ରାଜ୍ୟରେ ୪ ପର୍ଯ୍ୟନ୍ତ ବର୍ଷା, ୫ରୁ ପୁଣି ଲେଉଟିବ ଶୀତ

ପାଚିଲା ଧାନ ଉଜାଡ଼ିବ ବର୍ଷା!

ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ
ଅର୍ଧାଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ୨୦୨୦ର ପ୍ରଥମ ଦିନ ରାଜ୍ୟରେ କୋହଲା ପାଗ ରହିବ। ପୂର୍ବାହ୍ନରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଆଉ ଅପରାହ୍‌ଣ ବେଳକୁ କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ମୟୂରଭଞ୍ଜ, ବୌଦ୍ଧ, ସୋନପୁର ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ଲାଗିରହିବ। କାଁ ଭାଁ ସ୍ଥାନରେ କୁଆପଥର ବି ପଡ଼ିପାରେ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏଭଳି ପାଗ ଲାଗି ରହିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଏହି ବର୍ଷା ଯୋଗୁଁ ପାଚିଲା ଧାନ ଉଜୁଡ଼ିବା ନେଇ ଆଶଙ୍କା ସୃଷ୍ଟି ହେଲାଣି। କେନ୍ଦ୍ରାପଡ଼ାରୁ କୋରାପୁଟ ହେଉ କି ମୟୂରଭଞ୍ଜରୁ ବୌଦ୍ଧ; ସବୁଠି ସମାନ ଅବସ୍ଥା। କେଉଁଠି ଧାନ କଟା ହୋଇ ବିଲରେ ପଡ଼ିଛି ତ ଆଉ କେଉଁଠି ଜମିରେ ଛିଡ଼ା ହୋଇ ରହିଛି ପାଚିଲା ଧାନ ଗଛ। ଗୋଟିଏ ଦିନରେ ସବୁ ଧାନ ଅମଳ କରିବା ବି କଷ୍ଟକର ବ୍ୟାପାର। ସେପଟେ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା‌ ୪ ଦିନ କୋହଲା ପାଗ ସହ ହାଲୁକା ବର୍ଷା ହେବାକୁ ଥିବାରୁ ଚାଷୀମା‌ନେ ପାଚିଲା ଧାନକୁ ତୁରନ୍ତ ଅମଳ କରିବାକୁ ପରାମର୍ଶ ଦିଆଯାଇଛି। ଯଦି ଧାନ କାଟି ସାରିଛନ୍ତି ତେବେ ତାହାକୁ ଖଳାକୁ ନେଇଆସନ୍ତୁ ଏବଂ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଏପରିକି ମଣ୍ଡିରେ ଥିବା ଧାନଗୁଡ଼ିକ କିଭଳି ସୁରକ୍ଷିତ ରହିବ, ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର ସମସ୍ତ ଜିଲ୍ଲାପାଳଙ୍କ ଲାଗି ସତର୍କ ସୂଚନା ଜାରି କରିଛନ୍ତି। ସ୍ଥିତି ଉପରେ ନଜର ‌ରଖିବାକୁ ପରାମର୍ଶ ଦିଆଯାଇଛି। କୁହାଯାଇଛି ଯେ ବୁଧବାର ଅପରାହ୍‌ଣରୁ ମେଘୁଆ ପାଗ ସୃଷ୍ଟି ହେବ। ଜାନୁଆରି ୪ ତାରିଖ ସକାଳ ମଧ୍ୟରେ ବର୍ଷା ଲାଗି ରହିବ। ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଗଜପତି, ରାୟଗଡ଼ା, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ଘୂର୍ଣ୍ଣିଝଡ଼ ଓ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସହ କୁଆପଥର ପଡ଼ିବାର ସମ୍ଭାବନା ରହିଛି। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ଜାନୁଆରି ୪ ଓ ୫ ତାରିଖ ପୂର୍ବାହ୍ନ ସୁଦ୍ଧା ଭଦ୍ରକ, ବାଲେଶ୍ବର, ଖୋର୍ଧା, କଟକ, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ସହ କୁଆପଥର ପଡ଼ିବାର ସମ୍ଭାବନା ଅଧିକ। ଏହା ପରଠାରୁ ପାଗରେ ପରିବର୍ତନ ଆସିବ। ବର୍ଷା କମିବା ସହ ପୁଣିଥରେ ଥଣ୍ଡା ଲେଉଟିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ୪ଦିନ ଧରି ମେଘୁଆ ଓ ବର୍ଷା ପାଗ ରହିବ। ୧ ତାରିଖ ଅପରାହ୍‌ଣଠାରୁ ପୁରୀ ଓ ତାହାର ଦକ୍ଷିଣରେ ଥିବା ଜିଲ୍ଲାଗୁଡ଼ିକ ସମେତ ବଲାଙ୍ଗୀର, ସୋନପୁର, ନବରଙ୍ଗପୁର, ମାଲକାନଗିରି, କୋରାପୁଟରେ ମେଘୁଆ ପାଗ ଆରମ୍ଭ ହେବ। ୨ ଓ ୩ ତାରିଖରେ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ତୁହାକୁ ତୁହା ବର୍ଷା‌ ହେବ। ଏହି ୪୮ ଘଣ୍ଟା ମଧ୍ୟରେ ସମୁଦାୟ ବର୍ଷା ପରିମାଣ ୨୯ ମିମିରୁ ଅଧିକ ରହିବ। ପୁରୀ, ଖୋର୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ବରରେ ଅପେକ୍ଷାକୃତ ଅଧିକ ବର୍ଷା ରହିବ। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨ ତାରିଖରେ ପଶ୍ଚିମ ଓଡ଼ିଶାରେ ସ୍ବଳ୍ପ ଓ ୩ରେ ହାଲୁକା ବର୍ଷା ହୋଇପାରେ। ୩ ଓ ୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଆଉ ଦୁଇ ଡିଗ୍ରି ବଢ଼ିବ। ତେବେ ୨ରୁ ୪ ତାରିଖ ଭିତରେ ସର୍ବାଧିକ ତାପମାତ୍ରା ୬ ଡିଗ୍ରି କିମ୍ବା ତା’ଠାରୁ ଅଧିକ କମିବ। ଏହି ସମୟରେ କେନ୍ଦ୍ରୀୟ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପାଗ କୋହଲା ରହିବ। ଦିନ ଓ ରାତିର ତାପମାତ୍ରା ପ୍ରାୟତଃ ଏକା ରହିବ। ତେଣୁ ଦିନ ସମୟରେ ଥଣ୍ଡା ଅନୁଭୂତ ହେବ। ୫ରୁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ଥଣ୍ଡା ବଢ଼ିବ। ଆଜି ଅନୁଗୁଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ସୋନପୁରରେ ୫.୬, ଦାରିଙ୍ଗବାଡ଼ିରେ ୬, କେନ୍ଦୁଝରରେ ୬.୨, ଫୁଲବାଣୀରେ ୬.୫ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର