ନକଲି ଘିଅ କାରଖାନାରେ ଚଢ଼ଉ ପରେ ମନ୍ଦିରରେ କମିଛି ଦୀପଦାନ

ଭୁବନେଶ୍ବର : ନକଲି ଘିଅ କାରଖାନାରେ ଘନଘନ ଚଢ଼ଉ ହେବା ପରେ ଏବେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ମନ୍ଦିରରେ ଦୀପଦାନ ବହୁ ପରିମାଣରେ କମି ଯାଇଛି। ଶ୍ରଦ୍ଧାଳୁମାନେ ପୂର୍ବଭଳି ଆଉ ଦୀପଦାନ କରୁଥିବା ଦେଖିବାକୁ ମିଳୁ ନାହିଁ। ସେହିଭଳି ମନ୍ଦିରଗୁଡ଼ିକ ନିକଟରେ ଥିବା ପୂଜା ସାମଗ୍ରୀ ଦୋକାନରେ ମଧ୍ୟ ଦୀପ ବେପାର ମାନ୍ଦା ପଡ଼ିଛି। କିଛି ଲୋକ ନକଲି ଘିଅକୁ ଡରି ଦୀପ ଜାଳୁ ନ ଥିବା ବେଳେ ଅନେକେ ଅଧିକ ଦାମ୍‌ ଦେଇ ଭଲ ଘିଅ ଦୀପ ଜାଳିବାକୁ ମନ କରୁନାହାନ୍ତି।

ପୂର୍ବରୁ ମନ୍ଦିରକୁ ଆସି ଶ୍ରଦ୍ଧାଳୁମାନେ ନିହାତି ଦୀପଟିଏ ଜାଳୁଥିଲେ। ଏବେ ଏହି ନକଲି ଘିଅର ଭୟ ସମସ୍ତଙ୍କୁ ଘାରିଛି। ନକଲି ଘିଅ ଦୀପ ଜାଳିବା ଅପେକ୍ଷା ନ ଜାଳିବା ଭଲ ବୋଲି ବହୁ ଶ୍ରଦ୍ଧାଳୁ କେବଳ ଦର୍ଶନ ସାରି ମନ୍ଦିରରୁ ଫେରୁଛନ୍ତି। ରାଜଧାନୀର ରାମ ମନ୍ଦିରକୁ ଉଦାହରଣ ଭାବେ ନେଲେ ଏହା ଜଳଜଳ ଦିଶୁଛି। ଏଠାରେ କପିଳାସ ମହାପାତ୍ର ପୂଜା ସାମଗ୍ରୀ ବିକ୍ରି କରନ୍ତି। ପୂର୍ବରୁ ସେ ପ୍ରତିଦିନ କେବଳ ଦୀପ ଜାଳିବା ପାଇଁ ୧୦ କିଲୋରୁ ଅଧିକ ଘିଅ ବିକ୍ରି କରୁଥିଲେ। କିନ୍ତୁ ଏବେ ମାତ୍ର ଦୁଇ କିଲୋରୁ ତିନି କିଲୋ ଘିଅ ବିକ୍ରି କରିବା କଷ୍ଟକର ହୋଇପଡ଼ିଛି ବୋଲି ସେ କହିଛନ୍ତି। ଏଠାରେ ସାଧାରଣତଃ ଓମଫେଡ୍‌ ଘିଅ ସହ ଅନ୍ୟାନ୍ୟ କମ୍ପାନିର ଘିଅ ବିକ୍ରି ‌ହୋଇଥାଏ। ଘିଅର ଦାମ ୯୦୦ ଟଙ୍କାରୁ ଆରମ୍ଭ ହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସାଧାରଣତଃ ଅଳ୍ପ କିଛି ଶ୍ରଦ୍ଧାଳୁ ଉଚ୍ଚା ମୂଲ୍ୟରେ ଘିଅ କିଣି ଦୀପ ଜାଳନ୍ତି। ମାତ୍ର ବହୁ ଶ୍ରଦ୍ଧାଳୁ କମ୍ ମୂଲ୍ୟର ଘିଅ କିଣିଥା’ନ୍ତି। ଅଧିକାଂଶ ଗ୍ରାହକ ଦୀପ ଜାଳିବା ପାଇଁ ୧୦୦ ଟଙ୍କିଆ ଘିଅ କିଣିବାକୁ ପସନ୍ଦ କରିଥା’ନ୍ତି। ଏହି ଧାରା ବର୍ଷବର୍ଷ ଧରି ଚାଲିଥିଲା। ମାତ୍ର କମ୍‌ ଦାମ୍‌ର ଘିଅ ଯେ ନକଲି ବୋଲି ଶ୍ରଦ୍ଧାଳୁମାନଙ୍କ ଧାରଣା ନଥିଲା। ଚଢ଼ଉ ପରେ ଅଧିକାଂଶ ଶ୍ରଦ୍ଧାଳୁଙ୍କ ମନରେ ଏକପ୍ରକାର ଘୃଣା ଆସିଛି। କମ୍‌ ଦାମ ବୋଲି ନକଲି ଘିଅ ଠାକୁରଙ୍କୁ ସମର୍ପଣ କରିବାକୁ ସେମାନେ ପସନ୍ଦ କରୁନାହାନ୍ତି। ବରଂ ବିନା ଦୀପ ଜାଳି ମନ୍ଦିରରେ ଦର୍ଶନ କରିବେ, ଠାକୁରଙ୍କୁ ନକଲି ଘିଅ ସମର୍ପଣ କରିବେ ନାହିଁ ବୋଲି ସେମାନେ କହିଛନ୍ତି।

ରାମମନ୍ଦିରର ପୂଜକ ଡମ୍ବରୁଧର ମିଶ୍ର ଅନୁରୂପ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପୂର୍ବରୁ ହଜାର ହଜାର ଶ୍ରଦ୍ଧାଳୁ ଦୀପ ଜାଳୁଥିଲେ। ଏବେ ଦୀପ ରହୁଥିବା ସ୍ଥାନ ଫାଙ୍କା ପଡୁଛି। ଯଦି ବି କେହି ଦୀପ ଜାଳୁଛନ୍ତି, ଅସଲି ଘିଅ ଖୋଜୁଛନ୍ତି। ଦାମ୍‌ ଅଧିକ ହେଉ ପଛେ, ସେମାନେ ଅସଲି ଘିଅ ପଚାରି କିଣୁଛନ୍ତି। କିନ୍ତୁ ବହୁ ଶ୍ରଦ୍ଧାଳୁ ଅସଲି ନକଲି ଭିତରେ ଫରକ ବୁଝିବା କଷ୍ଟ ବୋଲି ପୂରା ଦୀପଦାନରୁ ନିବୃତ୍ତ ରହୁଛନ୍ତି।

ୟୁନି୍ଟ୍‌-୧ ହାଟର ପୂଜା ସାମଗ୍ରୀ ବଜାରର ଅବସ୍ଥା ମଧ୍ୟ ସମାନ। ଏଠାରେ ଥିବା ପ୍ରଶାନ୍ତ ବେହେରାଙ୍କ ଦୋକାନରେ ବିଭିନ୍ନ ପ୍ରକାର ଘିଅ ରହିଛି। ଓମ୍‌ଫେଡ ଘିଅକୁ ୫୦୦ଟଙ୍କାରେ ବିକ୍ରି କରୁଥିବା ବେଳେ କ୍ରିଷ୍ଣା, ବାଲାଜୀ ଭଳି କମ୍ପାନିର ଘିଅ କମ୍ ଦାମରେ ବିକ୍ରି ହୋଇଥାଏ। କିନ୍ତୁ ନକଲି ଘିଅ କାରଖାନା ଉପରେ ଚଢ଼ଉ ପରଠାରୁ ଘିଅ ବେପାର ପୂରା ମାନ୍ଦା ହୋଇଯାଇଛି ବୋଲି ସେ କହିଛନ୍ତି। ମାଷ୍ଟରକ୍ୟାଣ୍ଟିନ୍‌ ଛକସ୍ଥିତ ତାରିଣୀ ମନ୍ଦିର ନିକଟରେ ଥିବା ପୂଜା ସାମଗ୍ରୀ ବ୍ୟବସାୟୀ ବାଦଲ କୁମାର ପ୍ରଧାନଙ୍କ କହିବା କଥା, କମ୍ ମୂଲ୍ୟର ଘିଅ ବନ୍ଦ ହେବାରୁ ଏବେ ଦୀପ ଦର ବଢ଼ିଛି। ପୂର୍ବରୁ ଯେଉଁ ଦୀପ ମୂଲ୍ୟ ୫ଟଙ୍କା ଥିଲା, ବର୍ତ୍ତମାନ ତାହା ୧୦ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ହୋଇଛି। ଫଳରେ ଶ୍ରଦ୍ଧାଳୁମାନେ ଆଉ ଆଗ ଭଳି ଦୀପ କିଣୁନାହାନ୍ତି। ପୂର୍ବରୁ ସେ ଦିନକୁ ପ୍ରାୟ ଦୁଇ ଶହ ଦୀପ ବିକ୍ରି କରୁଥିଲେ। ବର୍ତ୍ତମାନ ଦିନକୁ ୪୦ଟା ଦୀପ ବିକ୍ରି ହେବା କଷ୍ଟକର ହେଉଛି। ଲୋକେ କିଣିବା ପୂର୍ବରୁ ହଜାରେ ପ୍ରଶ୍ନ ପଚାରୁଛନ୍ତି।

ସମ୍ବନ୍ଧିତ ଖବର