ଭୁବନେଶ୍ବର: ୨୦୦୦ ଟଙ୍କା ନୋଟ୍ ବଦଳାଇବା ପାଇଁ ଆଜି ସକାଳୁ ସ୍ଥାନୀୟ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍ବିଆଇ) କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା। ଆର୍ବିଆଇ ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟଗେଟ୍ ଠାରୁ ରବୀନ୍ଦ୍ର ମଣ୍ଡପ ଛକ ପର୍ଯ୍ୟନ୍ତ ପ୍ରାୟ ୫୦୦ ମିଟର ଧରି ଲୋକମାନେ ଉଦୁଉଦିଆ ଖରାରେ ଛିଡ଼ା ହୋଇଥିଲେ। କେବଳ ଭୁବନେଶ୍ବର ନୁହେଁ, ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ ଲୋକମାନେ ଆସି ନୋଟ ବଦଳାଇବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ। ବହୁ ଲୋକ ନିଜେ ଛିଡ଼ା ନ ହୋଇ ଲୋକମାନଙ୍କୁ କମିସନ ଦେଇ ଧାଡ଼ିରେ ଛିଡ଼ା କରାଇଥିବା ଦେଖିବାକୁ ମିଳିଥିଲା। କମିସନ ଲୋଭରେ ବିଶେଷ କରି ମହିଳା ଓ ଯୁବକମାନଙ୍କୁ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।
ସୂଚନାନୁସାରେ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଆର୍ବିଆଇ ପକ୍ଷରୁ ଦେଶର ସମସ୍ତ ବ୍ୟାଙ୍କରେ ୨୦୦୦ ଟଙ୍କା ନୋଟ୍ ବଦଳାଇବାକୁ ସମୟସୀମା ଦିଆଯାଇଥିଲା। କିନ୍ତୁ ସେତିକି ସମୟରେ ବହୁ ଟଙ୍କା ଫେରିପାରି ନଥିଲା। ତେଣୁ ପୁଣି ସାରା ଦେଶର ୧୯ଟି ଆରବିଆଇ କାର୍ଯ୍ୟାଳୟରେ ୨୦୦୦ ଟଙ୍କା ନୋଟ୍ ବଦଳାଇବାକୁ ସମୟ ଦିଆଯାଇଛି। ଜଣେ ଗ୍ରାହକ ଏକକାଳୀନ ୧୦ଟି ନୋଟ ବଦଳାଇ ପାରିବ ବୋଲି ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ନୋଟ ବଦଳାଇବାକୁ ସମୟ ରହିଛି। ରାଜ୍ୟର ଏକମାତ୍ର ଭୁବନେଶ୍ବର ଆରବିଆଇ କାର୍ଯ୍ୟାଳୟରେ ନୋଟ ବଦଳାଯାଉଥିବାରୁ ଏହାର ସମ୍ମୁଖରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଆଜି ଏଥିପାଇଁ ସକାଳ ୭ଟାରୁ ଧାଡ଼ି ଆରମ୍ଭ ହୋଇଯାଇଥିଲା। ଜିଲ୍ଲା ବାହାରୁ, ଯେପରିକି ବ୍ରହ୍ମପୁର, କେନ୍ଦୁଝର ଆଦି ଜିଲ୍ଲାମାନଙ୍କରୁ ବହୁ ସଂଖ୍ୟାରେ ଲୋକ ଆସିଥିଲେ। କିନ୍ତୁ ଲମ୍ବା ଲାଇନ ଓ ମାତ୍ର ଏକାଥରକେ ୧୦ଟି ନୋଟ ବଦଳାଯାଉଥିବା ଜାଣିବା ପରେ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଧାଡ଼ିରେ ଛିଡ଼ା ହେବାକୁ ଆରବିଆଇ ତରଫରୁ କୌଣସି ବ୍ୟବସ୍ଥା କରାଯାଇନଥିଲା। ଗାଡ଼ି ପାର୍କିଂ କରିବାକୁ ମଧ୍ୟ ଲୋକେ ହଇରାଣ ହେଉଥିଲେ। ରାସ୍ତାକଡ଼ରେ ଫୁଟପାଥ୍ ଉପରେ ଲୋକମାନେ ଗାଡ଼ି ପାର୍କିଂ କରିଥିଲେ। ଏସବିଆଇ ସମ୍ମୁଖରେ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଏସବିଆଇ ସୁରକ୍ଷାକର୍ମୀ ପାର୍କିଂ କରାଇ ଦେଉନଥିଲେ। ଏତେ ସବୁ ଅବ୍ୟବସ୍ଥା ଥିବାରୁ ଏହାକୁ ନେଇ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଓ କର୍ମଚାରୀଙ୍କ ସହ ଲୋକଙ୍କର ପାଟିତୁଣ୍ଡ ହୋଇଥିଲା।
ତେବେ ସେଠାକାର ଏକ ଦୃଶ୍ୟ ବେଶ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା। ଜଣେ ଥରକେ ୧୦ଟି ନୋଟ ବଦଳାଇବା ନିୟମ ଥିବାରୁ ଅଧିକ ନୋଟ ନେଇ ଆସିଥିବା କିଛି ଲୋକ ବସ୍ତି ବାସିନ୍ଦାଙ୍କୁ ସେଥିରେ ନିୟୋଜିତ କରିଥିଲେ। ସେ ଲୋକମାନେ ୨୦୦୦ ଟଙ୍କାରେ ୨୦୦ ଟଙ୍କା କମିସନ ହିସାବରେ ଧାଡ଼ିରେ ଛିଡ଼ା ହୋଇ ନୋଟ ବଦଳାଇଥିଲେ। ସେ ବାବଦରେ ସେମାନେ ଜଣକା ଅତିକମ୍ରେ ୨୦୦୦ଟଙ୍କା ଆୟ କରିଥିଲେ। ବିଶେଷକରି ଭୁବନେଶ୍ବରରେ ପରିଚିତ ବା ସଂପର୍କୀୟ ନଥିବା ଦୂରଦୂରାନ୍ତରୁ ଆସିଥିବା ଲୋକେ ବସ୍ତିବାସିନ୍ଦାଙ୍କୁ ଏ କାମରେ ଲଗାଇଥିଲେ। କିଛି ଲୋକ ପେଟିରେ ଭରି ନୋଟ ଆଣିଥିଲେ ବୋଲି ଦେଖଣାହାରୀ କହିଛନ୍ତି। ତେବେ ଧାଡ଼ିରେ ଛିଡ଼ା ହୋଇଥିଲେ ସୁଦ୍ଧା ୧ଟା ହୋଇ ଯିବାରୁ ଟଙ୍କା ବଦଳାଇ ନ ପାରି କିଛି ଲୋକ ମୁଣ୍ଡକାନ ଆଉଁସି ଫେରିଥିଲେ। ଆସନ୍ତାକାଲି ପୁଣି ସକାଳୁ ଧାଡ଼ିରେ ଛିଡ଼ା ହେବେ ବୋଲି ସେମାନେ କହିଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କ ସାମ୍ନାରେ ନୋଟ୍ ବଦଳାଇବାକୁ ନେଇ ଲୋକମାନଙ୍କର ଯେଉଁ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା ତାହାକୁ ନେଇ ରାଜଧାନୀରେ ପ୍ରବଳ ଚର୍ଚ୍ଚା ଚାଲିଛି। କାରଣ ଏହା ଭିତରେ ଅନେକ ବସ୍ତି ବାସିନ୍ଦା ଥିଲେ। ଅନେକ ‘‘ବାବୁ ଟଙ୍କା ଦେଇଛନ୍ତି ବଦଳାଇବା ପାଇଁ’’ ବୋଲି ସ୍ବୀକାର ମଧ୍ୟ କରିଥିଲେ। ଏହି ଲୋକମାନେ କିଏ? ହଠାତ୍ କେଉଁଠୁ ଆସିଲେ? ସେମାନେ ଆଣିଥିବା ଟଙ୍କା କ’ଣ ପ୍ରକୃତରେ ତାଙ୍କ ନିଜର? ସେମାନଙ୍କୁ ଏହି କାମରେ ଲଗାଇଥିବା ‘ବାବୁମାନେ’ କିଏ? ଏଭଳି ଅନେକ ପ୍ରଶ୍ନ ଲୋକେ ଆଲୋଚନା କରୁଛନ୍ତି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଧିକାରୀମାନଙ୍କୁ ଯୋଗାଯୋଗ କରିବାକୁ ଅନେକ ଥର ପ୍ରୟାସ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। କେହି ଏହି ପ୍ରସଙ୍ଗରେ ମୁହଁ ଖୋଲିବାକୁ ଚାହୁନାହାନ୍ତି। ଏଠାରେ ସ୍ବତଃ ପ୍ରଶ୍ନ ସୃଷ୍ଟି ହେଉଛି ଯେ ଗତ ମାର୍ଚ୍ଚ ୨୩ଠାରୁ ୨୦୦୦ ଟଙ୍କିଆ ନୋଟ୍ ଫେରାଇବା ସମୟ ସୀମା ଭିତରେ ମଧ୍ୟ କୌଣସି ବ୍ୟାଙ୍କ କିମ୍ବା ରିଜର୍ଭ ବ୍ୟାଙ୍କରେ ଏଭଳି ଭିଡ଼ ଦେଖିବାକୁ ମିଳିନଥିଲା। କିନ୍ତୁ ରିଜର୍ଭ ବ୍ୟାଙ୍କରେ ଯେଉଁ ଭିଡ଼ ଲାଗିଛି, ତା’ର ଖୋଳତାଡ଼ କରିବା ଲାଗି ଯେଭଳି ଦାୟିତ୍ବରେ ଥିବା ବିଭାଗଗୁଡ଼ିକର ଆଗ୍ରହ ନାହିଁ! ଆୟକର ବିଭାଗ କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେହି ଏଥିପ୍ରତି ଧ୍ୟାନ ଦେଉଥିବା ଆଜି ମନେ ହେଉ ନଥିଲା। କିଛିଦିନ ତଳେ ଚିରାଫଟା ଓ ମଇଳା ଟଙ୍କା ଫେରାଇବାରେ ବିଫଳ ହୋଇଥିବା ଲୋକମାନେ ତାହା ଫୋପାଡ଼ି ଦେଇ ଚାଲିଯିବାରୁ ଏହି ସ୍ଥାନରେ ହିଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ବ୍ୟଙ୍କଗୁଡ଼ିକ ପକ୍ଷରୁ ଅନେକ ମୁଦ୍ରା ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।