ରାତି ପାହି‌ଲେ ଜାଗର: ଆଶଙ୍କାରେ ଦୀପ କାରିଗର, ବ୍ୟବସାୟୀ

ରାତି ପାହିଲେ ମହାଶିବରାତ୍ରି। କିନ୍ତୁ କୋଭିଡ୍‌ କଟକଣା ପାଇଁ ରାଜଧାନୀର ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ଅନୁମତି ନ ଥିବାରୁ ଦୀପ କାରିଗରମାନେ ଆଶଙ୍କାରେ ରହିଛନ୍ତି। ଲିଙ୍ଗରାଜ ସମେତ ଅନ୍ୟ କେତେକ ପ୍ରମୁଖ ମନ୍ଦିରରେ କୋଭିଡ୍ କଟକଣା ସହ ଦୀପ ଜାଳିବାକୁ ସରକାର ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ କରିଛନ୍ତି। ତଦନୁଯାୟୀ, ଭକ୍ତମାନେ ଏକତ୍ର ବସି ଦୀପ ଜାଳି ପାରିବେ ନାହିଁ। ତେଣୁ ଏହାର ସିଧାସଳଖ ପ୍ରଭାବ ଦୀପ ବଜାର ଉପରେ ପଡ଼ିବ ବୋଲି ଦୀପ କାରିଗର ଓ ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ପୂର୍ବବର୍ଷ ଭଳି ଚଳିତବର୍ଷ ବେପାର ହୋଇନପାରେ ବୋଲି ସେମାନେ କହିଛନ୍ତି। ଅପରପକ୍ଷେ ଏଠାରେ କୋଲକାତାରୁ ଆମଦାନି ଦୀପ ଅଧିକ ବିକ୍ରି ହେଉଥିବାରୁ ଓଡ଼ିଶା କାରିଗରଙ୍କ ଦୀପ ବର୍ଷକୁ ବର୍ଷ କମିବାରେ ଲାଗିଛି।

ଏହା ସାଙ୍ଗକୁ ନକଲି ଘିଅ ବନ୍ଦ ହେବା ଓ ଅନ୍ୟ ଘିଅ ଦାମ୍‌ ବଢ଼ିଯିବା ହେତୁ ବହୁ ଲୋକ ଏବେ ବଡ଼ ଦୀପ ଅପେକ୍ଷା ଛୋଟ ଦୀପକୁ ଅଧିକ ପ୍ରଧାନ୍ୟ ଦେଉଛନ୍ତି ବୋଲି ପୁରୁଣା ଭୁବନେଶ୍ୱରର କୁମ୍ଭାରସାହିସ୍ଥିତ ଦୀପ କାରିଗର ଜଗନ୍ନାଥ ମୁଦୁଲି କହିଛନ୍ତି। କୁମ୍ଭାରସାହିର ଦୀପ କାରିଗରମାନେ କହିଛନ୍ତି, ପ୍ରତିବର୍ଷ ୬ରୁ ୭ଲକ୍ଷ ଦୀପ ବିକ୍ରି ହେଉଥିବା ବେଳେ ୬୦ରୁ ୮୦ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଥାଏ। କିନ୍ତୁ ଏ ବର୍ଷ ଖୁବ୍‌ କମ୍‌ ଦୀପ ବରାଦ ହୋଇଛି। ପ୍ରତିବର୍ଷ ୩-୧୦ କିଲୋଗ୍ରାମ ଘିଅ ଧରୁଥିବା ଦୀପର ଚାହିଦା ଅଧିକ ରହୁଥିଲା। କିନ୍ତୁ ଏ ବର୍ଷ ସେମିତି ଚାହିଦା ନାହିଁ। ଏ ବର୍ଷ ଲୋକେ ୧୦ରୁ ୮୦ଟଙ୍କା ପର୍ଯ୍ୟନ୍ତ ଦୀପ ବେଶି କିଣୁଛନ୍ତି। ଆକାର ଦୃଷ୍ଟିରୁ ୫୦ ଗ୍ରାମ ଘିଅ ଧରୁଥିବା ଦୀପଠାରୁ ଆରମ୍ଭ କରି ୨୫ କିଲୋ ଘିଅ ଧରୁଥିବା ଦୀପ ମଧ୍ୟ ତିଆରି କରାଯାଇଛି। ପ୍ରତିବର୍ଷ ଚଣ୍ଡିଖୋଲ ମହାବିନାୟକ ମନ୍ଦିର, ଭଦ୍ରକ ଆରଡ଼ି, ଲିଙ୍ଗରାଜ ମନ୍ଦିର, ଜଟଣୀ କାଳୀ ମନ୍ଦିର ଓ ନୟାଗଡ଼ ଜଗନ୍ନାଥ ମନ୍ଦିରକୁ ଦୀପ ଯାଇଥାଏ।

ସମ୍ବନ୍ଧିତ ଖବର