ଲିଙ୍ଗରାଜ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟା: ଝୁମେଇଲା ଛପେଲି, ଗର୍‌ଭା

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆଜି ଲିଙ୍ଗରାଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଜାତୀୟସ୍ତରର ପ୍ରସିଦ୍ଧ ଲୋକନୃତ୍ୟର ସମାହାରକୁ ନେଇ ଆୟୋଜିତ ଏହି ମହୋତ୍ସବର ଆଜି ଉଦ୍‌ଘାଟନୀ ସନ୍ଧ୍ୟାରେ ଉତ୍ତରାଖଣ୍ଡର ଲୋକନୃତ୍ୟ ଛପେଲି ଓ ଗୁଜରାଟର ଗର୍‌ଭା ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ସେହିଭଳି ଓଡ଼ିଶୀ ଓ ମାଲ୍‌ଖମ୍ବ ନୃତ୍ୟ ମଧ୍ୟ ଉଦ୍‌ଘାଟନୀ ସନ୍ଧ୍ୟାକୁ ବେଶ୍ ଆକର୍ଷଣୀୟ କରିଥିଲା। ପ୍ରଥମ ଅର୍ଘ୍ୟ ଥିଲା ତ୍ରିଧାର ଅନୁଷ୍ଠାନ ପକ୍ଷରୁ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଓଡ଼ିଶୀ ନୃତ୍ୟ। ଲକ୍ଷ୍ମୀ ନୃସିଂହ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ନୃତ୍ୟାଙ୍ଗନାଙ୍କ ଛପେଲି ନୃତ୍ୟ ଓ ଗୁଜରାଟର ପ୍ରସିଦ୍ଧ ଗର୍‌ଭା ନୃତ୍ୟ ଦର୍ଶକମାନଙ୍କୁ ମଞ୍ଚ ନିକଟରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ପରେ ପରେ ମୟୂରଭଞ୍ଜର ମାଲଖମ୍ବ ନୃତ୍ୟ ପରିବେଷଣ କରାଯାଇଥିଲା।

ଆୟୋଜକ ଏକାମ୍ର ପ୍ରକାଶନୀର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟ, ମୋ’ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ବିଜେପି ନେତା ସମୀର ମହାନ୍ତି, କଂଗ୍ରେସ ନେତା ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର ଓ ଅନୁଷ୍ଠାନର ସାଧାରଣ ସମ୍ପାଦକ ସନତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଲିଙ୍ଗରାଜ ଭଜନ ମଣ୍ଡପ ନିର୍ମାଣ ପାଇଁ ଆସନ୍ତା ଅକ୍ଷୟ ତୃତୀୟା ଦିନ ଶୁଭ ଦିଆଯିବ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ଏହି ଅବସରରେ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର