ଖଣ୍ଡଗିରି: ଗତ ପ୍ରାୟ ଦୁଇ ସପ୍ତାହ ହେଲା ସ୍ଥାନୀୟ ଭରତପୁର ବିୁଦ୍ୟତ୍ ସେକ୍ସନ୍ରେ ଲାଗି ରହିଛି ଘନଘନ ବିଦ୍ୟୁତ୍ କାଟ୍। ଏହି ଅଘୋଷିତ ବିଦ୍ୟୁତ୍ କାଟ୍ ଯୋଗୁଁ ସ୍ଥାନୀୟ ଉପଭୋକ୍ତାମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ବିଶେଷକରି ଦୁର୍ଗାମାଧବ ନଗରରେ ଏହାର ପ୍ରଭାବ ବିଶେଷ ଅନୁଭୂତ ହେଉଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ଏ ନେଇ ବିଦ୍ୟୁତ୍ ଉପଭୋକ୍ତାମାନେ ବାରମ୍ବାର ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳିନାହିଁ ବୋଲି ସେମାନେ ଜଣାଇଛନ୍ତି। ଦୁର୍ଗାମାଧବନଗରରରୁ ମିଳିଥିବା ଅଭିଯୋଗ ଅନୁସାରେ ଉକ୍ତ ଅଞ୍ଚଳରେ ବିଦ୍ୟୁତ୍ କାଟ୍ ଏକ ନିତିଦିନିଆ ଘଟଣା ପାଲଟିଛି। ବିନା ନୋଟିସ୍ରେ ଘଣ୍ଟା ଘଣ୍ଟା ଧରି ଲାଇନ୍ କାଟିି ଦିଆଯାଉଛି। ଦିନର ସବୁ ସମୟରେ ଏଭଳି ଅଘୋଷିତ ବିଦ୍ୟୁତ୍ କାଟ୍ ହେଉଛି। ବିଶେଷକରି ସନ୍ଧ୍ୟାରେ ଲାଇନ୍ କାଟି ଦିଆଯାଉଥିବାରୁ ଏଠାରେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦିନେ ଦିନେ ରାତିରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଛି। ପ୍ରବଳ ଗରମ ସେତିକି କଷ୍ଟଦାୟକ ହେଉନାହିଁ, ଘନଘନ ବିଦ୍ୟୁତ୍ କାଟ ଯୋଗୁଁ ସାଧାରଣ ଜୀବନଚର୍ଯ୍ୟାରେ ସୃଷ୍ଟି ହେଉଥିବା ସମସ୍ୟା ସେତିକି ଯନ୍ତ୍ରଣାଦାୟକ ବୋଲି ଉପଭୋକ୍ତାମାନେ କହିଛନ୍ତି। ଏହି ଅଞ୍ଚଳରେ ବହୁ ବରିଷ୍ଠ ନାଗରିକମାନେ ରହୁଥିବାରୁ ବିଦ୍ୟୁତ୍ କାଟଜନିତ ସମସ୍ୟା ସେମାନଙ୍କ ପାଇଁ ଦୁର୍ବିସହ ହୋଇପଡ଼ିଛି। ବିଦ୍ୟୁତ୍ କାଟ୍ ଯୋଗୁଁ ଏବେ ଏହି ଅଞ୍ଚଳରେ ଅସାମାଜିକ ତତ୍ୱଙ୍କ ପ୍ରାଦୁର୍ଭାବ ବଢ଼ିଥିବା କୁହାଯାଉଛି। ଏଭଳି ସ୍ଥିତିରେ ଉପଭୋକ୍ତାମାନେ ଭରତପୁର ସେକ୍ସନ କାର୍ଯ୍ୟାଳୟକୁ ଫୋନ୍ କଲେ, ବହୁ ସମୟରେ କେହି ଫୋନ୍ ଉଠାନ୍ତି ବୋଲି ଅଭିଯୋଗ ହେଉଛି। ଯଦି ବି କେହି ଫୋନ୍ ଉଠାନ୍ତି, କେବଳ ଅଭିଯୋଗଟି ଶୁଣି ଫୋନ୍ କାଟି ଦିଅନ୍ତି। ଅଭିଯୋଗ ଅନୁସାରେ ବିଦ୍ୟୁତ୍ କାଟ୍ର ପ୍ରତିକାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଏ ନାହିଁ। ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବା ପାଇଁ କାର୍ଯ୍ୟାଳୟ ଲ୍ୟାଣ୍ଡ୍ ଫୋନ୍କୁ ଫୋନ୍ କରିବାରୁ ଜଣେ କର୍ମଚାରୀ ତାଙ୍କ ନିକଟରେ କନିଷ୍ଠ ଯନ୍ତ୍ରୀଙ୍କ ଫୋନ୍ ନମ୍ବର ନାହିଁ ବୋଲି ବେପରୁଆ ଉତ୍ତର ଦେଇଥିଲେ। ତେଣୁ ଭରତପୁର ବିଦ୍ୟୁତ୍ ସେକ୍ସନ କାର୍ଯ୍ୟାଳୟ ସାଧାରଣ ଉପଭୋକ୍ତାଙ୍କୁ କିଭଳି ସେବା ଯୋଗାଉଛି, ତାହା ଜଳଜଳ ହୋଇ ଦିଶିଯାଉଛି।
ଅଘୋଷିତ ବିଦ୍ୟୁତ୍ କାଟ୍, ଉପଭୋକ୍ତା ହନ୍ତସନ୍ତ
/sambad/media/post_attachments/wp-content/uploads/2017/12/Electricity-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)