାୟକ ଓ ଦିଲ୍ଲୀପ ମହାକୁଡ଼ଙ୍କୁ ବିଶେଷ ଉଲ୍ଲେଖ ପୁରସ୍କାର ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଅତିଥି ଭାବେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସାଂସଦ ମୁନ୍ନା ଖାଁ, ସାଂସଦ ଅମର ପଟ୍ଟନାୟକ, ସାଂସଦ ସୁଲତା ଦେଓ, ମେୟର ସୁଲୋଚନା ଦାସ, ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ମୋ ସ୍କୁଲ୍‌ର ଅଧ୍ୟକ୍ଷ ଆକାଶଦାସ ନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଓଏସ୍ଏଚ୍‌ବିର ପୂର୍ବତନ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଲେଖିକା ମାନସୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ସଭାପତି ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ଧନ୍ୟବାଦ ଦେଇଥିଲେ। ଶେଷରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ ଓ ଟିମ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର