ଦେବୋତ୍ତର ଜମିରେ ଲିଙ୍ଗରାଜ ମାର୍କେଟ୍‌, ବିଏମ୍‌ସି କମିସନରଙ୍କ ସହ ଆଲୋଚନା ଆଜି

ମନ୍ଦିରରେ ପାନ ପିକ ମନା

ପୁରୁଣା ଭୁବନେଶ୍ୱର: ଦେବୋତ୍ତର ଜମିରେ ନୂଆ ଲିଙ୍ଗରାଜ ମାର୍କେଟ୍‌ ଗୃହକୁ ନେଇ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ଏନେଇ ଆଲୋଚନା ହୋଇଛି। ଆସନ୍ତାକାଲି ଦେବୋତ୍ତର କମିସନର୍‌ ଏ ସଂପର୍କରେ ବିଏମ୍‌ସି କମିସନର୍‌ଙ୍କ ସହ ଆଲୋଚନା କରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା କହିଛନ୍ତି ଯେ ମନ୍ଦିର ଜମିରେ ହୋଇଥିବା ମାର୍କେଟ୍‌ ନିର୍ମାଣ ସମ୍ପର୍କରେ ଟ୍ରଷ୍ଟ ବୋର୍ଡରେ ଆଲୋଚନା ହୋଇଥିଲା। ଆସନ୍ତାକାଲି ଏ ସଂପର୍କ‌ରେ ବିଏମ୍‌ସି କମିସନର୍‌ଙ୍କ ସହ ଆଲୋଚନା କରାଯିବ।

ସୂଚନାଯୋଗ୍ୟ, ଲିଙ୍ଗରାଜ ମନ୍ଦିରର ଉତ୍ତରପୂର୍ବ କୋଣରେ ଥିବା ନୂଆ ଲିଙ୍ଗରାଜ ମାର୍କେଟ ନିର୍ମାଣ ହୋଇଛି। ଏହି ଜମିର ମୂଳ ମାଲିକ ହେଉଛି ଲିଙ୍ଗରାଜ ମନ୍ଦିର ତଥା ଦେବୋତ୍ତର ବିଭାଗ। କିନ୍ତୁ ଏହି ମାର୍କେଟ୍‌ ନିର୍ମାଣ ପାଇଁ ଦେବୋତ୍ତର ବିଭାଗ ନିକଟରୁ ଅନୁମତି ନିଆଯାଇନାହିଁ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ରାଜ୍ୟ ସରକାର ଓ ଆଇନ ବିଭାଗକୁ ଚିଠି ଲେଖା ଯାଇଛି। ଅପରପକ୍ଷେ କିଛି ସେବାୟତ ଦେବୋତ୍ତର କମିସନରଙ୍କୁ ଭେଟି ଏଥିପ୍ରତି ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଠାକୁରଙ୍କ ଜମି ଉପରେ ଏହା ନିର୍ମାଣ ହୋଇଥିବାରୁ ମନ୍ଦିର ପରିଚାଳନା ପା‌ଇଁ ତଥା ଠାକୁରଙ୍କୁ ଏହାର ଲାଭାଂଶ ନ ମିଳିଲେ, ମାର୍କେଟ ଗେଟ୍‌ରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଏହି ମାର୍କେଟ୍‌ ଜମିର ମୂଳ ମାଲିକ ଲିଙ୍ଗରାଜ ମହାପ୍ରଭୁ ହୋଇଥିବାରୁ ମନ୍ଦିର ପରିଚାଳନା ପାଇଁ ସେୟାର ଦେବା ସହ ପୁରୁଣା ବ୍ୟବସାୟୀଙ୍କୁ ଥଇଥାନ ପାଇଁ ଦାବି ଲାଗି ରହିଛି।

ମନ୍ଦିରରେ ପାନ ପିକ ମନା
ଶ୍ରୀଲିଙ୍ଗରାଜ ମନ୍ଦିରକୁ ଗତ ୨୦୧୭ମସିହା ଏପ୍ରିଲ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ। ଏଥିପାଇଁ ମନ୍ଦିରକୁ ସେତେବେଳେ ସଫେଇ କରାଯାଇ ଚକାଚକ୍‌ କରାଯାଇଥିଲା। ଏହାର ଅଢ଼େଇ ବର୍ଷ ପରେ ପୁଣି ସେହି ସ୍ୱଚ୍ଛତା ପାଇଁ ପଦକ୍ଷେପ ନିଆଯାଇଛି। ମନ୍ଦିରରେ  କେହି ପାନ ଖାଇ ପିକ ପକାଇ ପାରିବେନି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କହିଛନ୍ତି, ଏଣିକି ମନ୍ଦିର ପରିସରରେ କୌଣସି ଭକ୍ତ କିମ୍ବା ସେବାୟତ ପାନ ଖାଇ ପାନ ପିକ ପକାଇ ପାରିବେନି। ଦେବୋତ୍ତର ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଏପରି କରାଯାଇଛି। ଏପରି କଲେ ଜରିମାନା ଆଦାୟ ହେବ। ଆସନ୍ତା ନଭେମ୍ବର ୧ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର