ମ୍ୟାନ୍ହୋଲ୍ ଉପରେ ନଜର ରଖିବାକୁ ପରାମର୍ଶ
ରାତି ଅନିଦ୍ରା ରହି ବାଡ଼ ବାନ୍ଧୁଛନ୍ତି ବିଏମ୍ସି କର୍ମଚାରୀ
୭୫ ଜାଗାରୁ ଜଳ ନିଷ୍କାସନ ପାଇଁ ପମ୍ପ ପ୍ରସ୍ତୁତ
ଭୁବନେଶ୍ବର : ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ିଆସୁଛି ବାତ୍ୟା ‘ଗୁଲାବ’। ଏହାର ପ୍ରଭାବ ଖାଲି ଦକ୍ଷିଣ ଓଡ଼ିଶା ନୁହେଁ, ରାଜଧାନୀ ଭୁବନେଶ୍ବର ଉପରେ ବି ପଡ଼ିବ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରି ସାରିଲାଣି ଯେ ରବିବାର ପୂର୍ବାହ୍ନରୁ ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ ସହରରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୩୫ରୁ ୪୫ କିମି ବେଗରେ ପବନ ହେବ। ସ୍ଥଳ ବିଶେଷରେ ପବନ ୫୫ କିମି ବେଗରେ ଝଟ୍କା ଦେବ। ଅର୍ଥାତ୍ ପବନ କମ୍ ହେଲେ ବି ବର୍ଷା ରାଜଧାନୀର ବହୁ ଅଞ୍ଚଳକୁ ବୁଡ଼ାଇ ଦେଇପାରେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନକୁ ପରାମର୍ଶ ଦିଆଯାଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ବର୍ଷା ପବନ ଦ୍ବାରା ସହରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବ। ଘଣ୍ଟାପ୍ରତି ୨୦ରୁ ୩୦ ମିମି ବର୍ଷା ହେବାକୁ ଥିବାରୁ ରାସ୍ତାଘାଟ ଠିକ୍ ଭାବେ ଦୃଶ୍ୟମାନ ହେବ ନାହିଁ। ରାସ୍ତାଘାଟ, ବସ୍ତି, ତଳିଆ ଅଞ୍ଚଳ ଓ ଅଣ୍ଡରପାସ୍ ରୋଡ୍ରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ। ଏପରିକି ଦୁର୍ବଳ ତଥା ଅସୁରକ୍ଷିତ ଘର ମଧ୍ୟ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ୫୦ କିମି ବେଗରେ ପବନ ବହିଲେ ବଡ଼ଗଛର ଡାଳ ଭାଙ୍ଗିବା ସହ ଛୋଟଛୋଟ ଗଛ ମଧ୍ୟ କ୍ଷତିଗସ୍ତ ହେବ। ସମ୍ଭାବ୍ୟ ଜଳବନ୍ଦୀ ପରିସ୍ଥିତିକୁ ନଜରରେ ରଖି ସହରର ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ବର୍ଷା ପବନ ସମୟରେ ଯେତେଦୂର ସମ୍ଭବ କମ୍ ଚଳପ୍ରଚଳ କରିବାକୁ ସହରବାସୀଙ୍କୁ ସତର୍କ କରିଦିଆଯାଇଛି। ଘରୁ ବାହାରିବା ପୂର୍ବରୁ କେଉଁ ରାସ୍ତା ଦେଇ ଯିବେ, ସେଠାକାର ଟ୍ରାଫିକ୍ ସମସ୍ୟା, ବର୍ଷା ଜଳ ସ୍ଥିତି ବିଷୟରେ ଭଲ ଭାବେ ବୁଝିବା ଆବଶ୍ୟକ। ଚାଲିଚାଲି ଯିବା ସମୟରେ ମ୍ୟାନହୋଲ୍ ଓ ବିଦ୍ୟୁତ୍ ତାରଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଦୁଇଦିନ ବନ୍ଦ ରହିବ ଟିକାକରଣ
‘ଗୁଲାବ୍’ ପ୍ରଭାବରେ ଭୁବନେଶ୍ବରରେ ଦୁଇ ଦିନ ପ୍ରବଳ ବର୍ଷା ହେବ। ଏ ନେଇ ଏସ୍ଆର୍ସି ସ୍ପଷ୍ଟ କରିବା ପରେ ୨୬ ତାରିଖ ଓ ୨୭ ତାରିଖ ଦୁଇଦିନ ପାଇଁ ରାଜଧାନୀରେ କୋଭିଡ୍ ଟିକାକରଣ ବନ୍ଦ ରହିବ ବୋଲି ଘୋଷଣା କରିଛି ବିଏମ୍ସି। ପ୍ରବଳ ବର୍ଷାରେ ଲୋକମାନେ ଆସି ଟିକା ନେବା ଓ କର୍ମଚାରୀମାନେ ମଧ୍ୟ ଆସି ଟିକା ଦେବାରେ ସମସ୍ୟା ହୋଇପାରେ। ଏଭଳି ଆଶଙ୍କା କରି ବିଏମ୍ସି ଦୁଇଦିନ ଟିକାକରଣ ବନ୍ଦ ରଖିଛି। ଲୋକମାନେ ପୂର୍ବରୁ ବୁକିଂ କରିଥିଲେ ମଧ୍ୟ ନ ଆସିବାକୁ ବିଏମ୍ସି ପକ୍ଷରୁ ଅନୁରୋଧ କରାଯାଇଛି।
ନିକଟରେ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିଲା। ପରେ ଅସରାଏ ବର୍ଷାରେ ଡ୍ରେନ୍ରେ ଭାସି ଯାଇ ଜଣେ ସ୍କୁଲଛାତ୍ରର ମୃତ୍ୟୁ ଘଟିଥିଲା। ଏଭଳି ଅଘଟଣକୁ ଏଡ଼ାଇବା ଲାଗି ବିଏମ୍ସି ଆଜିଠାରୁ ବାତ୍ୟା ଓ ବର୍ଷା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଲୋକ ଚଳପ୍ରଚଳ କରୁଥିବା ୨୦ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରିଛି। ଏହି ସବୁ ସମ୍ବେଦନଶୀଳ ଜାଗାରେ ରାସ୍ତାରୁ ପ୍ରଖର ବେଗରେ ପାଣି ଡ୍ରେନ୍ ଭିତରକୁ ଯାଉଥିବାରୁ ଲୋକମାନେ ଯିବାଆସିବା ବେଳେ ଡ୍ରେନ୍ ଭିତରକୁ ଖସି ପଡ଼ିବା ଆଶଙ୍କା ରହିଛି। ଏଣୁ ବିଏମ୍ସି କର୍ମଚାରୀମାନେ ରାତି ଅନିଦ୍ରା ରହି ଏହିସବୁ ଜାଗାରେ ବ୍ୟାରିକେଡିଂ କରିଛନ୍ତି। ଇଞ୍ଜିନିୟରିଂ ସେକ୍ସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଯଦି ଏଭଳି ଅଧିକ ସମ୍ବେଦନଶୀଳ ଜାଗା ନଜରକୁ ଆସେ, ତେବେ କାଳ ବିଳମ୍ବ ନ କରି ତୁରନ୍ତ ବ୍ୟାରିକେଡ୍ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍ସି କମିସନର ସଞ୍ଜୟ ସିଂହ।
ସେହିଭଳି ବର୍ଷା ପାଣି ଜମା ହୋଇ ରହୁଥିବା ସହରର ୭୫ ଜାଗା ଚିହ୍ନଟ ହୋଇଛି। ସେସବୁରୁ କିଭଳି ତୁରନ୍ତ ଜଳ ନିଷ୍କାସନ କରାଯାଇ ପାରିବ ସେଥିପାଇଁ ପମ୍ପ ପ୍ରସ୍ତୁତ ରଖାଯାଇଛି। ଅଗ୍ନିଶମ ସେବା ସଂସ୍ଥାକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଏହି ସବୁ ସମ୍ବେଦନଶୀଳ ଜାଗା ବ୍ୟତୀତ ଯଦି ଆଉ କେଉଁଠି ଏଭଳି ସମସ୍ୟା ଦେଖାଯାଏ ତେବେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କୁହାଯାଇଛି। ବର୍ଷାର ପରିମାଣକୁ ଆଖି ଆଗରେ ରଖି ପମ୍ପସେଟ୍ର ସଂଖ୍ୟା ବଢ଼ାଇବାକୁ ସ୍ଥିର ହୋଇଛି। ସେହିଭଳି ଯେଉଁ ଡ୍ରେନ୍ଗୁଡ଼ିକରେ ପାଣିର ପ୍ରବାହ ରୋକିବା ଭଳି ସ୍ଥିତି ରହିଛି; ସେଗୁଡ଼ିକୁ ଚିହ୍ନଟ କରି ସଫା କରିବା ପାଇଁ କୁହାଯାଇଛି। ଏଥିପାଇଁ ଇଞ୍ଜିନିୟରିଂ ସେକ୍ସନ ଉଦ୍ୟମ ଜାରି ରଖିଛି। ପୂର୍ବ ବର୍ଷାରେ ହୋଇଥିବା ପରିସ୍ଥିତିକୁ ଆଧାର କରି ବିଭାଗ ଏହି ସବୁ ସ୍ପଟ୍ଗୁଡ଼ିକୁ ଚିହ୍ନଟ କରୁଛି। ସମସ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି। କୌଣସି ପରିସ୍ଥିତିରେ ଜଳ ଜମିରହିବା ସମସ୍ୟା ପାଇଁ ଯେଭଳି କିଛି ଅଘଟଣ ନ ଘଟେ; ସେଥିପାଇଁ ଯଥାସାଧ୍ୟ ଉଦ୍ୟମ କରିବାକୁ କୁହାଯାଇଛି। ଦିନରାତି ୨୪ ଘଣ୍ଟା ହ୍ବାଟ୍ସ୍ଆପ୍ ଗ୍ରୁପ୍ରେ ଏ ନେଇ ତଥ୍ୟ ଅପ୍ଲୋଡ୍ କରିବା ସହ ସମସ୍ୟା ସମାଧାନ ହେବା ପରେ ଗ୍ରୁପ୍ରେ ସୂଚନା ଦେବାକୁ କୁହାଯାଇଛି। ସମସ୍ୟା ନେଇ ସୂଚନା ମିଳିବା ସଙ୍ଗେ ସଙ୍ଗେ ସମ୍ପୃକ୍ତ ବିଭାଗକୁ କାମ ଆରମ୍ଭ କରିବାକୁ କୁହାଯାଇଛି।
ଆଜି ବ୍ୟାରିକେଡିଂ ହୋଇଥିବା ସମ୍ବେଦନଶୀଳ ଜାଗାଗୁଡ଼ିକ ମଧ୍ୟରେ ୱାର୍ଡ ନମ୍ବର ୧୦ ଓ ୩୧ର ବସନ୍ତ ଭିଲ୍ଲା କଲଭର୍ଟ ଡ୍ରେନ୍, ବୈରାଗୀନଗର ଡ୍ରେନ୍ ସାଇଫନ୍, ଝାରପଡ଼ା କେଶୁରା ରୋଡ୍ କଲଭର୍ଟ ଡ୍ରେନ୍, କସମ ଭିଲ୍ଲା ଡ୍ରେନ୍, ଗଣେଶ ମଣ୍ଡପ ଛକ ଡ୍ରେନ୍, ଲକ୍ଷ୍ମୀସାଗର ରୋଡ୍ ଡ୍ରେନ୍, ତ୍ରିନାଥ ମନ୍ଦିର ପଛ କଲଭର୍ଟ, ଜାଲି ଗଳି ଡ୍ରେନ୍, ନ୍ୟୁ ଫରେଷ୍ଟ ପାର୍କ ଡ୍ରେନ୍, ସ୍ବିଟି କମ୍ପ୍ଲେକ୍ସ ଡ୍ରେନ୍, ଶତାବ୍ଦି ନଗର ଡ୍ରେନ୍(ଯେଉଁଠି ଅଘଟଣ ଘଟିଥିଲା), ପ୍ରକୃତି ବିହାର ଡ୍ରେନ୍, ଇସ୍କନ କଲଭର୍ଟ ଓ ରିଲାଏନ୍ସ କ୍ରିଷ୍ଟା ଟାୱାର କଲଭର୍ଟ ପ୍ରମୁଖ ରହିଛି।
ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଡ୍ରେନ୍ରେ ଭାସିଯାଇ ଜଣେ ଛାତ୍ରଙ୍କ ଜୀବନ ଚାଲିଯିବା ପରେ ଏହା ଉପରେ ଅନେକ ମାନସମନ୍ଥନ ହୋଇଛି। ଏଭଳି ଅଘଟଣର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଯୋଜନା ହୋଇଛି। ଏହି ଅଘଟଣ ଘଟିବା ପରେ ହିଁ ସମ୍ବେଦନଶୀଳ ଜାଗାଗୁଡ଼ିକୁ ଚିହ୍ନଟ କରାଯାଇଥିଲା। ଫଳରେ ବାତ୍ୟା ନେଇ ଆଜି ଏସ୍ଆର୍ସି ସ୍ପଷ୍ଟ କରିବା ପରେ ତୁରନ୍ତ ବ୍ୟାରିକେଡିଂ କରାଯାଇଛି। ତେବେ ସହରରେ ଆହୁରି କିଛି ସମ୍ବେଦନଶୀଳ ଜାଗା ଚିହ୍ନଟ ଚାଲିଛି। ଆସନ୍ତାକାଲି ଏହି ବ୍ୟାରିକେଡିଂ ସଂଖ୍ୟା ବଢ଼ିପାରେ ବୋଲି ସେ କହିଛନ୍ତି।