ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ମୂର୍ଚ୍ଛନା’ର ୧୯ତମ ବାର୍ଷିକୋତ୍ସବ ଓ ସଂଗୀତ କାର୍ଯ୍ୟକ୍ରମ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ନିତି ରଂଜନ ସେନ୍, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ ଯୋଗ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବୈଷ୍ଣବ ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିବାବେଳେ ସଭାପତି ପ୍ରଦୋଷ ପଟ୍ଟନାୟକ ଅନୁଷ୍ଠାନ ସମ୍ପର୍କରେ କହିଥିଲେ।

Advertisment

ଅନୁଷ୍ଠାନର ସଂପାଦକ ଅଜୟ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାସହ କଣ୍ଠଶିଳ୍ପୀ ଜୟଶ୍ରୀ ସାହୁ, ଅଜୟ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ, ସତରୂପା, ଶୁଭାଶିଷ ମହାକୁଡ଼ ଓ ଆର୍ଯ୍ୟ ଆଚାର୍ଯ୍ୟ ପ୍ରମୁଖ ଓଡ଼ିଆ ଚଳଚ୍ଚିତ୍ରର ପୁରୁଣା ସୁମଧୁର ସଂଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ଅବସରରେ ଚଳିତବର୍ଷ ସଂଗୀତ ସାଧନା ପାଇଁ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କୁ ‘ସଂଗୀତକାର ସମ୍ମାନ’, ଗୀତିକାର ଗୀତା ଖୁଣ୍ଟିଆଙ୍କୁ ‘ଗୀତିକାର ସମ୍ମାନ’, ସଂଗୀତ, ସାହିତ୍ୟ କ୍ଷେତ୍ରରେ ଆଜୀବନ ସାଧନା ପାଇଁ ଗୀତା ପଟ୍ଟନାୟକଙ୍କୁ ‘ଆଜୀବନ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଆଧୁନିକ ନୃତ୍ୟ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉପସଭାପତି ଗୋଲକ ଚରଣ ମାର୍ଥା ଧନ୍ୟବାଦ ଦେଇଥିଲେ। ଅନୁଷ୍ଠାନର କର୍ମକର୍ତ୍ତା ହେମନ୍ତ ପରମଗୁରୁ, ରବୀନ୍ଦ୍ର ମହାନ୍ତି, ତୁଷାରକାନ୍ତି ଚୌଧୁରୀ, ପ୍ରଣୟ ଜେଠୀ, ଦେବେନ୍ଦ୍ର ସାହୁ ଓ ପୁଷ୍ପମିତ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କମଲ କିରଣ ସଂଚାଳନ କରିଥିଲେ।