ଭୁବନେଶ୍ବର: ପୁଣି ଶୁଭିବ କଳିଙ୍ଗ ଯୁଦ୍ଧର ବର୍ବରକାଣ୍ଡର ଆର୍ତଚିତ୍କାର। ଦେଖିବାକୁ ମିଳିବ ମୌର୍ଯ୍ୟ ସାମ୍ରାଜ୍ୟର ବିଦ୍ରୋହର ଗାଥା, ସମ୍ରାଟ ଅଶୋକଙ୍କର ବୀରତ୍ବ ଓ କ୍ରୂରତାର କଥା। ଦୟା ନଦୀର ସେଇ ରକ୍ତଭିଜା ଆସ୍ତରଣ ଓ ସମ୍ରାଟ ଅଶୋକଙ୍କର ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତନ ନେଇ ଐତିହାସିକ କାହାଣୀ ପୁଣି ଶବ୍ଦ ଓ ରଙ୍ଗିନ ଆଲୋକର ତାଳେ ତାଳେ ଉତ୍ତୋଳିତ ହେବ। ମେ’ ୩ର ସାମୁଦ୍ରିକ ଝଡ଼ ଫନିର ନିର୍ଦ୍ଦୟ ମାଡ଼ରେ ଭାଙ୍ଗି ପଡ଼ିଥିବା ଧଉଳି ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ବ୍ୟବସ୍ଥା ପୁଣି ଥରେ ମୁଣ୍ଡ ଟେକୁଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ କୋଟି ୩୦ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ମରାମତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପର୍ଯ୍ୟଟନ ଋତୁ ସରି ଯାଇଥିଲେ ବି ପୁଣିଥରେ ଲାଇଟ୍‌ ଆଣ୍ଡ୍ ସାଉଣ୍ଡ୍‌ ସୋ’ର ସଚଳ ହେବା ଖବର ପର୍ଯ୍ୟଟକଙ୍କୁ ଉତ୍ସାହିତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହକୁ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଏହି ସୋ’।

Advertisment

୨୦୧୫ ଅଗଷ୍ଟ ମାସରେ ଧଉଳି ଶାନ୍ତିସ୍ତୂପରେ ଆରମ୍ଭ ହୋଇଥିଲା ଓଡ଼ିଶାର ପ୍ରଥମ ଲାଇଟ୍ ଆଣ୍ଡ ସାଉଣ୍ଡ୍‌ ସୋ’। ଏନେଇ ପର୍ଯ୍ୟଟନ ବିଭାଗ ବିଭିନ୍ନ ଦିଗରୁ ପ୍ରଶଂସା ମଧ୍ୟ ସାଉଁଟିଥିଲା। ଦିନକୁ ୨ ଥର ସଂଧ୍ୟା ୬ଟା ଓ ୬.୪୫ରେ ଏହି ସୋ’ ୩୫ ମିନିଟ ଲେଖାଏଁ ଦର୍ଶକଙ୍କୁ ଦେଖାଯାଉଥିଲା। ଏହି ସୋ’ ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ ପ୍ରଦର୍ଶିତ ହେଉଥିବା ବେଳେ ଇଂରାଜୀରେ କବୀର ବେଦୀ, ହିନ୍ଦୀରେ ବିଶିଷ୍ଟ ବଲିଉଡ୍‌ ଅଭିନେତା ଓମ୍‌ ପୁରୀ ଓ ଓଡ଼ିଆରେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ପ୍ରମୁଖ ସଂଳାପ କହିଥିଲେ। ସୋମବାର ଛଡ଼ା ଏହା ପ୍ରତ୍ୟେକ ସଂଧ୍ୟାରେ ଧଉଳି ଶାନ୍ତିସ୍ତୂପର ଧୋବ ଫରଫର କଳାକୃତିରେ ଦେଖିବାକୁ ମିଳୁଥିଲା। ଟିକେଟ ଦାମ୍‌ ମାତ୍ର ୨୫ ଟଙ୍କା ଥିବାରୁ ସଂଧ୍ୟାରେ ସବୁବର୍ଗର ପର୍ଯ୍ୟଟକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳୁଥିଲା। ଓଡ଼ିଶା ପର୍ଯ୍ୟଟନର ସ୍ବର୍ଣ୍ଣ-ତ୍ରିଭୁଜର ଏହି କୋଣ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରୁଥିଲା। କିନ୍ତୁ ଗତ ମେ’ରେ ଫନି ସବୁ ଉଜାଡ଼ି ଦେଲା। ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ର ସମସ୍ତ ସରଞ୍ଜାମ ଭାଙ୍ଗିରୁଜି ଯାଇଥିଲା। ଏପରିକି ଏହାର ପରିଚାଳନା କକ୍ଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହେଲା।

ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ କହିଛନ୍ତି, ଦିଲ୍ଲୀସ୍ଥିତ ଏକ ଘରୋଇ ସଂସ୍ଥା ‘ଟ୍ରାଇକଲର୍‌ ଇଣ୍ଡିଆ’ ଆସି ଏହି ପ୍ରକଳ୍ପର ମରାମତି ଖର୍ଚ୍ଚ ଆକଳନ କରିଥିଲା। ଏହାପରେ ‌ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ’ର ମରାମତି ପାଇଁ ଆଇଟିଡିସିକୁ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା। ଆଇଟିଡିସି ପକ୍ଷରୁ ଟେଣ୍ଡର୍‌ ଆହ୍ବାନ ଦିଆଯାଇ ମରାମତି ପାଇଁ ‘ଟ୍ରାଇକଲର୍‌ ଇଣ୍ଡିଆ’କୁ ଦାୟିତ୍ବ ଦିଆଗଲା। ତେବେ ଏହି ପ୍ରକଳ୍ପର ସମସ୍ତ ମରାମତି ସରିଥିବା ବେଳେ ଆସନ୍ତା ରବିବାର କିଛି ବୈଷୟିକ ଯାଞ୍ଚ କରି ଖୁବ୍‌ଶୀଘ୍ର ସୋ’ ଆରମ୍ଭ ହେବ ବୋଲି ସେ କହିଛନ୍ତି। ପ୍ରକାଶ ଥାଉ କି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ପ୍ରାୟ ୬ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ। କେନ୍ଦ୍ର ସରକାର ୫କୋଟି ଅନୁଦାନ ରାଶି ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ବାକି ଟଙ୍କା ଦେଇଥିଲେ। ଅତ୍ୟାଧୁନିକ ଥ୍ରି-ଡି ପ୍ରୋଜେକ୍‌ସନ୍‌ ମ୍ୟାପିଂ ଟେକ୍‌ନୋଲୋଜି ଓ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଏହି ପ୍ରକଳ୍ପର ଡିଜାଇନ୍‌ ପ୍ରସ୍ତୁତ କରିଥିଲେ। ଓଡ଼ିଶାର ପ୍ରଥମ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ସଫଳ ହେବା ପରେ କୋଣାର୍କ, ବିନ୍ଦୁସାଗର ଆଦିରେ ମଧ୍ୟ ଏହି ବ୍ୟବସ୍ଥା କରାଯାଇଛି।