ବିଏମ୍ସିରେ ଲାଇଟ୍ ଦୁର୍ନୀତି: ଅଧିକାରୀଙ୍କ ଅପାରଗତାରୁ ୨୦ ଲକ୍ଷ ଅଧିକ ଖର୍ଚ୍ଚ
ମରାମତି ବାବଦକୁ ଖର୍ଚ୍ଚ ବର୍ଷକୁ ୭୮ ଲକ୍ଷ
ଭୁବନେଶ୍ବର: ବିଏମ୍ସିରେ ଲାଇଟ୍ କିଣା ଓ ମରାମତିରେ ଚାଲିଥିବା ଦୁର୍ନୀତି ପଦାକୁ ଆସିଛି। ବର୍ଷକୁ ମରାମତି ପାଇଁ ଗୋଟିଏ ଘରୋଇ ସଂସ୍ଥାକୁ ବିଏମ୍ସି ୭୮ଲକ୍ଷ ଟଙ୍କା ଦେଉଥିବା ବେଳେ ଇନ୍ଷ୍ଟଲେସନ ଓ ରକ୍ଷଣାବେକ୍ଷଣ ବାବଦକୁ ବିଏମ୍ସି ଅନ୍ୟ ଏକ ସଂସ୍ଥାକୁ ୧୬କୋଟି ୩ ଲକ୍ଷ ୮୫ ହଜାର ୧୩୪ ଟଙ୍କା ପ୍ରଦାନ କରୁଛି। ଅନ୍ୟପଟେ ଅଧିକାରୀଙ୍କ ଅପାରଗତା କାରଣରୁ ବିଦ୍ୟୁତ୍ ବିଲ୍ ବାବଦକୁ ବିଏମ୍ସି ବର୍ଷକୁ ୨ କୋଟି ୧୧ ଲକ୍ଷ ୩୮ ହଜାର ୮୦୪ ଟଙ୍କା ଅଧିକ ଖର୍ଚ୍ଚ କରୁଛି। ବର୍ଷ ବର୍ଷ ଧରି ଘରୋଇ ସଂସ୍ଥା ଜରିଆରେ ଏଭଳି ହରିଲୁଟ୍ ଚାଲିଛି।
ସମସ୍ତେ ଜାଣୁଥିଲେ ମଧ୍ୟ ନିରବ ବସିଛନ୍ତି। ନା କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ନା ସମୀକ୍ଷା ବେଳେ ଏନେଇ ଆଲୋଚନା ହେଉଛି। ଏହି ସବୁ କାରବାରକୁ ନେଇ ଅଡିଟ୍ ଆପତ୍ତି ଉଠାଇବା ପରେ ଏବେ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଅଡିଟ୍କୁ କି ଉତ୍ତର ଦେବେ ଚିନ୍ତାରେ ପଡ଼ିଛନ୍ତି। କିନ୍ତୁ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି। ଏହି ଉପବିଭାଗର ଦାୟିତ୍ବରେ ଥିବା ଇଞ୍ଜିନିୟର ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇଥିବା କାରଣରୁ ବିଏମ୍ସି ଏଭଳି ବଡ଼ଧରଣର କ୍ଷତି ସହୁଥିବା ଚର୍ଚ୍ଚା ହେଉଛି।
୨୦୧୯-୨୦ ମସିହାରେ ଅଡିଟ୍ ହେବା ବେଳେ ଏଭଳି ଅନେକ ଆପତ୍ତି ଉଠିଛି। ହିସାବ ମୁତାବକ, ବିଏମ୍ସିର ୬୭ ୱାର୍ଡରେ ୭୦ ହଜାର ଏଲ୍ଇଡି ପଏଣ୍ଟ ରହିଛି। ଅର୍ଥାତ୍ ପ୍ରତି ୱାର୍ଡରେ ପ୍ରାୟ ୧୦୪୪ ଲାଇଟ୍ ରହିଛି। ରକ୍ଷଣାବେକ୍ଷଣ ପାଇଁ ବିଏମ୍ସି ଦୁଇଟି ସଂସ୍ଥାକୁ ଠିକା ଦେଇଛି। ସେମାନେ ହେଉଛନ୍ତି, ସୁପର ୱେଲ୍ଥ ଫାଇନାନ୍ସିଆଲ୍ ଏଣ୍ଟରଟେନ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଓ ନିଲ୍ ପ୍ରାଇଭେଟ୍ ଲିମିଟେଡ୍। ୨୦୧୮-୧୯ରେ ମସିହାରେ ମରାମତି, ରକ୍ଷଣାବେକ୍ଷଣ ବାବଦରେ ୧୮ କୋଟି ୩୮ଲକ୍ଷ ୫୬ ହଜାର ୬୬୩ ଟଙ୍କା ପ୍ରଦାନ କରାଯାଇଛି।
ସୁପର ୱେଲ୍ଥ ଫାଇନାନ୍ସିଆଲ୍ ଏଣ୍ଟରଟେନ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ୧୬କୋଟି ୩ ଲକ୍ଷ ୮୫ ହଜାର ୧୩୪ ଟଙ୍କା ନେଇଥିବା ବେଳେ ନିଲ୍୨ କୋଟି ୩୪ ଲକ୍ଷ ୭୧ ହଜାର ୫୨୯ଟଙ୍କା ନେଇଛି। ଏହି ମୋଟା ଅଙ୍କର ଖର୍ଚ୍ଚ ଉପରେ ଅଡିଟ୍ ଆପତ୍ତି ଉଠାଇବା ସହ କେଉଁ ପରିସ୍ଥିତିରେ ଖର୍ଚ୍ଚ ହେଲା ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଯାବତ୍ ବିଏମ୍ସି ଏହି ହିସାବ ଦେଇ ପାରୁନାହିଁ। ବିଦ୍ୟୁତ୍ ବିଲ୍ ୟୁନିଟ୍ ପିଛା ୫ ଟଙ୍କା ୭୦ ପଇସା ଦିଆଯିବ ବୋଲି ସେସୁ(ତତ୍କାଳୀନ ବିଦ୍ୟୁତ ଆବଣ୍ଟନ କମ୍ପାନି)ସହ ଚୁକ୍ତି ହୋଇଥିଲା। ଏହି ଅବଧି(୨୦୧୯-୨୦)ରେ ବିଏମ୍ସି ୨୫ ଲକ୍ଷ ୨୩ ହଜାର ୪୪୨ ୟୁନିଟ୍ ଜାଳିଥିଲା। ୫ ଟଙ୍କା ୭୦ ପଇସା ହିସାବରେ ବିଏମ୍ସି ବିଦ୍ୟୁତ ବିଲ୍ ବାବଦକୁ ୧ କୋଟି ୪୩ ଲକ୍ଷ ୮୩ ହଜାର ୬୧୯ ଟଙ୍କା ପୈଠ କରିବା କଥା। କିନ୍ତୁ ବିଏମ୍ସି ୬ ଟଙ୍କା ୪୫ ହିସାବରେ ବିଦ୍ୟୁତ ବିଲ୍ ବାବଦକୁ ୧କୋଟି ୬୨ ଲକ୍ଷ ୭୬ ହଜାର ୨ଶହ ଟଙ୍କା ପୈଠ କରିଛି।
ଅର୍ଥାତ୍ ବର୍ଷକୁ ୨୦ଲକ୍ଷ ଟଙ୍କା ଏ ବାବଦକୁ ବିଏମ୍ସି ଅତିରିକ୍ତ ଖର୍ଚ୍ଚ କରିଛି। ୫ ବର୍ଷ ହେଲା ଏଭଳି ବିଦ୍ୟୁତ୍ ବିଲ୍ ବାବଦରେ କୋଟିଏ ଟଙ୍କା ବିଏମ୍ସି ରାଜକୋଷରୁ ଗଲାଣି। ଚୁକ୍ତି ଯଦି ହୋଇଥିଲା, ତେବେ ଅବମାନନା କିଏ କଲା ଓ କାହିଁକି ଆବଶ୍ୟକତା ପଡ଼ିଲା, ସେ ନେଇ ପ୍ରଶ୍ନ ଉଠିଛି।
ସେହିଭଳି ୨୦୧୮-୧୯ ମସିହାରେ ଇଲେକ୍ଟ୍ରି ଫିଟିଂ ପାଇଁ ଡିପାର୍ଟମେଣ୍ଟାଲ୍ କାମ ହୋଇଛି। ଅର୍ଥାତ୍ ଠିକା ଦିଆନଯାଇ ବିଏମ୍ସି ଏହି କାମ ନିଜେ କରିଥିବା ଦର୍ଶାଇଛି। ଏଥିପାଇଁ ଇଞ୍ଜିନିୟରଙ୍କ ନାମରେ ୮୨ ଲକ୍ଷ ୮୩ ହଜାର ୭୭୬ ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ଠିକାଦାରଙ୍କ ଜରିଆରେ କାମ ହୋଇଛି ବୋଲି ବିଭିନ୍ନ କାଗଜପତ୍ରରେ ପ୍ରମାଣ ରହିଥିବା ଅଡିଟ୍ ଧରିଛନ୍ତି। ଟେଣ୍ଡର ନ କରି ‘ଡିପାର୍ଟମେଣ୍ଟାଲ ୱାର୍କ’ ନାମରେ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ପୋଷିବା ପାଇଁ ଏଭଳି କାରସାଦି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବିଦ୍ୟୁତ୍ ଉପବିଭାଗ ଦାୟିତ୍ବରେ ଥିବା ସୁକାନ୍ତ କୁମର ସାବତ କହିଛନ୍ତି, ଅଡିଟ୍ର କମ୍ପ୍ଲିଆନ୍ସ୍ ଚାଲିଛି। ବିଦ୍ୟୁତ ବିଲ୍ ଯେତେବେଳେ ଯାହା ଆସିଛି ଦିଆଯାଉଛି। ଅନ୍ୟ ସବୁ ଅଭିଯୋଗର ସତ୍ୟତା ନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ଏଠାରେ ଅନ୍ୟ ଏକ ବଡ଼ ଅଭିଯୋଗ ହେଉଛି ଶ୍ରୀ ସାବତ ଓ ନିର୍ବାହୀ ଯନ୍ତ୍ରୀ(ବିଦ୍ୟୁତ) ଅସୀମ ମିଶ୍ର ୪ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ, ଏହି ଗୋଟିଏ ଉପବିଭାଗ ଦାୟିତ୍ବରେ ଅଛନ୍ତି। ଉଭୟ ବ୍ରହ୍ମପୁରରୁ ଗୋଟିଏ ସମୟରେ ବିଏମ୍ସିକୁ ବଦଳି ହୋଇଆସିଥିଲେ। ଏଣୁ ଉଭୟ ଅଧିକାରୀଙ୍କ ଜାଣତରେ ଏଭଳି କେଳେଙ୍କାରୀ ହେଉଛି ନା ସେମାନେ ଜାଣି ପାରୁନାହାନ୍ତି, ସେନେଇ ଚର୍ଚ୍ଚା ଜୋର୍ ଧରିଛି।