ଭୁବନେଶ୍ୱର: ରାଜଧାନୀରେ ଗାଡ଼ି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ପୁଣି ଅଧିକାଂଶ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ସେଥିପାଇଁ ରାଜଧାନୀର କିଛିସ୍ଥାନରେ ଫୁଟ୍ ଓଭର୍ବ୍ରିଜ୍ ତିଆରି ହୋଇଛି। ଆହୁରି ଅନେକ ଛକ ଓ ଅନ୍ୟସ୍ଥାନରେ ଫୁଟ୍ ଓଭରବ୍ରିଜ୍ ପାଇଁ ଦାବି ହେଉଛି। ଯଦିଓ ନୂଆ ଓଭରବ୍ରିଜ୍ ପାଇଁ ଦାବି କରାହେଉଛି, କିନ୍ତୁ ପୁରୁଣାଗୁଡ଼ିକର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। କିନ୍ତୁ କାହାରି ଦୃଷ୍ଟି ପଡୁନାହିଁ।
ଦୁଇକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଜୟଦେବ ବିହାର ପାଲ୍ ହାଇଟସ୍ ନିକଟରେ ଥିବା ଫୁଟ୍ ଓଭରବ୍ରିଜ୍ ଶୋଚନୀୟ ସ୍ଥିତିରେ ପଡ଼ିରହିଛି। ଜୟଦେବ ବିହାର ଛକରୁ ନନ୍ଦନକାନନ ରାସ୍ତାଟି ଏକ ବ୍ୟସ୍ତ ରାସ୍ତା ହୋଇଥିବାରୁ ଦୀର୍ଘ ୪ ବର୍ଷର ଦାବି ପରେ ୨୦୧୬ ମସିହା ଅଗଷ୍ଟ ମାସରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏହି ଓଭରବ୍ରିଜ୍ ଉଦ୍ଘାଟିତ ହୋଇଥିଲା। ସେଠାରେ ଲିଫ୍ଟ, ଚାର୍ଜିଂ ପଏଣ୍ଟ ସହିତ ଜୋତା ସଫା କରିବା ମେସିନ ଓ ଥଣ୍ଡା ପାନୀୟ ଜଳର ମଧ୍ୟ ବ୍ୟବସ୍ଥା ରହିଥିଲା। କିନ୍ତୁ ବର୍ତ୍ତମାନ ଏସବୁ କିଛି ନାହିଁ। ଏମିତିକି ବର୍ତ୍ତମାନ ଏଠାରେ ଗୋଟିଏ ପାଖର ଲିଫ୍ଟ କାମ କରୁଥିବାବେଳେ ଅନ୍ୟଟି ଅଚଳ ପଡ଼ିଛି। ଫଳରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ହଇରାଣରେ ପଡ଼ୁଛନ୍ତି। ସେହିପରି ଉଭୟ ସହିଦନଗର ଓ ଭିଏସ୍ଏସ୍ନଗର ବାସିନ୍ଦାଙ୍କ ପକ୍ଷରୁ ପ୍ରାୟ ୫ ବର୍ଷ ଦାବି ପରେ ଗତ ମାର୍ଚ୍ଚ ୨ ତାରିଖରେ ସତ୍ସଙ୍ଗବିହାରଠାରେ ୧ କୋଟି ୨୫ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଫୁଟ୍ ଓଭରବ୍ରିଜକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ। କିନ୍ତୁ ମାତ୍ର ୪ ମାସ ଭିତରେ ଏ ଫୁଟ୍ ଓଭରବ୍ରିଜର ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। ଓଭରବ୍ରିଜ୍ର ଲିଫ୍ଟ ଉଦ୍ଘାଟନ ଦିନରୁ କାମ କରୁନି। ଲିଫ୍ଟ ଆଗରେ କେତେବେଳେ ଅସାମାଜିକ ଲୋକ ଆଡ଼ା ଜମାଉଛନ୍ତି ତ କେତେବେଳେ ବୁଲା ଜୀବଜନ୍ତୁ ଶୋଉଛନ୍ତି। ଓଭରବ୍ରିଜ୍ର ପ୍ରତିଟି ପାହାଚରେ ଗୁଟକା, ଅଧାଜଳା ସିଗାରେଟ୍, ପାନପିକ ଆଦିରେ ଭରି ଯାଇଛି। କେବଳ ସେତିକି ନୁହେଁ, ଏହାର ଡାହାଣ ପାର୍ଶ୍ୱରେ ଥିବା ଫାଙ୍କାସ୍ଥାନଟି ଅସ୍ଥାୟୀ ଶୌଚାଳୟରେ ପରିଣତ ହୋଇଛି। ଫଳରେ ସିଡ଼ିରେ ଚଢ଼ିବା ମାତ୍ରେ ଦୁର୍ଗନ୍ଧରେ ନାକ ଫାଟି ଯାଉଛି। ଏ ଫୁଟ୍ ଓଭର୍ବ୍ରିଜ୍ର ଅବସ୍ଥା ଏତିକି ଦିନରେ ଯାହା ହୋଇଛି, ତା’ର ସ୍ଥାୟୀତ୍ବ ସନ୍ଦେହରେ ପଡ଼ିଗଲାଣି।
ନୟାପଲ୍ଲୀ ଦୁର୍ଗାମଣ୍ଡପ ପାଖରେ ଗୋଟିଏ ପଟେ କସ୍ତୁରବା ସ୍କୁଲ ରହିଛି, ଆଉ ଅନ୍ୟପଟେ ମାର୍କେଟ । ତେଣୁ ଆବଶ୍ୟକତା ଅନୁସାରେ ଲୋକଙ୍କୁ ଏନ୍ଏଚ୍ ପାରହୋଇ ଯିବା ଆସିବା କରିବାକୁ ପଡ଼ୁଥିଲା। ଫଳରେ ସେଠାରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିଲା। ବିଶେଷ କରି ଦୁର୍ଗା ପୂଜା ସମୟରେ ତ ସ୍ଥିତି ଅସମ୍ଭାଳ ହୋଇପଡ଼ୁଥିଲା। ତେଣୁ ଫୁଟ ଓଭରବ୍ରିଜ ନେଇ ଦୀର୍ଘଦିନ ହେଲା ଦାବି ପରେ ସେଠାରେ ମଧ୍ୟ ପ୍ରାୟ ଦେଢ଼କୋଟି ଟଙ୍କାରେ ଫୁଟ ଓଭରବ୍ରିଜ୍ ନିର୍ମାଣ ସରିଛି। କିନ୍ତୁ ସେଠାରେ ମଧ୍ୟ ଲିଫ୍ଟ କାମ କରୁନି। ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।