ସୀମା ଟପିଗଲା ବାର୍ କର୍ମଚାରୀଙ୍କ ବର୍ବରତା: ଲିଫ୍ଟ୍ର ପାୱାର କାଟିଦେଲେ, ୪୦ ମିନିଟ୍ ଫସି ରହିଲେ ବିଏମ୍ସି ଅଧିକାରୀ
ହତ୍ୟା ଉଦ୍ୟମ ଅଭିଯୋଗରେ ୫ ଜଣଙ୍କୁ ଗିରଫ କଲା ପୁଲିସ, କଟକଣା ଉଲ୍ଲଂଘନ, ଦୁଇ ବାର୍ ସିଲ୍
ଚନ୍ଦ୍ରଶେଖରପୁର: ବେପାର ପାଇଁ ବର୍ବରତାର ସବୁ ସୀମା ଟପି ଯାଇଛନ୍ତି ବାର୍ କର୍ତ୍ତୃପକ୍ଷ। ଏପରିକି ଚଢ଼ଉ କରିବାକୁ ଯାଇଥିବା ବିଏମ୍ସି ଜେଡ୍ଡିସି ଲିଫ୍ଟରେ ଯାଉଥିବା ବେଳେ ଲିଫ୍ଟର ପାୱାର ବନ୍ଦ କରି ଅଚଳ କରିଦେବା ସହ ହତ୍ୟା ଉଦ୍ୟମ ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଖବର ପାଇବା ପରେ ପୁଲିସ ପହଞ୍ଚି ଜେଡ୍ଡିସି ଓ ବିଏମ୍ସି କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏପରିକି ବାର୍ କର୍ମଚାରୀ ପୁଲିସ ସହ ଧସ୍ତାଧସ୍ତି ଓ ଗାଳିଗୁଲଜ କରିଥିଲେ। ଏହି ଘଟଣାରେ ପୁଲିସ ବାର୍ ମ୍ୟାନେଜରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚନ୍ଦ୍ରଶେଖରପୁର ଥାନା ନିକଟରେ ଥିବା ବାର୍ କ୍ରିଷ୍ଟାଲ୍ କୋର୍ଟୟାର୍ଡର ମ୍ୟାନେଜର ସନ୍ତୋଷ ବେହେରା, ଆସିଷ୍ଟାଣ୍ଟ ମ୍ୟାଜେନର ଅନନ୍ତ ନାଥ ଓ ଅମିତ୍ ପ୍ରସାଦ, ବିଲିଂ ସୁପରଭାଇଜର ପବିତ୍ର ବେହେରା ଏବଂ ସୁରକ୍ଷାକର୍ମୀ ରାକେଶ ପଣ୍ଡା।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଧାର୍ଯ୍ୟ ସମୟ ପରେ ବାର୍ ଚାଲୁଥିବା ଖବର ପାଇ ବିଏମ୍ସି ପକ୍ଷରୁ ଉତ୍ତର ଜେଡ୍ଡିସି ଓ ୪ଜଣ ପୁଲିସ୍ ର୍କମଚାରୀ ବାର୍ରେ ପହଞ୍ଚିଥିଲେ। କୋଠାର ଦ୍ବିତୀୟ ମହଲାରେ ଥିବା ବାର୍କୁ ଲିଫ୍ଟରେ ଯାଉଥିଲେ। ସେହି ସମୟରେ ସୁରକ୍ଷାକର୍ମୀ ଲିଫ୍ଟର ପାୱାର ବନ୍ଦ କରି ଦେଇଥିଲେ। ଫଳରେ ଲିଫ୍ଟ ଭିତରେ ୪୦ ମିନିଟ୍ ଧରି ସମସ୍ତେ ଫସି ରହିଥିଲେ। ଏପରିକି ସେମାନଙ୍କୁ ନିଶ୍ବାସ ନେବାକୁ କଷ୍ଟକର ହୋଇ ପଡ଼ିଥିଲା। ଲିଫ୍ଟର ଅଳ୍ପ ଫାଙ୍କରେ ନିଶ୍ବାସ ନେଇଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। କର୍ମଚାରୀମାନେ ସେମାନଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଧସ୍ତାଧସ୍ତି କରିଥିଲେ। ପୁଲିସ ହସ୍ତକ୍ଷେପ ପରେ ପାୱାର ଅନ୍ କରିଥିଲେ ସୁରକ୍ଷାକର୍ମୀ। ଏହାପରେ ଜେଡ୍ଡିସି ଓ ଅନ୍ୟ କର୍ମଚାରୀମାନଙ୍କୁ ଉଦ୍ଧାର କରା ଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁଲିସ କର୍ମଚାରୀ ଓ ବିଏମ୍ସି କର୍ମଚାରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ଏହି ଘଟଣାକୁ ନେଇ ବିଏମ୍ସି ଓ ପୁଲିସ ପକ୍ଷରୁ ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ଚଢ଼ଉ ବେଳେ ସରକାରୀ କାର୍ଯ୍ୟକୁ ବିରୋଧ କରି କର୍ମଚାରୀମାନଙ୍କୁ ଅସଦାଚରଣ ଓ ଆକ୍ରମଣ ହୋଇଥିବା ଅଭିଯୋଗରେ ୫ଜଣଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରି ଆଣିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଉକ୍ତ ବାର୍କୁ ମଧ୍ୟ ବିଳମ୍ବିତ ରାତିରେ ସିଲ୍ କରିଦିଆଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ, ହତ୍ୟା ଧମକ, ସରକାରୀ ଅଧିକାରୀଙ୍କୁ ସେମାନଙ୍କ ଡ୍ୟୁଟିରେ ବାଧା ଦେବା ଭଳି ସଙ୍ଗିନ ଦଫାରେ ମାମଲା ରୁଜୁ ହୋଇଛି।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଚଢ଼ଉ ବେଳେ କାହିଁକି ଲିଫ୍ଟକୁ ଅଚଳ କରିଦେଲେ? ସେଠାରେ କିଛି ଅନୈତିକ କାର୍ଯ୍ୟ ଚାଲୁଥିଲା କି ଯାହାକୁ ଲୁଚାଇବାକୁ ଯାଇ ଏପରି ଅମାନୁଷିକ କାର୍ଯ୍ୟ କଲେ? ଏହା ପଛରେ ଆଉ କାହାର ହାତ ରହିଛି? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଛିଡ଼ା ହୋଇଛି। ସବୁ ନିୟମ କାନୁନକୁ ଦଳି ମକଚି, କୋଭିଡ୍ ନିୟମକୁ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଖୋଲି ନାଚଗୀତର ଆସର ଜମାଇବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ବାର ଏବେ ସ୍କାନରରେ ରହିଛି।
କଟକଣା ଉଲ୍ଲଂଘନ, ଦୁଇ ବାର୍ ସିଲ୍
ଭୁବନେଶ୍ୱର: କୋଭିଡ୍ କଟକଣାକୁ ଫୁ’ କରି ଦେଇଛନ୍ତି ବାର୍ ଆଣ୍ଡ ରେଷ୍ଟୁରାଣ୍ଟ ମାଲିକ। ଯେତିକି କାର୍ଯ୍ୟାନୁଷ୍ଠାନ ହେଉଛି ସେତିକି ବେଖାତିର କରୁଛନ୍ତି। ନିକଟ ଅତୀତରେ ଦୁଇଟି ବାର୍ ଉପରେ ବିଏମ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଆଜି ମଧ୍ୟ ଦୁଇଟି ବାର୍କୁ ସିଲ୍ କରାଯାଇଛି। ଗଜପତି ନଗରରେ ଥିବା ‘ମୁଡି ବ୍ଲ୍ୟୁଜ୍’ ବାର୍କୁ ପ୍ରଥମେ ସିଲ୍ କରାଯାଇଛି। କରୋନା କଟକଣା ବଳବତ୍ତର ରହିଥିଲେ ମଧ୍ୟ ବାର୍ ପ୍ରବଳ ଭିଡ଼ ହୋଇଥିଲା। ଲୋକ ଏକାଠି ବସି ଖାଉଥିଲେ। ରାତି ସାଢ଼େ ୧୦ଟା ପରେ ମଧ୍ୟ ଏଭଳି ଉଲ୍ଲଂଘନକୁ ନେଇ ବିଏମ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଠିକ୍ ସେହିଭଳି ସେହି ଅଞ୍ଚଳରେ ଥିବା ଆଉ ଏକ ସ୍ମୋଗ୍ ରେଷ୍ଟୋ କେଫ୍କୁ ମଧ୍ୟ ସିଲ୍ କରାଯାଇଛି। ନାଇଟ୍ କର୍ଫ୍ୟୁ ବଳବତ୍ତର ଥିଲେ ମଧ୍ୟ ଏଠାରେ ଲୋକମାନେ ଭିଡ଼ ଜମାଇଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ସିଲ୍ କରାଯାଇଛି। ନିୟମିତ ଚଢ଼ଉ ଜାରି ରହିଛି। ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟ ନିୟମ ନ ମାନି ବେପାର କରୁଥିବା ଅଭିଯୋଗ ହେବାରୁ ବିଏମ୍ସି ସେମାନଙ୍କୁ ଟାର୍ଗେଟ୍ କରିଛି। କେତେକ ଜାଗାରେ ପୁଲିସ୍ ସହଯୋଗରେ ଏଭଳି ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗ ମଧ୍ୟ ରହିଛି। ଆଜିର ଚଢ଼ଉରେ ଉତ୍ତର ଜୋନ୍ ଡେପୁଟି କମିସନର ପୁରନ୍ଦର ନନ୍ଦଙ୍କ ନେତୃତ୍ବରେ ଜଏଣ୍ଟ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ସହାୟତାରେ ଦକ୍ଷିଣ ଜେଡ୍ଡିସି ଅଂଶୁମାନ ରଥ, ସହକାରୀ କମିସନର (ଏନ୍ଫୋର୍ସମେଣ୍ଟ) ଲିଲନ୍ ପ୍ରସାଦ ସାହୁ, କୋଭିଡ୍ ଓଏସ୍ଡି ସ୍ବରୂପ ବେହେରା ପ୍ରମୁଖ ସାମିଲ ହୋଇଥିଲେ।