ଭୁବନେଶ୍ବର: ହକି ବିଶ୍ବକପ୍ ଜ୍ବରରେ କମ୍ପୁଛି ସହର। ହକି ନିଶା ଏମିତି ଯେ, ଆଜି ରାତିରୁ କଳିଙ୍ଗ ଷ୍ଟାଡିୟମ୍ ୯ ନମ୍ବର ଗେଟ୍ ପାଖରେ ଧାଡ଼ି ବାନ୍ଧିଲେଣି ଅନେକ ଯୁବକ। ଶୀତରେ ଘୋଡ଼େଇ ହୋଇ କାଉଣ୍ଟ୍ର୍ ସାମ୍ନାରେ ଶୋଇ ରହି ଜାଗା ମାଡ଼ି ବସିଥିବା ଦେଖିବାକୁ ମିଳିଛି। ହକି ବିଶ୍ବକପ୍ର ଉଦ୍ଘାଟନୀ ଉତ୍ସବକୁ ଉପଭୋଗ କରିବା ପାଇଁ ଆଜି ୯ନମ୍ବର ଗେଟ୍ ସମ୍ମୁଖ ୮ଟି ଲାଇନ୍ରେ ଶହଶହ ଯୁବକ ବସି ରହିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସେଇ ସ୍ଥାନକୁ କ୍ରୀଡ଼ାପ୍ରେମୀଙ୍କର ସୁଅ ଛୁଟିଥିଲା। ଆସନ୍ତା ୨୭ ତାରିଖରେ ଶାହରୁଖ୍ ଖାନ୍ଙ୍କୁ ଦେଖିବେ ଏବଂ ଏଆର୍ ରହେମାନଙ୍କ ସଂଗୀତ ଶୁଣିବା ପାଇଁ ଏପରି ଭିଡ଼ ପରିଲକ୍ଷିତ ହୋଇଥିଲା। ଏଥିସହ ୧୮୦୦ କଳାକାରଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ ବୋଲି ଘୋଷଣା ହେବାନେଇ ମଧ୍ୟ ଘୋଷଣା ହୋଇଛି।
ବିଧିବଦ୍ଧ ଭାବେ ହକି ଉଦ୍ଘାଟନୀ ଉତ୍ସବ ଟିକେଟ୍ ୧୫ ତାରିଖରେ ବିକ୍ରି ହେବ କି ନାହିଁ ଘୋଷଣା ହୋଇ ନଥିଲେ ହେଁ ବିକ୍ରି ହେବା ନେଇ ଚର୍ଚା ହେଉଥିବାରୁ କାଉଣ୍ଟର୍ ସାମ୍ନାରେ ଏପରି ଭିଡ଼ ଜମିଥିଲା। ଆଜି ରାତି ୧୨ଟା ପରେ ଅନ୍ଲାଇନ୍ ଓ ପରଦିନ ସକାଳୁ ପୂର୍ବାହ୍ଣ ୧୦ଟାରୁ ହକି ଟିକେଟ୍ ବିକ୍ରି ହେବ ବୋଲି ଭାବିନେଇ ଅନେକ ମୋବାଇଲ୍ ଧରି ବୁକିଂ ପାଇଁ ଜଗି ବସିଥିଲେ। ୱେଷ୍ଟ୍ ଷ୍ଟାଣ୍ଡ୍ ଏପର୍ଯ୍ୟନ୍ତ ବିକ୍ରି ନକରି ଭିଆଇପିଙ୍କ ପାଇଁ ସଂରକ୍ଷିତ ରଖିଥିଲେ। ମାତ୍ର ହଠାତ୍ ଆଜି ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ବିକ୍ରି ହେବା ପରେ ଖୁବ୍ କମ୍ ସମୟରେ ଟିକେଟ୍ ସରିଯାଇଥିଲା। ବିଶେଷକରି ଯୁବବର୍ଗ ଏତେ ଉତ୍ସାହିତ ଥିଲେ ଯେ, ପଚାରିଲେ କହୁଥିଲେ ଆସିଛୁ ମାନେ ଟିକେଟ୍ ନେଇକି ଯିବୁ।