ଝଲସିବ ପୁରୀ ବାଇପାସ୍‌: ବିଏମ୍‌ସିକୁ ୩କୋଟି ଦେଲା ପର୍ଯ୍ୟଟନ ବିଭାଗ

ଭୁବନେଶ୍ବର: ଖୁବ୍ ଶୀଘ୍ର ଝଲସିବ ପୁରୀ ବାଇପାସ୍‌। ହାଇଟେକ୍ ଛକରୁ ଦୟା ବ୍ରିଜ୍‌ ପର୍ଯ୍ୟନ୍ତ ପ୍ରାୟ ୧୦କିମି ରାସ୍ତାର ଆଲୋକୀକରଣ ହେବ। ଏଥିପାଇଁ ଆବଶ୍ୟକୀୟ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିବ। ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ। ଖୁବ୍ ଶୀଘ୍ର ଏହି ପ୍ରକଳ୍ପର ଶିଳାନ୍ୟାସ ହେବ ବୋଲି ଜଣାପଡ଼ିଛି। ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ପୁରୀ ବାଇପାସ୍‌କୁ ଆଲୋକୀକରଣ କରିବା ପାଇଁ ପର୍ଯ୍ୟଟନ ବିଭାଗ ବିଏମ୍‌ସିକୁ ୨.୯୨କୋଟି ଟଙ୍କା ଦେଇଛି। ଏଥିରେ ଏଲ୍‌ଇଡି ଷ୍ଟ୍ରିଟ୍‌ଲାଇଟ୍ ଲଗାଇବା ପାଇଁ ଆମେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କଠାରୁ ଏନ୍‌ଓସି ଆଣିଛୁ। ତିନି ଚାରି ଦିନ ଭିତରେ ଏହି ପ୍ରକଳ୍ପର ଶିଳାନ୍ୟାସ ହେବ। ଦୁଇ ତିନି ମାସ ମଧ୍ୟରେ ଆଲୋକୀକରଣ କାର୍ଯ୍ୟ ଶେଷ ହେବ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ ଯେ ୨୦୧୪ରୁ ଖୋଲିଥିବା ପୁରୀ ବାଇପାସ୍‌ରେ ଏବେ ସୁଦ୍ଧା ଷ୍ଟ୍ରିଟ୍‌ ଲାଇଟ୍‌ ଲାଗି ପାରିନି। ଯାହାର ସୁଯୋଗ ନେଇ ଏବେ ଏଠାରେ ଦିନକୁ ଦିନ ଲୁଟ୍ ଓ ଅସଦାଚରଣ ବଢ଼ି ଚାଲିଛି। ଏପରିକି ନିୟମିତ ବ୍ୟବଧାନରେ ଦୁର୍ଘଟଣା ବି ଘଟୁଛି। ଏନେଇ ବହୁ ଲୋକ ବିଏମ୍‌ସି ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ବି କିଛି ସମାଧାନ ହେଉନି। ଜାତୀୟ ରାଜପଥ ୨୦୩ର ହାଇଟେକ୍ ଛକରୁ ଦୟା ବ୍ରିଜ୍ ପର୍ଯ୍ୟନ୍ତ ଅଞ୍ଚଳକୁ ପୁରୀ ବାଇପାସ୍‌ କୁହାଯାଇଛି। ସଞ୍ଜ ନଇଁଲେ ଏହା ଏବେ ଅପରାଧୀଙ୍କ ଆଡ଼ାସ୍ଥଳୀ ପାଲଟି ଯାଉଛି। ରାଜଧାନୀ ଭିତରର ଭିଡ଼ କମାଇବା ପାଇଁ ଏହି ରାସ୍ତା ନିର୍ମାଣ ହୋଇଥିଲେ ହେଁ ଲୁଟ୍, ଡକାୟତି ଭୟରେ ବହୁ ଲୋକ ଏହି ରାସ୍ତାରେ ଯାତାୟାତ କରୁନାହାନ୍ତି। ଏପରିକି ଏହି ରାସ୍ତା ପୂରା ଅନ୍ଧାର ରହୁଥିବାରୁ ଏଠାରେ ଗାଈଗୋରୁ ରାତିରେ ଶୋଉଛନ୍ତି। ଆଉ ରାସ୍ତାରେ ଆସୁଥିବା ଗାଡ଼ି ଚାଳକମାନେ ହଠାତ୍ ଏହାକୁ ଦେଖିନପାରି ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ରାସ୍ତା ପାଣ୍ଡରା, ଜଗନ୍ନାଥ ନଗର, କେଶୁରା, ଝାରପଡ଼ା, ଟଙ୍କପାଣି ରୋଡ୍‌, ଲିଙ୍ଗିପୁର ଆଦିକୁ ସଂଯୋଗ କରୁଥିବାରୁ ଏହି ଅଞ୍ଚଳର ଲୋକମାନେ ଜାତୀୟ ରାଜପଥକୁ ଆସିବା ବେଳେ ବି ଦୁର୍ଘଟଣାର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର