ଭୁବନେଶ୍ବର: ବିଏମ୍ସି ପକ୍ଷରୁ ପୁରୀ ବାଇପାସ୍ର (ପାଣ୍ଡରା ଛକରୁ ଲିଙ୍ଗିପୁର ପର୍ଯ୍ୟନ୍ତ) ଆଲୋକୀକରଣ କାର୍ଯ୍ୟକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏନ୍ଓସି ଦେଇଛନ୍ତି। ଖୁବ୍ଶୀଘ୍ର ଏହି ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଜଳିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ପୁରୀ ବାଇପାସ୍ ଆଲୋକୀକରଣ ପାଇଁ ୨୦୧୯ ସେପ୍ଟେମ୍ବରରୁ କାର୍ଯ୍ୟାଦେଶ ଦିଆଯାଇଥିଲେ ହେଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହା ଉପରେ ରୋକ୍ ଲଗାଇ ଥିବାରୁ କାମ ବନ୍ଦ ହୋଇ ପଡ଼ିଥିଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଥିଲେ ଯେ, ବିଏମ୍ସି ଏଠାରେ ଆଲୋକୀକରଣ ପାଇଁ ଯେଉଁ ମାନର କାମ କରୁଛି ତାହା ସେମାନଙ୍କ କାର୍ଯ୍ୟସ୍ତରର ନୁହେଁ। ତେଣୁ କ’ଣ କାମ ହେବ, କିପରି ହେବ ତା’ର ସବିଶେଷ ତଥ୍ୟ ଦେବା ପରେ ଏନେଇ ଅନୁମତି ମିଳିବ। ବିଏମ୍ସି ପକ୍ଷରୁ ଏନେଇ ସମସ୍ତ ତଥ୍ୟ ଦେବା ପରେ ବି ଅନୁମତି ମିଳି ନ ଥିଲା। ଏପରିକି ବିଏମ୍ସି କର୍ତ୍ତୃପକ୍ଷ ଅନୁମତି ପାଇଁ ବାରମ୍ବାର ଚିଠି ଲେଖିବା ପରେ ଅନୁମତି ନ ମିଳିବାରୁ ଭୁବନେଶ୍ବର ଏକାମ୍ର ବିଧାୟକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏନେଇ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଥିଲେ। ଶେଷରେ ମାର୍ଚ୍ଚ ୧୬ରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏନେଇ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପୁରୀ ବାଇପାସ୍ ଆଲୋକୀକରଣ ପାଇଁ ୨୦୧୮ରେ ତତ୍କାଳୀନ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୨.୮୫କୋଟି ଟଙ୍କା ବିଏମ୍ସିକୁ ଦେଇଥିଲେ। ପ୍ରାୟ ୧୦କିମିର ରାସ୍ତା ଆଲୋକୀକରଣ ପାଇଁ ବିଏଢ଼୍ସି ପକ୍ଷରୁ ଫେବ୍ରୁଆରି ୭, ୨୦୧୯ରେ ଟେଣ୍ଡର ହୋଇଥିଲା। ଆଉ ସେପ୍ଟେମ୍ବର ୩୦, ୨୦୧୯ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଅକ୍ଟୋବର ୧ରେ କାମ ଆରମ୍ଭ ହେବା ବେଳକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କାମ ବନ୍ଦ କରିଥିଲେ। ଏହାପରେ ବାରମ୍ବାର ଚିଠି ଲେଖିବା ପରେ ପୁରୀ ବାଇପାସ୍ ଆଲୋକୀକରଣ ପାଇଁ ଅନୁମତି ମିଳିଛି। ସୂଚନାଯୋଗ୍ୟ ଯେ, ୨.୮୫କୋଟିରେ ଏହି ଆଲୋକୀକରଣ କାମ ହେବାକୁ ଥିବାବେଳେ ଏଠାରେ ୨୮୦ଟି ବିଦ୍ୟୁତ ଖୁଣ୍ଟ ଲାଗିବ। ପ୍ରତ୍ୟେକ ଖୁଣ୍ଟରେ ଦୁଇଟି ଲେଖାଏ ୧୦୦ ୱାଟ୍ର ଏଲ୍ଇଡି ଲାଇଟ୍ ଲାଗିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/road.jpg)