ପୁରୁଣା ଭୁବନେଶ୍ୱର: ଆଜି ବିଧି ଓ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ପଢ଼ୁଆଁ ହୋଇଛନ୍ତି। ଏଥିପାଇଁ ତାଙ୍କ ମାମୁଘର ଶ୍ରୀମୈତ୍ରେଶ୍ୱର ମନ୍ଦିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଭଣଜା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ସ୍ବାଗତ କରିବା ଓ ନୂତନ ବସ୍ତ୍ର ଦେଇ ପଢ଼ୁଆଁ ନୀତି ସମାପନ କରିବା ପାଇଁ ମନ୍ଦିର ସେବାୟତମାନଙ୍କ ପକ୍ଷରୁ ବ୍ୟପାକ ପ୍ରସ୍ତୁତି ହୋଇଥିଲା। ସନ୍ଧ୍ୟାରେ ଏହି ନୀତି ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା।
ଆଜି ଲିଙ୍ଗରାଜ ମନ୍ଦିରରେ ସକାଳୁ ଦ୍ୱିପ୍ରହର ଯାଏ ସମସ୍ତ ନିୟମିତ ପୂଜାର୍ଚ୍ଚନା, ଧୂପ ଓ ଆଳତି ଆଦି ଯଥାବିଧି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ବିଧି ସରିବା ପରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାଙ୍କ ସହ ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀବସୁଦେବ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ମାମୁଘର ମୈତ୍ରେଶ୍ବର ମନ୍ଦିର ଅଭିମୁଖେ ବାହାରିଥିଲେ। ରାତି ପ୍ରାୟ ସାଢ଼େ ୯ଟାରେ ସେବାୟତଙ୍କ ଗହଣରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଏହି ପଟୁଆର ବଢ଼େଇବାଙ୍କ ଛକ ନିକଟସ୍ଥ ମୈତ୍ରେଶ୍ବର ମନ୍ଦିରକୁ ଯାତ୍ରା କରିଥିଲା। ମାମୁଘର ପରିସରକୁ ପୂର୍ବରୁ ବିଭିନ୍ନ ଫୁଲ ଓ ରଙ୍ଗୋଲିରେ ସଜ୍ଜିତ କରାଯାଇଥିଲା। ଭଣଜା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପଟୁଆରକୁ ମୈତ୍ରେଶ୍ବର ମନ୍ଦିର ସମ୍ମୁଖରେ ସ୍ୱାଗତ କରାଯାଇଥିଲା। ବଡ଼ୁ ସେବାୟତ ଶ୍ରୀଜିଉଙ୍କୁ ମଣେଇବା ପରେ ଅନ୍ୟ ଦେବଦେବୀଙ୍କୁ ପାଛୋଟି ନେଇ ଶ୍ରୀମୈତ୍ରେଶ୍ୱର ମନ୍ଦିର ସମ୍ମୁଖସ୍ଥ ସିଂହାସନରେ ଉପବେଶନ କରାଯାଇଥିଲା। ଏହାପରେ ପାପନାଶିନୀ ପୁଷ୍କରିଣୀରୁ ଆସିଥିବା ସଂସ୍କାରିତ ଜଳରେ ଦେବଦେବୀଙ୍କ ସ୍ନାନବିଧି ଅନୁଷ୍ଠିତ ହୋଇଥିଲା।
ତା’ପରେ ସୁଆର ସେବାୟତମାନେ ନୂତନ ବସ୍ତ୍ର ପରିଧାନ କରାଇଥିଲେ। ପୂଜାପଣ୍ଡା ସେବାୟତମାନେ ପଞ୍ଚ ଉପଚାରରେ ଦେବଦେବୀଙ୍କୁ ପୂଜା କରିବା ସହ ମାମୁ ଓ ଭଣଜାଙ୍କୁ ମୁଆଁଭୋଗ ଲାଗି କରି ଭେଟ ଆଳତି କରିଥିଲେ। ପ୍ରଭୁଙ୍କ ପଢ଼ୁଆଁ ବିଧି ସରିବା ପରେ ଶ୍ରୀଜିଉ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବାଟରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଇଁ ମା' କପାଳୀ ଠାକୁରାଣୀଙ୍କ ପାଖରେ ଭେଟ ଆଳତି କରାଯାଇଥିଲା। ଏହାପରେ ସମସ୍ତ ଦେବଦେବୀ ପୁଣି ପଟୁଆରରେ ମନ୍ଦିରକୁ ଫେରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଆଜି ଶ୍ରୀକପିଳନାଥ ମଧ୍ୟ ପଢ଼ୁଆଁ ହୋଇଛନ୍ତି। ସ୍ଥାନୀୟ କୈବର୍ତ୍ତ ସାହି ଛକ ନିକଟସ୍ଥ ଶ୍ରୀଝୁଣ୍ଟୁକେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ଯାଇଥିବା ନୂଆବସ୍ତ୍ର ପିନ୍ଧି ପ୍ରଭୁ କପିଳନାଥ ପଢ଼ୁଆଁ ହୋଇଥିଲେ।