ଭୁବନେଶ୍ୱର: ‘ବୋଝ କିମ୍ୱା ଅଲୋଡ଼ା ନୁହେଁ ଶିଶୁକନ୍ୟା।’ ପ୍ରତି ବର୍ଷ କନ୍ୟାଶିଶୁ ଦିବସ, ମହିଳା ଦିବସ ତଥା ସଭାସମିତିରେ ଏହି କଥା ଶୁଣିବାକୁ ମିଳୁଛି। ସମୟ ସହିତ ସମାଜର ଚିତ୍ର ବଦଳୁଛି ବୋଲି ଦାବି ହେଉଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଶିଶୁକନ୍ୟା ପାଇଁ ଲୋକଙ୍କର ମାନସିକତା ମଧ୍ୟ ବଦଳୁଛି। ସରକାରଙ୍କ ତରଫରୁ ଶିଶୁକନ୍ୟାର ସୁରକ୍ଷା ଓ ବିକାଶ ପାଇଁ ‘ବେଟି ବଚାଓ ବେଟି ପଢ଼ାଓ’, ‘ବାଲ୍ୟବିବାହ ନିରୋଧ ଅଧିନିୟମ’, ‘କନ୍ୟା ରତ୍ନ’ ଭଳି ବହୁ କାର୍ଯ୍ୟକ୍ରମ ହେଉଛି। ହେଲେ ପ୍ରତି ସପ୍ତାହ ଅଥବା ମାସରେ ଏଭଳି କିଛି ଘଟଣା ଘଟିଯାଉଛି ଯେ ଶିଶୁ କନ୍ୟାମାନେ ରାଜଧାନୀ ଭଳି ସହରରେ କେତେ ସୁରକ୍ଷିତ ଓ ଲୋଡ଼ା ସେ ନେଇ ପ୍ରଶ୍ନ ଉଠୁଛି।
ସଦ୍ୟ ପ୍ରକାଶିତ ‘ଏନ୍ସିଆର୍ବି ୨୦୨୩’ ରିପୋର୍ଟ ଅନୁସାରେ ଶିଶୁ ସମ୍ପର୍କୀତ ଅପରାଧ ମାମଲା ଆମ ରାଜ୍ୟରେ ବଢ଼ିଛି। ୨୦୨୩ରେ ରୁଜୁ ହୋଇଥିବା ଏଭଳି ୮୫୭୭ ମାମଲା ମଧ୍ୟରୁ ୫୯୭୮ଟି ମାମଲା ଅପହରଣ ସଂକ୍ରାନ୍ତ। ସେଥିରେ ଶିଶୁ କନ୍ୟାଙ୍କ ସଂଖ୍ୟା ଅଧିକ ରହିଛି। ସେଥି ମଧ୍ୟରୁ ୬୦ଜଣ ନାବାଳିକା ରହିଛନ୍ତି, ଯାହାଙ୍କୁ ବାଲ୍ୟ ବିବାହ ପାଇଁ ଅପହରଣ କରାଯାଇଥିବା ଜଣାପଡ଼ିଛି। ସେହିପରି ପୋକ୍ସୋ ଆଇନରେ ୨୩୮୧ଟି ମାମଲା ମଧ୍ୟରୁ ୧୬୩୧ଟି ମାମଲା ସେକ୍ସନ ୪ ଓ ୬ ଅଧୀନରେ ରହିଛି ଯେଉଁଥିରେ ଶିଶୁକନ୍ୟାଙ୍କ ଉପରେ ହୋଇଥିବା ଦୁଷ୍କର୍ମ ଓ ଅନ୍ୟାନ୍ୟ ଅପରାଧ ରହିଛି। ସେହିପରି ଏତେ ଯୋଜନା ଓ ସଚେତନତା ସତ୍ତ୍ୱେ ରାଜ୍ୟରେ ବାଲ୍ୟବିବାହ ବଢ଼ିବାରେ ଲାଗିଛି। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଦେଇଥିବା ତଥ୍ୟ ଅନୁସାରେ ଗତ ଛଅ ବର୍ଷରେ ରାଜ୍ୟରେ ୭୧୫୯ଟି ବାଲ୍ୟ ବିବାହ ହୋଇଛି। ୨୦୨୪-୨୫ ବର୍ଷରେ ଶିଶୁ କଲ୍ୟାଣ ସମିତି ପକ୍ଷରୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ମୋଟ ୬୨ ଜଣ କନ୍ୟା ଶିଶୁଶ୍ରମିକଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯାଇଥିଲା।
ଗତ ନଭେମ୍ୱର ମାସରେ ରାଜ୍ୟ ରାଜଧାନୀରେ ଏକ ନବଜାତ ଶିଶୁକନ୍ୟା ଆଚାର୍ଯ୍ୟବିହାରସ୍ଥିତ ଆର୍ଟିଓ-୧ ନିକଟ ବସ୍ତିରୁ ଉଦ୍ଧାର ହୋଇଥିଲା। ଶିଶୁକନ୍ୟାର କାନ୍ଦ ଶୁଣି ନିକଟସ୍ଥ ବସ୍ତିବାସିନ୍ଦା ଉଦ୍ଧାର ଶିଶୁକୁ ସହିଦନଗର ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ। ସେହିପରି ଗତ ଫେବ୍ରୁଆରିରେ ରାଜଧାନୀରେ ଶିଶୁ ଉତ୍ପୀଡ଼ନର ଏକ ଭୟଙ୍କର ଚିତ୍ର ଦେଖିବାକୁ ମିଳିଥିଲା। ସହିଦନଗର ଅଞ୍ଚଳରେ ନିଜ ପରିବାର ଦ୍ୱାରା ଅତ୍ୟାଚାରିତ ହୋଇ ଘରୁ ଲୁଚି ଆସି ମନ୍ଦିର ନିକଟରେ କାନ୍ଦୁଥିବା ସମୟରେ ଜଣେ ସାତ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରି ସହିଦନଗର ଥାନାରେ ଜିମା ଦେଇଥିଲେ ଅଞ୍ଚଳବାସୀ। ପିଲାଟି ଦେହରେ କଟା ଓ ପୋଡ଼ା ରହିଥିଲା।
ତେବେ ଏନେଇ ଶିଶୁମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟକରୁଥିବା ‘ରୁଚିକା ସମାଜ ମଙ୍ଗଳ ସଂଗଠନ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ବେଣୁଧର ସେନାପତିଙ୍କ କହିବା ଅନୁଯାୟୀ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ରାଜ୍ୟରେ ୨୦ ପ୍ରତିଶତରୁ ଅଧିକ ପିଲା ବାଲ୍ୟବିବାହ କରୁଛନ୍ତି। ଦୁଷ୍କର୍ମ ମଧ୍ୟ ବଢ଼ୁଛି। ବାଲ୍ୟବିବାହ ଦ୍ୱାରା ଝିଅଟିଏ କେବଳ ଶିକ୍ଷାରୁ ବଞ୍ଚିତ ହେଉଛି ତାହା ନୁହେଁ ବରଂ ତା’ର ଶାରୀରିକ, ମାନସିକ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବିଶେଷ କ୍ଷତି ଘଟୁଛି। ତେଣୁ ଏଥିପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ।