ଭୁବନେଶ୍ବର: ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ ତମାଖୁମୁକ୍ତ ହୋଇପାରୁନାହିଁ। ବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ, ସବୁଠି ବେଧଡ଼କ ତମାଖୁ ବିକ୍ରି ଓ ସେବନ ଚାଲିଛି। ସ୍ଥିତି ଏମିତି ହେଲାଣି ଯେ ତମାଖୁ, ସିଗାରେଟ୍ ଓ ମଦ ସହ ଏବେ କ୍ୟାମ୍ପସ୍ର ଛାତ୍ରଛାତ୍ରୀ ଡ୍ରଗ୍ସ ଜାଲରେ ପଡ଼ିଲେଣି। ବହୁ ଯୁବପିଢ଼ି ଏଭଳି ଖରାପ ରାସ୍ତାକୁ ଯିବା ଦ୍ବାରା କ୍ୟାମ୍ପସ୍ରେ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବଢ଼ିବାରେ ଲାଗିଛି।
ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର କୌଣସି ପ୍ରଫେସର, ଅଧ୍ୟାପକ କିମ୍ବା କର୍ମଚାରୀମାନେ ଯଦି ନିଶା ସେବନ କରି କ୍ୟାମ୍ପସ୍କୁ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୨୦୨୨ରେ କଡ଼ା ଚେତାବନୀ ଦିଆଯାଇଥିଲା। ଆଇନ ଅନୁଯାୟୀ କ୍ୟାମ୍ପସ୍ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ଚଢ଼ଉ କରିବାକୁ କୁହାଯାଇଥିଲା। ମାତ୍ର ତାହା ହୋଇପାରିନାହିଁ। ଏବେ ମଧ୍ୟ ବାଣୀବିହାର କ୍ୟାମ୍ପସ୍ ସାରା ତମାଖୁ ଓ ନିଶାଦ୍ରବ୍ୟ ବିକ୍ରି ହେଉଛି। କିଛି ଦିନ ତଳେ ଜଣେ ନିଶା ବେପାରୀଙ୍କୁ ମଧ୍ୟ ଏଠାରୁ ଗିରଫ କରାଯାଇଥିଲା। ବିଜେବି କଲେଜ, ମହର୍ଷି କଲେଜ, ରାଜଧାନୀ କଲେଜ, ବିଜୁ ପଟ୍ଟନାୟକ କଲେଜ ପରି ଶିକ୍ଷାନୁଷ୍ଠାନର ଅତି ନିକଟରେ ତମାଖୁ ବିକ୍ରି ହେଉଛି। ଅଭିଯୋଗ କଲେ ମଧ୍ୟ ଥରୁଟିଏ ଚଢ଼ଉ ହେଉ ନ ଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।
ଏଆଇଏସ୍ଏଫ ସଭାପତି ସଂଘମିତ୍ରା ଜେନା କହିଛନ୍ତି ସରକାର ଜାଣିଶୁଣି ଶିକ୍ଷାନୁଷ୍ଠାନର ବାତାବରଣକୁ ନଷ୍ଟ କରୁଛନ୍ତି। ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ମୌଳିକ ଆବଶ୍ୟକତାକୁ ଉପେକ୍ଷା କରାଯାଉଛି। ନିଶା ଦ୍ରବ୍ୟର ବହୁଳ ବ୍ୟବହାର ଦ୍ବାରା ଛାତ୍ରଛାତ୍ରୀଙ୍କୁ ପଥଭ୍ରଷ୍ଟ କରିବା ରାଜ୍ୟ ସରକାରଙ୍କ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଏଠାରୁ ମୁକୁଳିବା ପାଇଁ ଛାତ୍ର ସମାଜ ଅଣ୍ଟା ଭିଡ଼ିବାକୁ ହେବ।
ବିଜୁ ଛାତ୍ର ଜନତା ଦଳର ଦେବସ୍ମିତା ଦାସ କହିଛନ୍ତି ଯେ କୋଟ୍ପା ଆଇନ-୨୦୦୩ ଅନୁଯାୟୀ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଗାଇଡ୍ଲାଇନ୍ର ସଂଶୋଧନ ନିୟମକୁ କଡ଼ାକଡ଼ି ଲାଗୁ କରାଯିବା କଥା। ଜାତୀୟ ସେବା ଯୋଜନା(ଏନ୍ଏସ୍ଏସ୍) ସଦସ୍ୟମାନେ ଯେଉଁଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ୧୫ ଦିନ କିମ୍ବା ମାସକୁ ଅତିକମ୍ରେ ଥରେ ସଚେତନତା କାର୍ଯ୍ୟକ୍ରମ କରିବେ। ସ୍ଥାନୀୟ ଡାକ୍ତର, ସାମାଜିକ କର୍ମୀଙ୍କୁ ଡାକି କାର୍ଯ୍ୟକ୍ରମ କରିବେ। ଯଦି ସମ୍ଭବ ହୁଏ ଡ୍ରଗ୍ସ, ତମାଖୁ ଓ ମଦ୍ୟପାନ କବଳରୁ ମୁକ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସଚେତନତା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ସେମାନେ କିଭଳି ନିଶା କବଳରୁ ମୁକ୍ତ ହେଲେ ସେସମ୍ପର୍କରେ ପିଲାଙ୍କୁ ଅବଗତ କରାଇବେ। ପୋଷ୍ଟର/ସ୍ଲୋଗାନ/କୁଇଜ୍ ଆଦି ପ୍ରତିଯୋଗିତା, ଲିଫଲେଟ୍, ପୋଷ୍ଟର, ବ୍ୟାନର ମାଧ୍ୟମରେ ନିଶା ସେବନର ଭୟାବହତା ସମ୍ପର୍କରେ ସଚେତନ କରାଯିବାର ଆବଶ୍ୟକତା ରହିଛି। ନିଶାମୁକ୍ତ କ୍ୟାମ୍ପସ୍ର ସୂଚନାଫଳକ ଲଗାଇବାର ଆବଶ୍ୟକତା ରହିଛି।। ଆଗକୁ ଛାତ୍ର ସଂସଦ ନିର୍ବାଚନ ଥିବାରୁ ରାଜ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।