ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ପଟ୍ଟଚିତ୍ରଶିଳ୍ପୀ ତଥା ଶାରଳା ପୁରସ୍କାରପ୍ରାପ୍ତ ଗୋକୁଳି ବିହାରୀ ପଟ୍ଟନାୟକଙ୍କ ପୁରୁଣା ଭୁବନେଶ୍ୱର କୋଟିତୀର୍ଥ ରୋଡ୍ର ବିନ୍ଦୁସାଗର କଲୋନିସ୍ଥିତ ବାସଭବନରେ ଆଜି ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା। ଖାଦ୍ୟନଳୀରେ ସଂକ୍ରମଣ ଯୋଗୁଁ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ। ଗତ କିଛି ଦିନ ତଳେ ସେ ଘରକୁ ଫେରିଥିଲେ। ତେବେ ଆଜି ରାତି ପ୍ରାୟ ୧୧ଟା ୧୦ମିନିଟ୍ରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଓଡ଼ିଶା ପଟ୍ଟଚିତ୍ରକୁ ଅନ୍ତର୍ଜାତୀୟସ୍ତରରେ ପ୍ରଚାରପ୍ରସାର କରାଇବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା। ମୃତ୍ୟୁଶଯ୍ୟା ନିକଟରେ ପୁଅ ବ୍ରଜେଶ୍ୱର ପଟ୍ଟନାୟକଙ୍କ ସମେତ ବନ୍ଧୁ, ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। ଓଡ଼ିଶା ଆର୍ଟିଷ୍ଟ ଆସୋସିଏସନ୍ର ସଭାପତି ଜନପ୍ରିୟ ଦେବତା, ଚିତ୍ରଶିଳ୍ପୀ ସଂଗୀତା ପଟ୍ଟନାୟକ, ଶିଳ୍ପୀ ଜ୍ୟୋତିପ୍ରକାଶ ନାୟକ, ସୁରେନ୍ଦ୍ର ପଟ୍ଟନାୟକ, ନିଗମାନନ୍ଦ ସ୍ୱାଇଁ, ଚିନ୍ତାମଣି ବିଶ୍ୱାଳ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ।
ପରଲୋକରେ ବିଶିଷ୍ଟ ପଟ୍ଟଚିତ୍ରଶିଳ୍ପୀ ଗୋକୁଳି ପଟ୍ଟନାୟକ
/sambad/media/post_attachments/wp-content/uploads/2017/10/gokuli-patnaik.jpeg)