ପୁରୁଣା ଭୁବନେଶ୍ବର: ମହୋତ୍ସବ ଉତ୍ସାହ ଯୋଗାଏ। ଆମ ଭିତରେ ଥିବା ସାମର୍ଥ୍ୟକୁ ଆବିଷ୍କାର କରିବାର ସୁଯୋଗ ଦିଏ। ଏକାଠି ହେବା ପାଇଁ ବାହାନା ଯୋଗାଏ। ଗଣତନ୍ତ୍ରରେ ଏକାଠି ହେବା ପାଇଁ ସୁଯୋଗ ଯୋଗାଉଥିବା ଯେ କୌଣସି ଉତ୍ସବ ହେଉଛି ‘ଗଣତାନ୍ତ୍ରିକ ଉତ୍ସବ’। ଏଥିରେ ସମସ୍ତେ ଭାଗନେଇ ଉପଭୋଗ କରିବା ଉଚିତ। ଯାହା ଆମକୁ ପରସ୍ପର ସହ ଯୋଡ଼ୁଛି ତାକୁ ଆଦରି ନେବା, ଯାହା ବିଭାଜିତ କରୁଛି ତାକୁ ଦୂରେଇ ଦେବାର ସଙ୍କଳ୍ପ ନେଇ ପାରିଲେ ଏ ମହୋତ୍ସବ ଅଧିକ ସଫଳ ହେବ। ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଲିଙ୍ଗରାଜ ମହୋତ୍ସବ ଉଦ୍ଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।
ଅନ୍ୟତମ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ବାବୁ ସିଂ, ବିଧାୟକ ପ୍ରଶାନ୍ତ ଜଗଦେବ, ଓଡ଼ିଶା ଅଲିମ୍ପିକ୍ସ ସଂଘର ସଭାପତି ସମୀର ମହାନ୍ତି, ପୂର୍ବତନ ମୁମ୍ବାଇ ପୁଲିସ କମିସନର ଅରୂପ ପଟ୍ଟନାୟକ, ରାଷ୍ଟ୍ରୀୟ ପତ୍ରକାର ମହାସଂଘ ସଭାପତି ଡ. ପବିତ୍ର ସାମନ୍ତରାୟ, ଏମ୍ବିସି ଟିଭି ମୁଖ୍ୟ ବଦ୍ରି ପଟ୍ଟନାୟକ, ଭି. ନାଗେଶ୍ୱର ରାଓ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ସନତ୍ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡାଙ୍କ ନିର୍ଦ୍ଦେଶନାରେ ବାସୁଦେବ ନାଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କୋଷାଧକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ରଶ୍ମି ମହାପାତ୍ର, ମ୍ୟାନେଜର ବିଶ୍ବନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ସୁଧୀର ରଞ୍ଜନ ଜେନା, ପ୍ରମୋଦ ଦାସ, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, ଦେବାଶିଷ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ କଳାକାରଙ୍କୁ ଓ ରୁକୁଣା ରଥ ନିର୍ମାଣ କରିଥିବା ମହାରଣା ସେବାୟତ, ଖରଡ଼ା ସେବାୟତ, ଦର୍ଜି ସେବାୟତ, ଆପଟିଆ ସେବାୟତ, ପୂଜାପଣ୍ଡା ନିଯୋଗ, ବଡ଼ୁ ନିଯୋଗ, ବ୍ରାହ୍ମଣ ନିଯୋଗ, ସମର୍ଥା ନିଯୋଗ ପ୍ରତିନିଧିଙ୍କ ସମେତ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରଚାର ପାଇଁ ସୁଶାନ୍ତ କୁମାର ସେଠୀ, ରଥ କଲେସୀ ବାବୁ ଖୁଣ୍ଟିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଉଦ୍ଯାପନୀ ସନ୍ଧ୍ୟାରେ ପ୍ରଥମେ ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀର ଓ ସାଥୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ହାସ୍ୟ ଅଭିନେତା ପପୁ ପମ୍ପମ୍ ହସାଇ ହସାଇ ବେଦମ୍ କରିଥିଲେ। ଓଡ଼ିଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଶିଳ୍ପୀକା ଅନୁଷ୍ଠାନ, କୋଲକାତାର ଆଦି ନୃତ୍ୟକଳା ଏକାଡେମୀ, ଟୁବୁଲା ଦାସଙ୍କ ନିର୍ଦେଶନାରେ କ୍ରିଏଟିଭ୍ ନୃତ୍ୟ, ଆସାମର ରୂପମ ଶର୍ମାଙ୍କ ଦ୍ବାରା ବିହୁ ନୃତ୍ୟ ଏବଂ ଶେଷରେ ପଦ୍ମଶ୍ରୀ ଗୁରୁ ଉତ୍ସବ ଦାସଙ୍କ ଘୋଡ଼ା ନାଚ ପରିବେଷିତ ହୋଇଥିଲା।